Home Infrastructure ଉନ୍ନତି ଭବନକୁ ଗୋଲ୍ଡ ରେଟିଂ

ଉନ୍ନତି ଭବନକୁ ଗୋଲ୍ଡ ରେଟିଂ

ଭୁବନେଶ୍ୱର : ସ୍ଥାନୀୟ ସତ୍ୟନଗର ଠାରେ ଥିବା ଉନ୍ନତି ଭବନକୁ ଇଣ୍ଡିଆନ ଗ୍ରିନ୍‍ ବିଲିଡିଂ କାଉନ୍‍ସିଲ୍‍ ‘ଗୋଲ୍ଡ ରେଟିଂ’ ପ୍ରଦାନ କରିଛି । ସରକାରୀ ସୌଧ ଭାବେ ଏଭଳି ମାନ୍ୟତା ପାଇବାରେ ଉନ୍ନତି ଭବନ ହେଉଛି ପ୍ରଥମ ।

ଗତବର୍ଷ ଫେବୃୟାରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‍ଘାଟିତ ଏହି ସୌଧଟି ମୋଟ୍‍ ୯୩,୨୫୦ ବର୍ଗଫୁଟ ଜମି ଉପରେ ନିର୍ମିତ ହୋଇଥିବାବେଳେ ଏହା ପରିସରରେ ଗୃହ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ ଦପ୍ତର ଯଥା ୱାଟ୍‍କୋ, ଜାଗା ମିଶନ, ଓଡବ୍ଲ୍ୟୁଏସ୍‍ଏସ୍‍ବି ଓ ଓୟୁଏଚ୍‍ଏମ୍‍ ଆଦି ରହିଛି । ସ୍ମାର୍ଟ ସୌଧ ଭାବେ ନିର୍ମାଣ ହୋଇଥିବା ଏହି କୋଠାରେ ଅନେକ ଅତ୍ୟାଧୁନିକ ସୁବିଧା ରହିଛି ଯେଉଁଥିପାଇଁ ଏହାକୁ ଗୋଲ୍ଡ ରେଟିଂ ପ୍ରଦାନ କରାଯାଇଛି ।

ଏଠାରେ ଥିବା ବିଭିନ୍ନ ସୁବିଧା ମଧ୍ୟରେ ଏଠାରେ ଶକ୍ତି ସଂରକ୍ଷଣର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଯେଉଁଥିପାଇଁ ବର୍ଗ ମିଟର ପିଛା ବର୍ଷକୁ ୫୪ କିଲୋୱାଟ ଶକ୍ତି ସଞ୍ଚୟ ହୋଇପାରୁଛି । ସେହିଭଳି ସୌଧର ଛାତ ଉପରେ ୧୧୦ କିଲୋୱାଟ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କ୍ଷମତା ଥିବାବେଳେ ଏଠାରୁ ନିର୍ଗତ ଜଳକୁ ପୁନଃ ବ୍ୟବହାରର ବ୍ୟବସ୍ଥା ଅଛି ।

ବର୍ଷାଜଳକୁ ଏଠାରେ ଶତ ପ୍ରତିଶତ ସଂରକ୍ଷଣ ସହିତ ଭୂତଳ ଜଳ ରିଚାର୍ଜ ପାଇଁ ତାହାକୁ ବ୍ୟବହାର କରାଯାଇ ପାରୁଛି । ସେହିଭଳି ସୌଧ ନିର୍ମାଣ ପୂର୍ବରୁ ଏଠାରେ ଥିବା ବୃକ୍ଷ ଗୁଡିକୁ ଅତ୍ୟାଧୁନିକ ନିର୍ମାଣ ଶୈଳୀ ବ୍ୟବହାର କରାଯାଇ ନଷ୍ଟ ହେବାରୁ ବଞ୍ଚାଯାଇ ପାରିଛି । ସେହିଭଳି ସୌଧରୁ ନିର୍ଗତ ହେଉଥିବା ତରଳ ବର୍ଜ୍ୟର ପରିଚାଳନା ବ୍ୟବସ୍ଥା ବି ରହିଛି ।