ଭୁବନେଶ୍ୱର : ତୃଣମୂଳ ସ୍ତରରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ‘ନାନୋ ୟୁନିକର୍ଣ୍ଣ’ ଯୋଜନା ପ୍ରଣୟନ କରିଛନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ଗାଁ ଗହଳରୁ ଯୁବକଙ୍କ ପଳାୟନ ଓ ବେକାରୀ ଭଳି ସମସ୍ୟାର ସମାଧାନ ପାଇଁ ଉଦ୍ୟୋଗକୁ ପ୍ରୋତ୍ସାହିତ କରି ଯୁବକମାନଙ୍କୁ ଦକ୍ଷ ଓ ସଶକ୍ତ କରିବା ।
ଏହି ଯୋଜନା ୨୦୨୩-୨୪ ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ୧୨୦୦ ନାନୋ ୟୁନିକର୍ଣ୍ଣକୁ ସହାୟତା କରିବ ଏବଂ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫେରସ୍ତଯୋଗ୍ୟ ମୂଳ ପୁଞ୍ଜି ପ୍ରଦାନ କରିବ, ଯାହା କି ୩ ବର୍ଷରେ ଫେରସ୍ତ କରାଯାଇପାରିବ । ଏହି ଯୋଜନାରେ ସ୍ଥାୟୀତା ସୁନିଶ୍ଚିତ କରିବା ପାଇଁ ଫେରସ୍ତଯୋଗ୍ୟ ମୂଳ ପାଣ୍ଠି ବ୍ୟତୀତ ନାନୋ ୟୁନିକର୍ଣ୍ଣକୁ ପରାମର୍ଶ ଏବଂ ହସ୍ତାନ୍ତର ସହାୟତା ପ୍ରଦାନ କରିବାକୁ ଯୋଜନା କରାଯାଇଛି । ଏହି ଯୋଜନାରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯିବ ଏବଂ ୧୦ଟି ଆକାଂକ୍ଷୀ ଜିଲ୍ଲାଉପରେ ଧ୍ୟାନ ଦିଆଯିବ ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ଯୋଜନାର ମାର୍ଗଦର୍ଶିକା ଜାରି କରାଯାଇଛି । ମାର୍ଗଦର୍ଶିକା ଅନୁଯାୟୀ, ଆଇଟିଆଇ, ପଲିଟେକ୍ନିକ୍ସ, ଉଚ୍ଚ ବୈଷୟିକ ଅନୁଷ୍ଠାନ, ବିଶ୍ୱ ଦକ୍ଷତା କେନ୍ଦ୍ର, ପିଏଲଟିପି, ନୂଆ ଓଡ଼ିଶା ଇତ୍ୟାଦିରେ ସ୍ୱଳ୍ପ କାଳୀନ ଓ ଦୀର୍ଘମିଆଦୀ ଦକ୍ଷତା ପାଠ୍ୟକ୍ରମ ଗ୍ରହଣ କରିଥିବା ୧୮ରୁ ୩୫ ବର୍ଷ ବୟସର ସ୍କିଲ୍ଡ-ଇନ୍-ଓଡ଼ିଶା ଯୁବକମାନେ ଏଥିରେ ସାମିଲ ହେବେ ।
ଏହାବ୍ୟତୀତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଯୋଜନାର ପରିଚାଳନା କମିଟି ଦ୍ୱାରା ବିଚାର କରାଯିବାକୁ ଥିବା ର୍ନିଦ୍ଦିଷ୍ଟ ପ୍ରସ୍ତାବ ଆଧାରରେ ଜଡିତ ବିଭାଗଗୁଡ଼ିକ ଦ୍ୱାରା ସୁପାରିଶ କରାଯାଇଥିବା ର୍ନିଦ୍ଦିଷ୍ଟ ଗୋଷ୍ଠୀ (ଉଦାହରଣ ସ୍ୱରୂପ, କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀ ଇତ୍ୟାଦି)କୁ ମଧ୍ୟ ଏହି ଯୋଜନା ଅର୍ନ୍ତଭୁକ୍ତ କରିବ ।
ସରକାର ପ୍ରତିବର୍ଷ ୩୦ଟି ଜିଲ୍ଲା ମଧ୍ୟରୁ ଏବଂ ବିଭାଗ ଦ୍ୱାରା ସୁପାରିଶ କରାଯାଇଥିବା ସ୍ୱତନ୍ତ୍ର ପ୍ରକଳ୍ପରୁ ୪୦୦ ନାନୋ ୟୁନିକର୍ଣ୍ଣ ଉଦ୍ୟୋଗୀଙ୍କୁ ଚୟନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ବଲାଙ୍ଗୀର, ଢେଙ୍କାନାଳ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ା ଆଦି ୧୦ଟି ଆକାଂକ୍ଷୀ ଜିଲ୍ଲାରୁ ୨୦ଟି ଲେଖାଏଁ ନାନୋ ୟୁନିକର୍ଣ୍ଣ ଉଦ୍ୟୋଗୀଙ୍କୁ ଚୟନ କରାଯିବ । ଅବଶିଷ୍ଟ ୨୦ଟି ଜିଲ୍ଲାରୁ (ପ୍ରତି ଜିଲ୍ଲାରୁ ୧୦ଟି) ଆଉ ୨୦୦ ନାନୋ ୟୁନିକର୍ଣ୍ଣ ଉଦ୍ୟୋଗୀଙ୍କୁ ଚୟନ କରାଯିବ ।
ମହିଳା ନାନୋ ୟୁନିକର୍ଣ୍ଣ ଉଦ୍ୟୋଗୀ (ସର୍ବନିମ୍ନ ୩୩% ମହିଳା)ଙ୍କୁ ପ୍ରାଥମିକତା ଦିଆଯିବ । ଅନ୍ତର୍ଭୁକ୍ତିକରଣ ପାଇଁ ଭିନ୍ନକ୍ଷମ ବ୍ୟକ୍ତି, କିନ୍ନର, ଏସଟି, ଏସସି ଏବଂ ଅନ୍ୟାନ୍ୟ ଅବହେଳିତ ଗୋଷ୍ଠୀଙ୍କୁ ମଧ୍ୟ ବ୍ୟବସ୍ଥା ଅନୁଯାୟୀ ପ୍ରାଥମିକତା ଦିଆଯିବ । ଦକ୍ଷତା ବିକାଶ ଓ ନିଯୁକ୍ତି ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ କାର୍ଯ୍ୟର୍ନିବାହୀ କମିଟି ଏହି ଯୋଜନାର କାର୍ଯ୍ୟକାରିତା ତଦାରଖ କରିବେ । ଫେରସ୍ତ ଯୋଗ୍ୟ ମୂଳ ପାଣ୍ଠି ମିଳିବା ପରେ ନାନୋ ୟୁନିକର୍ଣ୍ଣ ଉଦ୍ୟୋଗୀମାନେ ସେମାନଙ୍କର ଉଦ୍ଦିଷ୍ଟ ବ୍ୟବସାୟ ଆରମ୍ଭ କରିବେ । ସମ୍ପୃକ୍ତ ଜିଲ୍ଲା ଦକ୍ଷତା କାର୍ଯ୍ୟର୍ନିବାହୀ କମିଟି (ଡିଏସଇସି) ଅଗ୍ରଗତି ଉପରେ ନଜର ରଖିବ ଏବଂ ତ୍ରୈମାସିକ ଭିତ୍ତିରେ ଏହାର ସମୀକ୍ଷା କରିବ । କାର୍ଯ୍ୟକାରୀ ଅଂଶୀଦାରଙ୍କ ସହାୟତାରେ ଡିଏସଇସି ନାନୋ ୟୁନିକର୍ଣ୍ଣ ଉଦ୍ୟୋଗୀମାନଙ୍କୁ ଆବଶ୍ୟକ ପରାମର୍ଶ ଏବଂ ମାର୍ଗଦର୍ଶନ ପ୍ରଦାନ କରିବ । (ତଥ୍ୟ)