Home General ଉଜ୍ୱଳା ୦.୨ରେ ୫.୮୭ଲକ୍ଷ ହିତାଧିକାରୀ

ଉଜ୍ୱଳା ୦.୨ରେ ୫.୮୭ଲକ୍ଷ ହିତାଧିକାରୀ

ଭୁବନେଶ୍ୱର : ଉଜ୍ୱଳାର ଦ୍ୱିତୀୟ ପର୍ଯ୍ୟାୟରେ ତୈଳ କମ୍ପାନୀଗୁଡିକ ସମଗ୍ର ଦେଶରେ ଦେଢ କୋଟିରୁ ଅଧିକ ରନ୍ଧନଗ୍ୟାସ ସଂଯୋଗ ଦେଇଥିବାବେଳେ ଓଡିଶାରେ ଏହା ୫.୮୭ଲକ୍ଷରୁ ଅଧିକ ରହିଛି । ଏହି ସଂଯୋଗ ପରିବାରର ଜଣେ ମହିଳା ସଦସ୍ୟଙ୍କ ନାମରେ ଦିଆଯାଉଛି ।

ପ୍ରଧାନ ମନ୍ତ୍ରୀ ଉଜ୍ୱଳା ଯୋଜନା (ପିଏମୟୁୱାଇ)ର ଦ୍ୱିତୀୟ ପର୍ଯ୍ୟାୟରେ ତୈଳ ବିପ୍ପଣନ କମ୍ପାନୀଗୁଡିକ ସମଗ୍ର ଦେଶରେ ଗରିବ ଲୋକମାନଙ୍କୁ ରନ୍ଧନଗ୍ୟାସ ସଂଯୋଗ ଯୋଗାଇ ଦେଉଛନ୍ତି । ପରିବାରର ବୟସ୍କ ମହିଳାଙ୍କ ନାମରେ ଏହି ସଂଯୋଗ ଦିଆଯାଉଥିବାବେଳେ ଏହି ସୁବିଧା ପାଇବାକୁ ଥିବା ମାନଦଣ୍ଡ ଭିତରେ ଜାତି ଗଣନାରେ ଆସିଥିବା ସାମାଜିକ ଆର୍ଥିକ ଦୁର୍ବଳ ବର୍ଗ ଅଥବା ଅନ୍ୟ ସାତଟି ବର୍ଗ ହେଉଛି ଅନୁସୂଚିତ ଜାତି (ଏସ୍‍ସି), ବାସହୀନ, ଅନୁସୂଚିତ ଜନଜାତି (ଏସ୍‍ଟି), ପଛୁଆ ବର୍ଗ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ହିତାଧିକାରୀ, ଅନ୍ତଦ୍ୟୋୟ ଅନ୍ନ ଯୋଜନାର ହିତାଧିକାରୀ, ଜଙ୍ଗଲରେ ରହୁଥିବା ଅଧିବାସୀ, ଦ୍ୱୀପ ଓ ନଦୀକୂଳରେ ରହୁଥିବା ବ୍ୟକ୍ତି, ଚା ବଗିଚାରେକାମ କରୁଥିବା ଲୋକ ଏବଂ ଉପରୋକ୍ତ ବର୍ଗରେ ଆସୁନଥିବା ଗରିବ ଲୋକେ ବି ୧୪ ସୂତ୍ରୀ ଘୋଷଣାନାମା ଦେଇ ଏଥିରେ ସାମିଲ ହୋଇପାରିବେ ।

ତେବେ ଚଳିତବର୍ଷ ଡିସେମ୍ବର ପହିଲା ସୁଦ୍ଧା ଏହି ଯୋଜନାରେ ସମଗ୍ର ଦେଶରେ ମୋଟ୍‍ ୧,୫୮,୨୭,୫୮୦ ରନ୍ଧନ ଗ୍ୟାସ ସଂଯୋଗ ଦିଆଯାଇଥିବାବେଳେ ଓଡିଶାରେ ପାଇଛନ୍ତି ୫,୮୭,୭୪୯ ପରିବାର । ତେବେ ସବୁଠାରୁ ଅଧିକ ୩୫,୩୮,୦୬୭ ପରିବାର ପାଇଛନ୍ତି ପଡୋଶୀ ପଶ୍ଚିମବଙ୍ଗରେ । ଆନ୍ଧ୍ରପ୍ରଦେଶରେ ୧,୨୦,୦୦୭ ପରିବାରକୁ ରନ୍ଧନଗ୍ୟାସ ସଂଯୋଗ ମିଳିଥିବାବେଳେ ଛତିଶଗଡରେ ୪୭୫ ପରିବାର ଓ ଝାଡଖଣ୍ଡରେ ୩,୮୭,୮୯୧ ପରିବାର ଏହି ସଂଯୋଗ ପାଇଛନ୍ତି ।

ଏହି ଯୋଜନାରେ ରନ୍ଧନଗ୍ୟାସ ସଂଯୋଗ ପାଇବାକୁ ହେଲେ ସ୍ଥାନୀୟ ରନ୍ଧନଗ୍ୟାସ ବିତରକ, ଜନ ସେବା କେନ୍ଦ୍ର କିମ୍ବା ସିଧାସଳଖ ଭାବେ ଯୋଜନା ପାଇଁ ଉଦ୍ଦିଷ୍ଟ ଅନଲାଇନ୍‍ରେ ଆବେଦନ କରାଯାଇ ପାରିବ । ୨୦୧୪ ଏପ୍ରିଲ ପହିଲାରୁ ୨୦୨୨ ନଭେମ୍ବର ପହିଲା ମଧ୍ୟରେ ଦେଶରେ ୧୧,୭୦୦ ରନ୍ଧନଗ୍ୟାସ ବିତରକ ନିଯୁକ୍ତି ପାଇଛନ୍ତି । ପିଏମ୍‍ୟୁୱାଇ ହିତାଧିକାରୀମାନେ ଯେଭଳି ଅଧିକରୁ ଅଧିକ ଭାବେ ରନ୍ଧନଗ୍ୟାସ ବ୍ୟବହାର କରିପାରିବେ ସେଥିପାଇଁ ତୈଳ ବିପ୍ପଣନ କମ୍ପାନୀମାନେ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସଭାସମିତି ଜରିଆରେ ସଚେତନତା କାର୍ଯ୍ୟ ଚଳାଉଛନ୍ତି ।

ତେବେ ଲକ୍ଷ୍ୟ କରାଯାଉଛି ଯେ ସବସିଡ୍‍ ସତ୍ୱେ ଗରିବ ଲୋକଙ୍କୁ ରନ୍ଧନଗ୍ୟାସର ବର୍ଦ୍ଧିତ ଦର ବାଧୁ ଥିବାରୁ ସେମାନେ ଏହାକୁ ବ୍ୟବହାର କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଏପରିକି ସିଲିଣ୍ଡର ପିଛା ସେମାନଙ୍କୁ ପ୍ରାୟ ୮୦୦ ଟଙ୍କା ପଡୁଥିବାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ପାରମ୍ପରିକ ଜାଳେଣି ଯଥା କାଠ ଓ ଘଷି ବ୍ୟବହାକୁ ଫେରିବାରେ ଲାଗିଛନ୍ତି । (ତଥ୍ୟ)