ଭୁବନେଶ୍ୱର : ପରିବେଶ ଅନୁକୂଳ ଇ-ଯାନର ଚାହିଦା ଓଡିଶା ସମେତ ସମଗ୍ର ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି । ଗୋଟିଏ ପଟେ ତୈଳଦର ବୃଦ୍ଧି ଓ ଅନ୍ୟପଟେ ଇ-ଯାନ ପାଇଁ ସରକାରୀ ପ୍ରୋତ୍ସାହନ ଏବେ ଲୋକଙ୍କୁ ଏ ଦିଗ ପ୍ରତି ଆକୃଷ୍ଟ କରୁଛି ।
ମିଳିଥିବା ସୂଚନା ଅନୁଯାୟୀ ୨୦୧୪ ମସିହାରେ ସମଗ୍ର ଦେଶରେ ମାତ୍ର ୨୩୯୧ଟି ଇ-ଯାନ ପଞ୍ଜିକରଣ ହୋଇଥିବାବେଳେ ଗତବର୍ଷ ଏହି ସଂଖ୍ୟା ୧୦ଲକ୍ଷକୁ ଅତିକ୍ରମ କରିଯାଇଥିଲା । ଚଳିତ ବର୍ଷର ମାର୍ଚ୍ଚ ୧୫ ସୁଦ୍ଧା ଏହି ତାଲିକା ୨.୬୦ ଲକ୍ଷ ପାଖାପାଖି । ତେବେ ଅଣପଞ୍ଜିକୃତ ଗାଡିକୁ ହିସାବକୁ ନେଲେ ଏହା ବହୁଗୁଣିତ ହୋଇଯିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।
୨୦୧୪ରେ ୨୩୯୧ ଟି ଇ-ଯାନ ପଞ୍ଜିକରଣ ହୋଇଥିବାବେଳେ ଏହା ପରବର୍ଷ ପଞ୍ଜିକରଣର ସଂଖ୍ୟା ଥିଲା ମାତ୍ର ୭୭୯୦ । ତେବେ ୨୦୧୮ ମସିହାରେ ପଞ୍ଜିକରଣ ସଂଖ୍ୟା ୧.୨୯ଲକ୍ଷକୁ ଟପିଯାଇଥିଲା । ଏହା ପରଠାରୁ ଇ-ଯାନ ପଞ୍ଜିକରଣ ହୁ ହୁ ହୋଇ ବଢିବା ଚାଲିଲା ।
ତେବେ ୨୦୨୧ ମସିହାରେ କେନ୍ଦ୍ର ସରକାର ଇ-ଯାନ ନୀତି ପ୍ରଣୟନ କରିବା ସହିତ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇଦେଲେ । ବିଶେଷକରି ଇ-ଯାନ ପଞ୍ଜିକରଣ ଫି ସମେତ ଏହା ଉପରୁ ସଡକ ଟିକସ ବି ଆଦାୟ ହେଲାନାହିଁ । ଏଥି ସହିତ ପ୍ରତ୍ୟେକ ପଞ୍ଜିକୃତ ଇ-ଯାନ ପାଇଁ ସରକାର ୫ହଜାର ଟଙ୍କାରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରେତ୍ସାହନ ରାଶି ଯୋଗାଇଦେଲେ ।
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ସମେତ ଦେଶର ପ୍ରାୟ ସମସ୍ତ ରାଜ୍ୟ ଇ-ଯାନ ନୀତିକୁ କାର୍ଯ୍ୟକାରୀ କରୁଛନ୍ତି । ଓଡିଶା ସରକାର ମଧ୍ୟ ୨୦୨୧ରେ ରାଜ୍ୟର ଇ-ଯାନ ନୀତି ପ୍ରଣୟନ କରି ଦୁଇ ଚକିଆ ଯାନ ଉପରେ ୫ହଜାରରୁ ଆରମ୍ଭ କରି ଚାରିଚକିଆ ଯାନ ଓ ଇ-ବସ ଉପରେ ମଧ୍ୟ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି । ଏଥି ସହିତ ଏହି ଯାନର ପଞ୍ଜିକରଣ ଓ ସଡକ ଟିକସ ଦେୟ ଛାଡ ହୋଇଛି । ତେବେ ନିକଟରେ ରାଜ୍ୟ ସରକାର ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ଦୁଇଚକିଆ ଯାନ ପିଛା ୫ଟଙ୍କା ବଦଳରେ ଏହି ଯାନରେ ବ୍ୟବହାର ହେଉଥିବା ବ୍ୟାଟେରୀର କିଲୋୱାଟ ପିଛା ୫ହଜାର ଟଙ୍କା ଧାର୍ଯ୍ୟ କରିଛନ୍ତି । ଫଳରେ ଇ-ଯାନ କ୍ରେତାମାନେ ଅଧିକରୁ ଅଧିକ ପ୍ରୋତ୍ସାହନ ରାଶି ପାଇବେ ।
ସେହିଭଳି ସରକାରୀ କର୍ମଚାରୀଙ୍କ ପାଇଁ ଇ-ଯାନ ଖରିଦ ଲାଗି ବିନା ସୁଧରେ ଋଣ ଯୋଗାଣ ହେଉଛି । ଦୁଇ ଚକିଆ ଯାନ ପାଇଁ ୨ଲକ୍ଷ ଟଙ୍କାର ବିନା ସୁଧ ଋଣ ଦିଆଯାଉଛି । ଏହାଛଡା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଇ-ଯାନ ଖରିଦ ପାଇଁ ପରାମର୍ଶ ଦିଆଯିବା ସହିତ ୧୫ବର୍ଷରୁ ଅଧିକ ସମୟର ଯାନଗୁଡିକୁ ହଟାଇବାପାଇଁ କୁହାଯାଇଛି ।
ଇତି ମଧ୍ୟରେ କେନ୍ଦ୍ର ସରକାର ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) କାର୍ଯ୍ୟକାରୀ କରିବା ସହିତ ଇ-ଯାନରେ ବ୍ୟବହାର ହେଉଥିବା ବ୍ୟାଟେରୀ ଉତ୍ପାଦ ପାଇଁ ୧୮,୧୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏଥି ସହିତ ଫେମ୍ ଇଣ୍ଡିଆ ଯୋଜନାରେ ମଧ୍ୟ ଇ-ଯାନ ଉତ୍ପାଦନକୁ ଗୁରୁତ୍ୱ ଦେଉଛନ୍ତି । ସେହିଭଳି ଅଧିକ ପ୍ରଦୂଷଣ କରୁଥିବା ଚାରିଚକିଆ ଡିଜେଲ ଯାନକୁ ପର୍ଯ୍ୟାୟକ୍ରମେ ରାସ୍ତାରୁ ହଟାଇବାପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । (ତଥ୍ୟ)