ଭୁବନେଶ୍ୱର : ବିଗତ ୨୨ବର୍ଷରେ ଓଡିଶା ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ପ୍ରାୟ ୧୫୦୦ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି, ଯାହାକି ଏକ ରେକର୍ଡ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଆମ ରାଜ୍ୟ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ।
୧୯୯୯-୨୦୦୦ ବର୍ଷରେ ଓଡିଶାରେ ୧୪,୭୪,୦୦୦ ଟନ୍ ଇସ୍ପାତ ଉତ୍ପାଦନ ହେଉଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୨,୩୨,୪୧,୦୦୦ ଟନ୍କୁ ବୃଦ୍ଧି ଯାଇଛି ଯାହାକି ୧୪୭୬ ପ୍ରତିଶତ ଅଧିକ । ୨୦୧୮-୧୯ ବର୍ଷରେ ଦେଶରେ ୧୧୦.୯୨ ନିୟୁତ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦିତ ହୋଇଥିବାବେଳେ ଓଡିଶାରେ ଏହି ପରିମାଣ ଥିଲା ୧୬.୯୭ନିୟୁତ ଟନ୍ । ୨୦୧୯-୨୦ ବର୍ଷରେ ଓଡିଶାରେ ଇସ୍ପାତ ଉତ୍ପାଦନ ୨୦.୨୫ ନିୟୁତ ଟନ୍ରେ ପହଞ୍ଚି ଥିବାବେଳେ ସେହିବର୍ଷ ଭାରତରେ ଇସ୍ପାତ ଉତ୍ପାଦନ ୧୦୯.୧୪ ନିୟୁତ ଟନ୍ ହୋଇଥିଲା ।
ନିୟମିତ ଭାବେ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇବା ସହିତ ୨୦୨୦-୨୧ ବର୍ଷରେ ଓଡିଶାରେ ଏହା ୨୧.୪୩ ନିୟୁତ ଟନ୍ରେ ପହଞ୍ଚି ଥିବାବେଳେ ଦେଶର ଇସ୍ପାତ ଉତ୍ପାଦନ ୧୦୩.୫୪ ନିୟୁତ ଟନ୍କୁ ହ୍ରସ ପାଇଥିଲା । ତେବେ ୨୦୨୧-୨୨ ଓଡିଶାର ଇସ୍ପାତ ଉତ୍ପାଦନ ୨୩.୨୪ ନିୟୁତ ଟନ୍କୁ ବୃଦ୍ଧି ପାଇଥିବାବେଳେ ଦେଶର ଇସ୍ପାତ ଉତ୍ପାଦନ ୧୨୦.୨୯ ନିୟୁତ ଟନ୍ରେ ପହଞ୍ଚିଥିଲା ।
ତେବେ ଆଶ୍ଚର୍ଯ୍ୟର କଥା ହେଉଛି ୨୦୧୯-୨୦ ରୁ ୨୦୨୦-୨୧ ମଧ୍ୟରେ କୋଡିଭ ମହାମାରୀ, ଲକଡାଉନ୍, ଯୋଗାଣ ଶୃଙ୍ଖଳାରେ ବ୍ୟାଘାତ, ମାନସମ୍ବଳର ଅଭାବ ଆଦି କାରଣରୁ ଦେଶରେ ଉତ୍ପାଦନ ହ୍ରାସ ପାଉଥିବାବେଳେ ସମାନ ସ୍ଥିତିର ସାମ୍ନା କରୁଥିବା ଓଡିଶାରେ କିନ୍ତୁ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇ ଚାଲିଥିଲା ।
ରାଜ୍ୟରେ ଇସ୍ପାତ ଉତ୍ପାଦନ ଲଗାତାର ଭାବେ ବୃଦ୍ଧି ପାଉଥିବାରୁ ୨୦୩୦ ସୁଦ୍ଧା ଓଡିଶାରୁ ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ପୂରଣରେ ଏହା ସହାୟକ ହେବବୋଲି କୁହାଯାଉଛି । ଏହି ସମୟରେ ଦେଶରେ ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଅଶୋଧିତ ଇସ୍ପାତ ଉତ୍ପାଦନ୨୦୨୦-୨୧ ବର୍ଷରେ ୩୩ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ୧୯୯୯-୨୦୦୦ ମସିହାରେ ଏହି ବୃଦ୍ଧି ମାତ୍ର ୪ ନିୟୁତ ଟନ୍ ଥିଲା ।
ବୃହତ୍ ଇସ୍ପାତ ଉତ୍ପାଦନକାରୀ ସଂସ୍ଥା ସେଲ୍, ଟାଟା ଷ୍ଟିଲ୍, ଏଏମ୍ଏନ୍ଏସ୍, ଜେଏସ୍ପିଏଲ୍, ଜେଏସଏଲ୍ ଏବଂ ଅନ୍ୟମାନେ ରାଜ୍ୟକୁ ଆସିବା ଫଳରେ ଇସ୍ପାତ ଉତ୍ପାଦନର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି । ଦେଶରେ ୯୦୧ଟି ସଂସ୍ଥା ଅଶୋଧିତ ଇସ୍ପାତ ଉତ୍ପାଦନ କରୁଥିବାବେଳେ ଓଡିଶାରେ ଏହି ଧରଣର କାରଖାନା ସଂଖ୍ୟା ୫୭ ରହିଛି ।
ଜାତୀୟ ଇସ୍ପାତ ନୀତି ଆଧାରରେ ଦେଶରେ ଅଧିକ ଇସ୍ପାତ ପାଇଁ ଯୋଜନା ପ୍ରସ୍ତୁତ ହେଉଥିବାବେଳେ ପ୍ରମୁଖ ଇସ୍ପାତ ଉତ୍ପାଦନକାରୀମାନେ ନିଜ ନିଜର ଉତ୍ପାଦନ କ୍ଷମତା ବଢାଇବାର ଯୋଜନା କରୁଛନ୍ତି । ଇସ୍ପାତ ଏକ ଅଣସଂଗଠିତ କ୍ଷେତ୍ର ହୋଇଥିବାବେଳେ ବିଭିନ୍ନ କାରଣ ଯଥା ଆର୍ନ୍ତଜାତିକ ବଜାର ସ୍ଥିତି, କଞ୍ଚାମାଲର ଦର, ଲଜିଷ୍ଟିକ ମୂଲ୍ୟ, ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ ଜାଳେଣି ଦ୍ୱାରା ଏହା ବିଶେଷ ପ୍ରଭାବିତ ହୋଇଥାଏ । (ତଥ୍ୟ)