ଭୁବନେଶ୍ୱର : ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିରେ ଆଜି ବିଧାନସଭାର ପ୍ରଥମାର୍ଦ୍ଧ ଅଚଳ ରହିଛି । ଏହି ପ୍ରସଙ୍ଗରେ ବିଜେପି ସଦସ୍ୟଙ୍କ ହଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଚାଲିପାରିନଥିଲା । କଂଗ୍ରେସ ସଦସ୍ୟମାନେ ମଧ୍ୟ ମରୁଡି ଉପରେ ଅଧିକ ଆଲୋଚନା କରି ହଟଗୋଳ କରିଥିଲେ ।
ଆଜି ଗୃହକାର୍ଯ୍ୟ ଆରମ୍ଭ ମାତ୍ରେ ଦୁଇ ବିରୋଧିଦଳ ଦୁଇଟି ପ୍ରସଙ୍ଗ ଧରି ଗୃହ ମଧ୍ୟଭାଗକୁ ଆସିଥିଲେ । କଂଗ୍ରେସ ସଦସ୍ୟମାନେ ମରୁଡି ଉପରେ ଅଧିକ ଆଲୋଚନ ଦାବି କରିଥିବାବେଳେ ବିଜେପି ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ମନ୍ତ୍ରୀଙ୍କ ବହିଷ୍କାର ଓ ଇସ୍ତଫା ଦାବିରେ ଧ୍ୱନିମାନ ଦେଇଥିଲେ ।
ତେବେ ଆରମ୍ଭରୁ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିବା ସହିତ ଗୃହକୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ପୁର୍ନବାର ଗୃହକାର୍ଯ୍ୟ ଆରମ୍ଭ ହେବାରୁ ବିରୋଧି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟଗୋଳ କରିଥିଲେ । ତେବେ ମରୁଡି ଉପରେ ପୁର୍ନବାର ଆଲୋଚନା ହେବବୋଲି ବାଚସ୍ପତି ଘୋଷଣା କରିବାପରେ କଂଗ୍ରେସ ସଦସ୍ୟମାନେ ତୁନି ପଡି ନିଜ ନିଜ ଆସନକୁ ଫେରିଥିଲେ ।
ହେଲେ ବିଜେପି ସଦସ୍ୟମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ରହିବା ସହିତ ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ଦେଖାଇ ହଟଗୋଳ କରିଥିଲେ । ଏହା ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।
ଏଠାରେ ଉଲ୍ଲେଖନୀୟ ଯେ ଗତକାଲି ପ୍ରଥମ ଦିବସବରେ ଗୃହରେ ମରୁଡି ଉପରେ ଆସିଥିବା ମୁଲତବି ପ୍ରସ୍ତାବ ଆଲୋଚନା ହୋଇଥିଲେ ମଧ୍ୟ ରାଜସ୍ୱମନ୍ତ୍ରୀ ଓ ଏସ୍ଆରସିଙ୍କ ଅନୁପସ୍ଥିତ ନେଇ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା ପ୍ରଶ୍ନ ଉଠାଇବା ସହିତ ଏହି ପ୍ରସଙ୍ଗରେ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।