Home General ଇଭି ବିକ୍ରି ୪ବର୍ଷରେ ୨୨ଗୁଣରୁ ଅଧିକ

ଇଭି ବିକ୍ରି ୪ବର୍ଷରେ ୨୨ଗୁଣରୁ ଅଧିକ

ଭୁବନେଶ୍ୱର : ପରିବେଶ ଅନୁକୂଳ ବିଦ୍ୟୁତ୍‍ ଚାଳିତ ଯାନ (ଇଭି) ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେବାପରେ ଦେଶରେ ଏହି ଯାନର ବିକ୍ରି ସଂଖ୍ୟା ଚାରି ବର୍ଷରେ ୨୨ଗୁଣରୁ ଅଧିକ ବୃଦ୍ଧି ପାଇଛି । ଇଭି ଯାନକୁ ପ୍ରୋତ୍ସାହନ ପାଇଁ କେନ୍ଦ୍ର ସରକାର ଗତ ୫ବର୍ଷ ମଧ୍ୟରେ ୧୦ହଜାର କୋଟି ଟଙ୍କାର ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି ।

କେନ୍ଦ୍ରୀୟ ରିପୋର୍ଟରୁ ଜଣାଯାଇଛି ଯେ ୨୦୧୯-୨୦ ବର୍ଷରେ ସମଗ୍ର ଦେଶରେ ମାତ୍ର ୧୯,୧୦୦ଟି ଇଭି ଯାନ ବିକ୍ରି ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ୪ଲକ୍ଷ ୪୨ହଜାରରୁ ଅଧିକ ଗାଡି ବିକ୍ରି ହୋଇ ସାରିଲାଣି । ସେହିଭଳି ୨୦୨୦-୨୧ ଦେଶରେ ମାତ୍ର ୪୯,୧୭୯ଟି ଗାଡି ବିକ୍ରି ହୋଇଥିଲା । ତେବେ ୨୦୨୧-୨୨ ବର୍ଷରେ ଇଭି ଯାନ ବିକ୍ରି ସଂଖ୍ୟା ହଠାତ୍‍ ବୃଦ୍ଧି ପାଇଁ ୨ଲକ୍ଷ ୩୭ହଜାରକୁ ଟପିଯାଇଥିଲା ।

ସମଗ୍ର ଦେଶରେ ପରିବେଶ ଅନୁକୂଳ ଇଭିଯାନ ଉତ୍ପାଦନ ଓ ବ୍ୟବହାରକୁ ପ୍ରୋତ୍ସାହନ ଦେବାପାଇଁ କେନ୍ଦ୍ର ସରକାର ୧୦ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ୨୦୧୯ରୁ କେନ୍ଦ୍ର ସରକାର ଏହି ଅର୍ଥ ମଞ୍ଜୁର ସହିତ ଇଭିଯାନ ଉପରେ ଗୁରୁତ୍ୱ ଦେବା ଫଳରେ ଦେଶରେ ଏହି ଯାନ ଉତ୍ପାଦନ ଓ ବିକ୍ରିରେ ବୃଦ୍ଧି ପରିଲକ୍ଷିତ ହୋଇଛି । ୨୦୧୯ରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଫେମ୍‍ ଇଣ୍ଡିଆରେ ୧୦ଲକ୍ଷ ୨ଚକିଆ ଇଭି, ୫ଲକ୍ଷ ୩ଚକିଆ, ୫୫ହଜାର ୪ଚକିଆ ଓ ୭୦୯୦ ଇ-ବସ୍‍ ଚଳାଚଳ ଉପରେ ଲକ୍ଷ୍ୟ ରଖିଛି । ଗତବର୍ଷ ଡିସେମ୍ବର ସୁଦ୍ଧା ଦେଶରେ ୬୭ଟି କମ୍ପାନୀ ଇଭି ଯାନ ଉତ୍ପାଦନ ପାଇଁ ପଞ୍ଜିକୃତ ହୋଇଥିବାବେଳେ ଏମାନେ ୭.୪୭ଲକ୍ଷ ଯାନ ବିକ୍ରି ହୋଇଛି ।

ଏହି ଯୋଜନାରେ କେନ୍ଦ୍ର ସରକାର ଇଭି ଯାନ କ୍ରେତାଙ୍କୁ ସବସିଡ୍‍ ଅର୍ଥ ଯୋଗାଇ ଦେଉଛନ୍ତି । ଦୁଇ ଚକିଆ ଇଭି ଯାନ ପାଇଁ ପ୍ରୋତ୍ସାହନ ରାଶି ୧୦ ରୁ ୧୫ହଜାର ଟଙ୍କାକୁ ବୃଦ୍ଧି କରରାଯାଇଛି । ତେବେ ଇଭିଯାନର ଦର ଅନୁଯାୟୀ ଏହା ୨୦ ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି ଏବଂ ଏହା ୨୦୨୧ ଜୁନ୍‍ ମାସରୁ କାର୍ଯ୍ୟକାରୀ ହେଉଛି ।

ସେହିଭଳି ଇଭି ଯାନ ପାଇଁ ଆବଶ୍ୟକ ବ୍ୟାଟେରୀ ଉତ୍ପାଦନ କ୍ଷେତ୍ରରେ ମଧ୍ୟ କେନ୍ଦ୍ର ସରକାର ରିହାତି ଯୋଗାଇବା ସହିତ ପିଏଲ୍‍ଆଇ କାର୍ଯ୍ୟକାରୀ କରିବା ଫଳରେ ଏହାର ଉତ୍ପାଦନ ଦର ହ୍ରାସ ପାଇଛି । ଏଥିଯୋଗୁଁ ଇଭି ଯାନର ଦର ମଧ୍ୟ ହ୍ରାସ ପାଇବାରେ ଲାଗିଛ । ସେହିଭଳି ଇଭି ଯାନ ଉପରେ ଜିଏସ୍‍ଟି କୁ ୧୨ରୁ ୫ ପ୍ରତିଶତକୁ ହ୍ରାସ କରାଯାଇଥିବାବେଳେ ଏହି ଯାନର ଚାର୍ଜର ଏବଂ ଚାର୍ଜିଂ ଷ୍ଟେସନ ଉପରୁ ମଧ୍ୟ ଜିଏସ୍‍ଟିକୁ ୧୮ ରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । (ତଥ୍ୟ)