Home Industry ଇଥାନେଲ କାରଖାନା ବସାଇବାକୁ ଭିଡ

ଇଥାନେଲ କାରଖାନା ବସାଇବାକୁ ଭିଡ

ଭୁବନେଶ୍ୱର : ଓଡିଶାରେ ଏବେ ଇଥାନେଲ କାରଖାନା ବସାଇବାକୁ ଭିଡ । ୨୦୩୦ ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନେଲ ମିଶାଇବାକୁ ଜାତୀୟ ବାୟୋ ଫୁଏଲ ନୀତିରେ ଲକ୍ଷ୍ୟ ରଖାଯିବାପରେ ଏଭଳି ସ୍ଥିତି ଉପୁଜିଛି । ବର୍ତ୍ତମାନ ଇଥାନେଲ ଅଭାବରୁ ପେଟ୍ରୋଲରେ କେବଳ ୨ରୁ ୪ ପ୍ରତିଶତ ମିଶ୍ରଣ ହେଉଛି ।

ଇଥାନେଲ ଉତ୍ପାଦନ ପାଇଁ ଓଡିଶାରେ ପର୍ଯ୍ୟାପ୍ତ କଞ୍ଚାମାଲ ଥିବାରୁ ଉଭୟ ରାଷ୍ଟ୍ରାୟତ ଓ ଘରୋଇ ନିବେଶକାରୀମାନେ ଏଠାରେ ଆଗ୍ରହ ଦେଖାଉଛନ୍ତି । ଭାରତ ପେଟ୍ରୋଲିୟମ ୧୦୦୦ କୋଟି ଟଙ୍କା ବିନିଯୋଗରେ ବରଗଡ ଜିଲ୍ଲାରେ ନଡାରୁ ଇଥାନେଲ ଉତ୍ପାଦନ ପାଇଁ ଦ୍ୱିତୀୟ ପୀଢିର ବାୟୋ-ରିଫାଇନାରୀ କାରଖାନା ସ୍ଥାପନ କରୁଛି । ସେହିଭଳି ଇଣ୍ଡିଆନ ଅଏଲ ମଧ୍ୟ ଦୈନିକ ୫୦୦ କିଲୋଲିଟର ଇଥାନେଲ ଉତ୍ପାଦନ କ୍ଷମତା ଥିବା କାରଖାନା ବାଲେଶ୍ୱର ଜିଲ୍ଲାରେ ବାଳଗୋପାଳପୁର ଠାରେ କରୁଛି ।

ଏହି କାରଖାନାରେ ଆଇଓସିଏଲ୍‍ ୮୭୦କୋଟି ଟଙ୍କା ପୁଞ୍ଜି ଖଟାଉଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ମିଳୁଥିବା ମିଳୁଥିବା ଭଙ୍ଗା ଚାଉଳ, ମକା ଏବଂ ଅନ୍ୟାନ୍ୟ ନଡାଜାତୀୟ ସାମଗ୍ରୀ ଏଥିରେ ବ୍ୟବହାର ହେବ । ଏଠାରେ ଆଇଓସିଏଲ୍‍କୁ ୭୦ଏକର ଜମି ମିଳିଥିବାବେଳେ କାରଖାନା ପରିସରରେ ୮ ମେଗାୱାଟ ତାପଜ କେନ୍ଦ୍ର ସ୍ଥାପନ ହେବ ଏବଂ ପାୟ ୨୦୦ ଜଣ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କର୍ମସଂସ୍ଥାନ ପାଇବେ ।

ଅନୁରୂପ ଭାବେ ହିନ୍ଦୁସ୍ତାନ ପେଟ୍ରୋଲିୟମ ଦୈନିକ ୫୦୦ କିଲୋମିଟର ଇଥାନେଲ ଉତ୍ପାଦନ ହୋଇପାରୁଥିବା କାରଖାନା ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ସ୍ଥାପନ କରିବ । ଏଠାରେ କମ୍ପାନୀ ୫୦୦ କୋଟି ଟଙ୍କାର ପୁଞ୍ଜି ଖଟାଇବ । ସ୍ଥାନୀୟ ଅଞ୍ଚଳରେ ମିଳୁଥିବ ଭଙ୍ଗା ଚାଉଳ, ନଡା ଓ କୁଟା ଆଦିରୁ ଇଥାନେଲ ଉତ୍ପାଦନ ହେବ । ଉମରକୋଟର ବାମନି ଶିଳ୍ପାଞ୍ଚଳରେ ଏଥିପାଇଁ ୬୬ଏକର ଜମି ଚିହ୍ନଟ ହୋଇଥିବାବେଳେ ଭାସ୍‍କେଲ ନଦୀରୁ ଜଳ ଯୋଗାଇ ଦିଆଯିବ । ଏହି କାରଖାନା ପରିସରରେ ୧୦ ମୋଗାୱାଟ ତାପଜ କେନ୍ଦ୍ର ମଧ୍ୟ ସ୍ଥାପନ ହେବ । ଆସନ୍ତା ୨ବର୍ଷ ମଧ୍ୟରେ କାରଖାନା ପ୍ରତିଷ୍ଠା ପାଇଁ ସମୟ ଧାର୍ଯ୍ୟ ହୋଇଛି ।

ଅନୁଗୁଳ ଜିଲ୍ଲାର ନୂଆକ୍ଷେତ ଠାର ୧୨୫କୋଟି ଟଙ୍କା ବ୍ୟୟରେ ନିଉଲେଟ ଏନର୍ଜି ପ୍ରାଇଭେଟ ଲିମିଟେଡ ମଧ୍ୟ ଇଥାନେଲ କାରଖାନା ବସାଇବାର ପ୍ରସ୍ତାବ ରହିଛି । ଏଠାରେ ଦୈନିକ ୧୦୦ କିଲୋଲିଟର ଇଥାନେଲ ଉତ୍ପାଦନ ସହିତ ଦୈନିକ ୧୨ଟନ୍‍ ବାୟୋଗ୍ୟାସ ଉତ୍ପାଦନ ହେଉଥିବା କାରଖାନା ବି ସ୍ଥାପନ ହେବ । ଏଥି ସହିତ ୨.୨୦ ମେଗାୱାଟ କ୍ଷମତା ବିଶିଷ୍ଟ ତାପଜ କେନ୍ଦ୍ର ସ୍ଥାପନ ହେବାକୁ ଥିବାବେଳେ କମ୍ପାନୀର ଏଠାରେ ନିଜସ୍ୱ ୩୦ ଏକର ଜମି ରହିଛି । ନିକଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏକକ ବାତାୟନ କମିଟି ବୈଠକରେ ସମସ୍ତ ୩ଟି ଇଥାନେଲ କାରଖାନାକୁ ସବୁଜ ସଙ୍କେତ ମିଳିଛି । (ତଥ୍ୟ)