ଭୁବନେଶ୍ଵର : ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଡଃ. କ୍ରିଷନ କୁମାର ଆଜି ଓଡିଶା ଶିଳ୍ପ ଭିତ୍ତିଭୂମି ଊନ୍ନୟନ ନିଗମ (ଇଡକୋ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଯୋଗଦେବାର ପ୍ରଥମ ଦିବସରେ ସେ ଇଡକୋର ବିଭିନ୍ନ କାର୍ଯ୍ୟକ୍ରମ ତଥା କାର୍ଯ୍ୟକଳାପର ସମୀକ୍ଷା କରିଥିଲେ ।
ଉକ୍ତ ବୈଠକରେ, ସେ ସର୍ବପ୍ରଥମେ ରାଜ୍ୟ ସରକାରଙ୍କ ୫-ଟି ଆଭିମୁଖ୍ୟ ଆଧାରରେ କାର୍ଯ୍ୟ ଯୋଜନା (ଆକ୍ସନ ପ୍ଳାନ ) ଉପରେ ଗୁରୁତ୍ଵାରୋପ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୦ ଗୋଟି ଏମ.ଏସ.ଏମ.ଇ ପାର୍କ ଏବଂ ଇଡକୋ ଟାୱାର ପ୍ରତିଷ୍ଠା ନିମନ୍ତେ ତ୍ଵରିତ ପଦକ୍ଷେପ ନେବା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ ।
ଏଥିସହ, ପଶ୍ଚିମ ଓଡିଶାରେ ବିଜୁ ଏକ୍ସପ୍ରେସ ୱେ କରିଡର ନିକଟରେ ଏମ.ଏସ.ଏମ.ଇ ପାର୍କ ଗଠନ ନିମନ୍ତେ ସେ ଆଲୋଚନା କରିଥିଲେ । ଇଡକୋରେ ପ୍ରଚଳିତ ଭୂମି ଆବଣ୍ଟନ ଏବଂ ଭୂମି ଆବଣ୍ଟନ ପରବର୍ତ୍ତୀ ସେବା ପ୍ରଦାନର ପ୍ରକ୍ରିୟାକୁ ସୂଚନା ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ କାର୍ଯ୍ୟକ୍ଷମ କରାଯାଇ ଶିଳ୍ପ ଉଦ୍ୟୋଗୀମାନଙ୍କର ବିଭିନ୍ନ ଅସୁବିଧା ଗୁଡିକର ଯଥାଶୀଘ୍ର ସମାଧାନ କରିବା ନିମନ୍ତେ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ ।
ଇଡକୋ ଦ୍ଵାରା ପ୍ରତିଷ୍ଠିତ ବିଭିନ୍ନ ଶିଳ୍ପ ପାର୍କ ଯଥା ଡେରାସ ଠାରେ ଥିବା ସି-ଫୁଡ ପାର୍କ, ପାରାଦୀପର ପ୍ଲାଷ୍ଟିକ ପାର୍କ, ଅନୁଗୋଳର ଆଲୁମିନିୟମ ପାର୍କ, ଭଦ୍ରକର ଟେକ୍ସଟାଇଲ୍ ପାର୍କ, ଇନଫୋଭ୍ୟାଲି ଫୁଡ ପାର୍କ ଇତ୍ୟାଦିର ଉନ୍ନତି କରଣ ଏବଂ ଏହାର ବିଭିନ୍ନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ସେ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।
ଠିକ୍ ସେହିପରି, ଇଡକୋ ଦ୍ଵାରା ବିଭିନ୍ନ ଶିଳ୍ପାନୁଷ୍ଠାନମାନଙ୍କୁ ପ୍ରଦାନ କରାଯାଉଥିବା ବିଲ୍ଡିଂ ପ୍ଳାନ ଅନୁମୋଦନ ପ୍ରକ୍ରିୟାକୁ ସଶକ୍ତିକରଣ କରିବା ଉଦ୍ଦେଶ୍ୟରେ ଏହାର ଏକ ଯାଞ୍ଚ ପତ୍ର ( ଚେକ ଲିଷ୍ଟ ) ତିଆରି କରି ତ୍ଵରିତ ଭାବରେ ୩ ରୁ ୭ ଦିନ ମଧ୍ୟରେ ଆଶାୟୀ ଶିଳ୍ପଦ୍ୟୋଗୀମାନଙ୍କୁ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସେ ଗୋଟିଏ ଦିନର ପ୍ରଶାସନ( ୱାନ ଡେ ଗଭର୍ଣ୍ଣାନ୍ସ ) ବ୍ୟବସ୍ଥାର ପ୍ରଚଳନ କରି ଇଡକୋରେ ଥିବା ବିଭିନ୍ନ ସମସ୍ୟା, ଅସୁବିଧା ଏବଂ ସମସ୍ତ ଉନ୍ନତିମୂଳକ କାର୍ଯ୍ୟକ୍ରମ ଗୁଡିକର ତତକ୍ଷଣାତ ଅନୁମୋଦନ ତଥା ସମାଧାନ କରିବାକୁ ସୂଚନା ପ୍ରଦାନ କରିଥିଲେ ।
ଇଡକୋ କର୍ମଚାରୀ ଏବଂ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନମାନଙ୍କର ଥିବା ଅଭିଯୋଗଗୁଡିକ ସେମାନେ ସିଧାସଳଖ ଇ-ମେଲ୍ ଜରିଆରେ ଏହାର ଅଧ୍ୟକ୍ଷଙ୍କୁ ଜଣାଇବା ନିମନ୍ତେ ବ୍ୟବସ୍ଥା କରାଯିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି, ଯାହାକୁ କି ସେ ବ୍ୟକ୍ତିଗତ ଭାବରେ ଯାଞ୍ଚ ତଥା ପର୍ଯ୍ୟ।ଲୋଚନା କରିବେ ବୋଲି ସୂଚନା ଦେଇଥିଲେ । ରାଜ୍ୟରେ ଶିଳ୍ପର ବିକାଶ ଏବଂ ନୂତନ ଶିଳ୍ପ ପ୍ରତିଷ୍ଠା ଦିଗରେ ଆବଶ୍ୟକ ଥିବା ସମସ୍ତ ଜରୁରୀ ପଦକ୍ଷେପ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ସେ ଇଡକୋର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ଇଡକୋର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।