Home News in Odia ଇଞ୍ଜିନିୟରଙ୍କ ପାଇଁ ସ୍ୱତନ୍ତ୍ର ବଦଳି ନୀତି

ଇଞ୍ଜିନିୟରଙ୍କ ପାଇଁ ସ୍ୱତନ୍ତ୍ର ବଦଳି ନୀତି

ଭୁବନେଶ୍ଵର : ରାଜ୍ୟରେ ସରକାରୀ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଇଞ୍ଜିନିୟରଙ୍କ ପାଇଁ ସରକାରଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟରତ ଓଡ଼ିଶା ଇଞ୍ଜିନିୟରିଂ ସେବା (ଓଇଏସ୍) ଏବଂ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା (ଓଡିଇଏସ୍) କ୍ୟାଡରର ଅଧିକାରୀମାନଙ୍କ ବଦଳିକୁ ଅଧିକ ସ୍ୱଚ୍ଛ, ନିରପେକ୍ଷ ଓ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଏକ ସମନ୍ୱିତ ବଦଳି ନୀତି ଜାରି କରିଛନ୍ତି। ଏହି ନୀତିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ବଦଳି ପାଇଁ ସ୍ୱତନ୍ତ୍ର ‘ଇଞ୍ଜିନିୟରିଂ ଏଷ୍ଟାବ୍ଲିସମେଣ୍ଟ କମିଟି’ (ଇଇସି) ଗଠନ କରାଯାଇଛି।

ନୂଆ ବ୍ୟବସ୍ଥା ଅନୁସାରେ ମୁଖ୍ୟଯନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ସମ୍ପର୍କରେ ସରକାରଙ୍କୁ ସୁପାରିସ କରିବ ଏହି ଇଇସି। ବିଭାଗର ପ୍ରମୁଖ ଶାସନ ସଚିବ ଏହି କମିଟିର ଅଧ୍ୟକ୍ଷ ରହିବେ। ସଡ଼କ, ଗ୍ରାମ୍ୟ ଉନ୍ନୟନ ଓ ଜାତୀୟ ରାଜପଥ ବିଭାଗର ଇଞ୍ଜିନିୟର-ଇନ୍-ଚିଫମାନେ ଏହାର ସଦସ୍ୟ ରହିବେ।

ସେହିପରି ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ପାଇଁ ଇଞ୍ଜିନିୟର-ଇନ୍-ଚିଫ୍ (ସଡ଼କ) କାର୍ଯ୍ୟାଳୟ ସ୍ତରରେ ଆଉ ଏକ ପୃଥକ ଇଇସି ଗଠନ କରାଯିବ। ଏହି କମିଟିରେ ଇଞ୍ଜିନିୟର-ଇନ୍-ଚିଫ୍ ଅଧ୍ୟକ୍ଷ ଥିବାବେଳେ ବିଭିନ୍ନ ଶାଖାର ମୁଖ୍ୟଯନ୍ତ୍ରୀମାନେ ସଦସ୍ୟ ରହିବେ।

ବଦଳି ନୀତି ଅନୁସାରେ ଇଞ୍ଜିନିୟରମାନେ ସାଧାରଣତଃ ଗୋଟିଏ ସ୍ଥାନରେ ତିନି ବର୍ଷ କାର୍ଯ୍ୟକାଳ ପୂରଣ କରିବା ପରେ ବଦଳି ହେବେ।। କୌଣସି ଅଧିକାରୀ ଏକ ରାଜସ୍ୱ ଜିଲ୍ଲାରେ ଛଅ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିଜ ଗୃହ ଜିଲ୍ଲାରେ ଅବସ୍ଥାପିତ କରାଯିବ ନାହିଁ।

ସେହିପରି ଓଡିଇଏସ କ୍ୟାଡରର ସହକାରୀ ଓ କନିଷ୍ଠ ଯନ୍ତ୍ରୀମାନେ ନିଜ ଘର ଉପଖଣ୍ଡରେ କାର୍ଯ୍ୟରତ ରହିପାରିବେ ନାହିଁ। ସରକାରଙ୍କ ମତରେ, କମିଟି ମାଧ୍ୟମରେ ବଦଳି ପ୍ରକ୍ରିୟା ପରିଚାଳିତ ହେଲେ ସ୍ୱଚ୍ଛତା ବୃଦ୍ଧି ପାଇବ, ମନମୁଖୀ ନିଷ୍ପତ୍ତିର ଅବକାଶ କମିବ ଏବଂ ଇଞ୍ଜିନିୟରିଂ ପ୍ରଶାସନରେ ଅଧିକ ଜବାବଦେହିତା ସୁନିଶ୍ଚିତ ହେବ।