ଭୁବନେଶ୍ୱର : କାଗଜପତ୍ରରେ ଚାଷୀଙ୍କୁ କୃଷି ଯନ୍ତ୍ରପାତି ବିକ୍ରି କରି କୋଟି କୋଟି ଟଙ୍କା ହାତେଇବା ଘଟଣାରେ କ୍ରାଇମବ୍ରାଞ୍ଚ ଜଣଙ୍କ ପରେ ଜଣଙ୍କୁ ବାନ୍ଧୁଥିବାବେଳେ ଆଗାମୀ ଏହି ସଂଖ୍ୟା ଢେର ବଢିବ । ଟ୍ରାକ୍ଟର ଠାରୁ ଆରମ୍ଭକରି ଧାନରୁଆ, ଧାନବୁଣା, ପାୱାରଟିଲର ଓ ଧାନଅମଳ ମେସିନ ବିକ୍ର୍ରିରେ ଏହି ଧରଣର ଜାଲିଆତିର ତାଲିକା ବଢିବାରେ ଲାଗିଛି ।
ରାଜ୍ୟ ସରକାର ଯାନ୍ତ୍ରିକ କୃଷି ଉପରେ ଜୋର ଦେଉଥିବାବେଳେ ଚାଷୀମାନେ କିଭଳି ଅଧିକରୁ ଅଧିକ ଯନ୍ତ୍ରପାତି ଖରିଦ କରିବେ ସେଥିପାଇଁ ସବ୍ସିଡ୍ ପ୍ରଦାନର ବ୍ୟବସ୍ଥା କରିଛନ୍ତି । ପ୍ରାୟ ସମସ୍ତ ପ୍ରକାର କୃଷି ଯନ୍ତ୍ରପାତି ଉପରେ ସରକାର ୫୦ ପର୍ଯ୍ୟନ୍ତ ରିହାତି ଦେଉଛନ୍ତି । ତେବେ ସରକାରଙ୍କର ଏହି ରିହାତି ଏବେ କେଳେଙ୍କାରୀର କାରଣ ପାଲଟିଛି । ବିଭିନ୍ନ କୃଷି ଯନ୍ତ୍ରପାତି ବିକ୍ରି କରୁଥିବା ଡିଲରମାନେ କାଗଜପତ୍ରରେ ଚାଷୀଙ୍କୁ ମିଛ ଯନ୍ତ୍ରପାତି ବିକି କୋଟି କୋଟି ଟଙ୍କା ସରକାରଙ୍କୁ ଚୂନ ଲଗାଇଛନ୍ତି ।
ତେବେ ଏଭଳି ଘଟଣା ପଦାକୁ ଆସିବାପରେ ରାଜ୍ୟ ସରକାର ଏହାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି । ଆଳୁ ଖୋଳୁ ମହାଦେବ ବାହାରିବା ଭଳି କ୍ରାଇମବ୍ରାଞ୍ଚ ଏବେ କୃଷି ଯନ୍ତ୍ରପାତି ଦୁର୍ନୀତିକୁ ଦେଖି ତାଟକା ହୋଇଯାଇଥିବା ସୂଚନା ମିଳିଛି । ଜଗତ୍ସିଂହପୁର ଜିଲ୍ଲାରୁ ପ୍ରାୟ ୬କୋଟି ଟଙ୍କା ସବସିଡ୍ ହଡପ କରିବା ଅଭିଯୋଗରେ ୩ଜଣଙ୍କୁ କ୍ରାଇମବ୍ରାଞ୍ଚ ବାନ୍ଧିବାପରେ ଏବେ ଭୁବନେଶ୍ୱରରୁ ଆଉ ଜଣେ ବନ୍ଧା ହୋଇଛନ୍ତି । ଭୁବନେଶ୍ୱରରୁ ବନ୍ଧା ହୋଇଥିବା ଅପରାଧି ପୁରୀ ଜିଲ୍ଲାରେ ଭୂତ ଚାଷୀଙ୍କୁ ଧାନରୁଆ ଯନ୍ତ୍ର ବିକିବା ନାଁରେ ପାଖାପାଖି ୭କୋଟି ଟଙ୍କା ହଡପ କରିଛନ୍ତି ।
ତେବେ ଯାହା ସୂଚନା ମିଳୁଛି ଓଡିଶାରେ କୃଷି ଯନ୍ତ୍ରପାତି ବିକ୍ରି କରୁଥିବା କମ୍ପାନୀଗୁଡିକ ଏବେ ଏଭଳି ଦୁର୍ନୀତି ଦେଖି ବି ଆଶ୍ଚର୍ଯ୍ୟ ହୋଇଛନ୍ତି । ଓଡିଶାରେ ସେମାନଙ୍କ କମ୍ପାନୀର ଯେତିକି କୃଷି ଯନ୍ତ୍ରପାତି ବିକ୍ରି ହୋଇଥିବା ବାହାରୁଛି ତାଙ୍କ କମ୍ପାନୀ ଓଡିଶାକୁ ସେତିକି ମେସିନ ବି ପଠାଇନାହିଁ । ସବସିଡ୍ ହଡପ ପାଇଁ ବହୁ ସ୍ଥାନରେ ଡିଲରମାନେ ଚାଷୀଙ୍କ ସହ ହାତ ମିଳାଇ ଏଭଳି କରୁଥିବାବେଳେ ଜିଲ୍ଲା କୃଷି ଅଧିକାରୀମାନେ ଏ କ୍ଷେତ୍ରରେ ନିରବତା ଅବଲମ୍ବନ କରୁଛନ୍ତି ।
କାଗଜପତ୍ରରେ ବ୍ୟାପକ କୃଷି ଯନ୍ତ୍ରପାତି ବିକ୍ରି ହେବା ଫଳରେ ରାଜ୍ୟରେ ଯାନ୍ତ୍ରିକ କୃଷି ଆଗଉଛି ବୋଲି ପରିସଂଖ୍ୟାନରେ ଦର୍ଶାଯାଉଛି । ହେଲେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । କ୍ରାଇମବ୍ରାଞ୍ଚ ଗିରଫଦାରୀରୁ ଏହା ସ୍ପଷ୍ଟ ହେବାରେ ଲାଗିଛି । ଯାହା ସୂଚନା ମିଳୁଛି ଜଗତ୍ସିଂହପୁର ଓ ଭୁବନେଶ୍ୱର ପରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଅନେକ ଏଭଳି ସବସିଡ୍ ହଡପକାରୀଙ୍କୁ ଖୁବଶୀଘ୍ର କ୍ରାଇମବ୍ରାଞ୍ଚ ବାନ୍ଧିବ ।
ତେବେ ରାଜ୍ୟରେ ଯେଉଁସବୁ କୃଷି ଯନ୍ତ୍ରପାତି ଚାଷୀଙ୍କ ନାଁରେ ବିକ୍ରି ହେଉଛି ଓ ଯାହା ଉପରେ ସରକାର ସବସିଡ୍ ପ୍ରଦାନ କରୁଛନ୍ତି ଚାଷୀଙ୍କ ନାମ ସହିତ ତାହାର ତାଲିକା କୃଷି ବିଭାଗ ୱେବସାଇଟ ସହିତ ପଞ୍ଚାୟତ ସ୍ତରରେ ପ୍ରଦର୍ଶନ କରାଯିବା ଆବଶ୍ୟକ । ଏହା ହେଲେ କେଉଁ ଚାଷୀ କେଉଁ ପ୍ରକାର ଯନ୍ତ୍ରପାତି କିଣି କେତେ ସବସିଡ୍ ନେଇଛନ୍ତି ସେହି ଅଞ୍ଚଳର ଅନ୍ୟ ଚାଷୀମାନେ ତାହା ଜାଣିବା ସହିତ ଏହାର ସହଯୋଗ ନେଇପାରିବେ । ଏହାଦ୍ୱାରା କାଗଜପତ୍ରରେ କୃଷି ଯନ୍ତ୍ରପାତି ବିକ୍ରି ଦ୍ୱାରା ସବସିଡ୍ ହଡପର ମାତ୍ରା ବି କମିବ ବୋଲି ଚାଷୀମାନେ ମତ ଦେଉଛନ୍ତି । (ତଥ୍ୟ)