Home General ଆହାର ଖର୍ଚ୍ଚ ବର୍ଷକୁ ୪୫ କୋଟି

ଆହାର ଖର୍ଚ୍ଚ ବର୍ଷକୁ ୪୫ କୋଟି

ଭୁବନେଶ୍ୱର : ବିଭିନ୍ନ ଆହାର କେନ୍ଦ୍ରରେ ଲୋକଙ୍କୁ ୫ଟଙ୍କିଆ ଭାତ ଡାଲମା ମିଲ୍‍ ଯୋଗାଣ ପାଇଁ ବର୍ଷକୁ ହାରାହାରି ଭାବେ ୪୫.୩୩ କୋଟି ଟଙ୍କା ବ୍ୟୟ ହେଉଛି । ଏହି ଅର୍ଥ ରାଜ୍ୟ ବଜେଟ୍‍ରୁ ବ୍ୟୟ କରାଯାଏ ନାହିଁ ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ।

ବିଜେଡି ବିଧାୟକ ମନୋହର ରନ୍ଧାରୀଙ୍କର ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ଆହାର ଯୋଜନାରେ ପ୍ରତିଦିନ ୧୧,୫୫୦ ଲୋକ ୫ଟଙ୍କାରେ ପେଟପୂରା ମିଲ୍‍ ୨ ଓଳି ଏବଂ ୬୯,୭୦୦ ଲୋକ ଏକ ଓଳି ଖାଉଛନ୍ତି । ରାଜ୍ୟରେ ବର୍ତ୍ତମାନ ୧୬୭ଟି ଆହାର କେନ୍ଦ୍ର ଅଛି ଏବଂ ପ୍ରତିଦିନ ୮୧,୨୫୦ ଲୋକଙ୍କୁ ଗରମ ରନ୍ଧା ଖାଦ୍ୟ ଦିଆଯାଉଛି । ଆହାର କେନ୍ଦ୍ର ପାଇଁ ବାର୍ଷିକ ହାରାହାରି ୪୫.୩୩ କୋଟି ଟଙ୍କା ଖର୍ଚ୍ଚ ହେଉଛି ।

ମନ୍ତ୍ରୀ କହିଛନ୍ତି ଯେ ଆହାର ଯୋଜନା ପାଇଁ ବଜେଟ୍‍ରୁ ଅର୍ଥ ବ୍ୟୟ କରାଯାଏ ନାହିଁ । ଆହାର କେନ୍ଦ୍ରର ପରିଚାଳନା ଓ ଖାଦ୍ୟ ସମ୍ବନ୍ଧରେ ତଦାରଖ ପାଇଁ ପ୍ରତ୍ୟେକ ଆହାର କେନ୍ଦ୍ରରେ ନୋଡାଲ ଅଫିସର ଅଛନ୍ତି । ପ୍ରତ୍ୟେକ ପୌରାଞ୍ଚଳରେ ଥିବା ସିଟି ମିଶନ ମ୍ୟାନେଜରମାନଙ୍କୁ ଜିଲ୍ଲା ଆହାର ମ୍ୟାନେଜର ଓ ଷ୍ଟେଟ ମିଶନ ମ୍ୟାନେଜରଙ୍କୁ ରାଜ୍ୟର ଆହର ମ୍ୟାନେଜର ଦାୟିତ୍ୱ ଦିଆଯାଇଛି ।

ଏହାଛଡା ବିଭିନ୍ନ ସମୟରେ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ରାଜ୍ୟ ସ୍ତରୀୟ ଅଧିକାରୀ ଆହାର କେନ୍ଦ୍ରଗୁଡିକ ପରିଦର୍ଶନ କରିଥାନ୍ତି । ତେବେ ନିକଟ ଭବିଷ୍ୟତରେ ନୂତନ ଆହାର କେନ୍ଦ୍ର ଖୋଲିବାର କୌଣସି ପ୍ରସ୍ତାବ ନାହିଁ । ଜିଲ୍ଲା ସ୍ତରରୁ ନୂତନ ଆହାର ଖୋଲିବାର ପ୍ରସ୍ତାବ ଆସିଲେ ତାହାର ବିଚାର କରାଯାଇପାରେ ।

ସେହିଭଳି ଆହାର କେନ୍ଦ୍ର ସଂକ୍ରାନ୍ତରେ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ପଚାରିଥିବା ଅନ୍ୟଏକ ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ୧୬୭ଟି ଆହାର କେନ୍ଦ୍ର ଅଛି ଏବଂ ସେ ସବୁରେ ପ୍ରତିଦିନ ୮୧,୨୫୦ଲୋକଙ୍କୁ ଗରମ ଭାତ ଡାଲମା ଦିଆଯାଉଛି । ସେଥି ମଧ୍ୟରୁ ୫୮ଟି ଆହାର କେନ୍ଦ୍ର ଯେଉଁଗୁଡିକ ଡାକ୍ତରଖାନା ନିକଟରେ ଅବସ୍ଥିତ, ସେଠାରେ ଉଭୟ ଦିନ ଓ ରାତିରେ ଖାଦ୍ୟ ଯୋଗାଇବାର ବ୍ୟବସ୍ଥା ଅଛି । ଆହାର କେନ୍ଦ୍ର ସଂଖ୍ୟା ବଢାଇବାକୁ ଓ ଖାଦ୍ୟରେ କୌଣସି ପରିବର୍ତ୍ତନ କରିବାପାଇଁ ବର୍ତ୍ତମାନ କିଛି ପ୍ରସ୍ତାବ ନଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)