Home News in Odia ଆଶା ଛାଡି ନାହାନ୍ତି ଅସନ୍ତୁଷ୍ଟ

ଆଶା ଛାଡି ନାହାନ୍ତି ଅସନ୍ତୁଷ୍ଟ

ଭୁବନେଶ୍ୱର : ଦଳୀୟ ଟିକଟରୁ ବଞ୍ଚିତ ହୋଇଥିବା ନେତାମାନେ ଏବେ ବି ଟିକଟ ପାଇବାର ଆଶା ଛାଡି ନାହାନ୍ତି । ଏଥିପାଇଁ କିଏ ସ୍ୱାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରୁଛି ତ ଆଉ କିଏ ସମର୍ଥକଙ୍କୁ ଏକାଠି କରି ନିଜ ନିଜର ଶକ୍ତି ପ୍ରଦର୍ଶନ କରୁଛି ।

ବିଜୁ ଜନତା ଦଳ ତାହାର ଦେବଗଡ ବିଧାନସଭା ପ୍ରାର୍ଥୀଙ୍କୁ ବଦଳାଇ ଦେଇଥିବାବେଳେ ବିଜେପି ତାହାର ରଣପୁର ପ୍ରାର୍ଥୀଙ୍କୁ ବଦଳାଇଛି । ସେହିଭଳି ବିଜେପି ନୀଳଗିରିରେ ଶେଷ ମୂହୂର୍ତ୍ତରେ ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ଦଳୀୟ ଟିକଟ ଦେଇ ଦେଇଛି । କଂଗ୍ରେସର ପୁରୀ ଲୋକସଭା ପ୍ରାର୍ଥୀନି ଟିକଟ ଫେରାଇଥିବାବେଳେ ସେଠାରେ କଂଗ୍ରେସ ପ୍ରାର୍ଥୀ ବଦଳାଇବାକୁ ଚିନ୍ତା କରୁଥିଲା ବୋଲି ଦଳର ଓଡିଶା ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି ।

ତେଣୁ ଏଭଳି ରାଜନୈତିକ ପାଣିପାଗକୁ ଦେଖି ଟିକଟରୁ ବଞ୍ଚିତ ହୋଇଥିବା ଅସନ୍ତୁଷ୍ଟମାନେ ବିଭିନ୍ନ ଉପାୟରେ ଚାପ ଜୋରଦାର କରୁଛନ୍ତି । ନିମାପଡାରେ ବିଜେଡି ଟିକଟରୁ ବଞ୍ଚିତ ହୋଇଥିବା ବିଧାୟକ ସମୀର ରଞ୍ଜନ ଦାସ ବାରମ୍ବାର ଶକ୍ତି ପ୍ରଦର୍ଶନ କରୁଛନ୍ତି । ତାଙ୍କ କଥା ବିଚାରକୁ ନେବାକୁ ସେ ବିଜେଡି କର୍ତ୍ତୃପକ୍ଷଙ୍କୁ କହୁଛନ୍ତି । ସେହିଭଳି ଖଣ୍ଡପଡା ଆସନରୁ ଦଳୀୟ ଟିକଟ ପାଇଁ ଆଶାବାନ୍ଧି ବସିଥିବା ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଟିକଟରୁ ବଞ୍ଚିତ ହେବାପରେ ସ୍ୱାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ ସହିତ ବିଜେଡି ବିରୁଦ୍ଧରେ ମୁହଁ ଖୋଲିଛନ୍ତି । ତାଙ୍କ କଥା ବିଜେଡି ବିଚାର କରିବାର ଆଶା ମଧ୍ୟ ସେ ରଖିଛନ୍ତି ।

କେବଳ ବିଜେଡି ନୁହେଁ, ବିଜେପି ଓ କଂଗ୍ରେସ ଟିକଟରୁ ବଞ୍ଚିତ ହୋଇଥିବା ଅନେକ ଆଶାୟୀ କାଳେ ଶେଷ ମୂହୂର୍ତ୍ତରେ ଦଳ ସେମାନଙ୍କ କଥା ବିଚାରକୁ ନେବ ସେଥିପାଇଁ ଆଶା ବାନ୍ଧିଛନ୍ତି । ଅନେକ ନିଜ ନିଜ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରୁଥିବାବେଳେ ଆଉ କେତେକ ଦଳ ବିରୁଦ୍ଧରେ ପାଟି ଖୋଲୁ ନାହାନ୍ତି । ସେମାନଙ୍କ ମଧ୍ୟରୁ କେତେକ ରାଜଧାନୀରେ ଡେରା ପକାଇଥିବା ଦେଖିବାକୁ ମିଳୁଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ସରିଥିବାବେଳେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ୧୨ଟି ଲୋକସଭା ଓ ଏହା ଅଧିନରେ ଥିବା ୮୪ ବିଧାନସଭା କ୍ଷେତ୍ରରେ ନାମାଙ୍କନ ବାକି ରହିଛି । ହାତରେ ସମୟ ଥିବାରୁ କାଳେ ଦଳ ସେମାନଙ୍କ କଥା ବିଚାରକୁ ନେବ ଓ ଶେଷ ମୂହୂର୍ତ୍ତରେ ଟିକଟ ପ୍ରଦାନ କରିବ ସେଥିପାଇଁ ଅସନ୍ତୁଷ୍ଟମାନେ ଚାପ ବଢାଇବାରେ ଲାଗିଛନ୍ତି । ଏଥିରେ ସଫଳ ନହେଲେ ଅନେକ ବରିଷ୍ଠ ନେତା ଶେଷ ମୂହୂର୍ତ୍ତରେ ଦଳ ଡେଇଁବାର ଯୋଜନା କରୁଥିବା ସୂଚନା ମିଳୁଛି ।

ସେହିଭଳି କଂଗ୍ରେସ ଓ ବିଜେପି ଯେଭଳି ଭାବେ ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଟିକଟ ଫେରସ୍ତ କରୁଛନ୍ତି ତାହାକୁ ଦେଖି ଟିକଟ ପାଇଁ ପ୍ରଚାରରେ ମାତିଥିବା ଅନେକ ନେତା ବି ଆଶା ଆଶଙ୍କାରେ ରହିଛନ୍ତି । ଯେହେତୁ ଏବେ ବି ଭେଟେରାନମାନଙ୍କର ମିଶ୍ରଣ ପର୍ବ ଜାରି ରହିଛି ତେଣୁ ଶେଷ ମୂହୂର୍ତ୍ତରେ ଅନେକ ପ୍ରାର୍ଥୀଙ୍କ ଟିକଟ ଫେରସ୍ତ ହୋଇ ନୂଆ ମୁହଁ ଦିଆଯିବା ନେଇ ଏବେ ଆଲୋଚନା ଜୋର ଧରିଛି । (ତଥ୍ୟ)