Home Agriculture ଆଶା ଆଶଙ୍କାରେ କୁକୁଡା ଚାଷୀ

ଆଶା ଆଶଙ୍କାରେ କୁକୁଡା ଚାଷୀ

ଭୁବନେଶ୍ୱର : ରାଜ୍ୟର କୁକୁଡା ଚାଷୀଙ୍କୁ କମ୍ପାନୀମାନେ ଦେଉଥିବା ପ୍ରାପ୍ୟକୁ ନେଇ ବିବାଦ ବଢୁଥିବାରୁ ରାଜ୍ୟରେ କୁକୁଡାଚାଷ ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି । ସଂଘ ମଧ୍ୟରେ ଏକତା ନଥିବାରୁ ଅନେକ କମ୍ପାନୀ ଓଡିଶାରେ କୁକୁଡାଚାଷକୁ ମୁହଁ ଫେରାଇ ପାରନ୍ତି ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି ।

ରାଜ୍ୟରେ ଥିବା ଅଧିକାଂଶ କୁକୁଡା ଚାଷୀଙ୍କୁ ବିଭିନ୍ନ କମ୍ପାନୀ କୁକୁଡା ଚିଆଁ ଠାରୁ ଆରମ୍ଭ କରି ଦାନା, ଔଷଧ ଆଦି ଯୋଗାଇଥାନ୍ତି । କୁକୁଡା ବଡ ହେବାପରେ ତାହାକୁ କମ୍ପାନୀ ନେଇଯିବା ସହିତ କୁକୁଡାର ଲାଳନପାଳନ, ଘରଭଡା ଆଦି ବାବଦରେ ଚାଷୀଙ୍କୁ କିଲୋପିଛା ଅର୍ଥ ପ୍ରଦାନ କରିଥାନ୍ତି । ତେବେ ବଜାର ଦରବୃଦ୍ଧିକୁ ଦେଖି କିଛିଦିନ ହେଲା କୁକୁଡା ଚାଷୀମାନେ ଏହି ପ୍ରାପ୍ୟ ବଢାଇବାକୁ ଦାବି କରିଥିଲେ ।

କେତେକ କୁକୁଡା ଚାଷୀଙ୍କ ସୂଚନା ଅନୁଯାୟୀ ବଜାର ସ୍ଥିତି ଓ ଚାଷୀଙ୍କ ଦାବିକୁ ଦେଖି କମ୍ପାନୀମାନେ ଦେଉଥିବା ପ୍ରାପ୍ୟ ପରିମାଣ ୧୫ ପ୍ରତିଶତ ବଢାଇବାକୁ ରାଜି ହୋଇଥିଲେ । ହେଲେ ଇତି ମଧ୍ୟରେ କୁକୁଡା ଚାଷୀଙ୍କ ଗୋଟିଏ ସଂଘ ଏହି ପ୍ରାପ୍ୟ ପରିମାଣ ଆହୁରି ବଢାଇବାପାଇଁ ଦାବି କରୁଛନ୍ତି, ଯାହାକୁ କମ୍ପାନୀମାନେ ଗ୍ରହଣ କରିବାକୁ ନାରାଜ ।

ରାଜ୍ୟରେ କୁକୁଡା ଚାଷରେ ପୁଞ୍ଜି ଖଟାଇଥିବା କମ୍ପାନୀମାନେ ଓଡିଶା ବ୍ୟତିତ ଅନ୍ୟ ରାଜ୍ୟରେ ବି କୁକୁଡା ଚାଷ କରୁଛନ୍ତି । ଯଦି ସେମାନେ ଓଡିଶାରେ ଚାଷୀଙ୍କ ପ୍ରାପ୍ୟ ବଢାଇବେ ତାହାର ପ୍ରଭାବ ଅନ୍ୟ ରାଜ୍ୟରେ ପଡିବ ଓ ସେଠାରେ ମଧ୍ୟ ଚାଷୀମାନେ ଅନୁରୂପ ଦାବି କରିବେ । ତେଣୁ ସେମାନେ ଏବେ ସଂଘ ନେତାଙ୍କ ଦାବିକୁ ନେଇ ଚିନ୍ତାରେ ଅଛନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟର କୁକୁଡାଚାଷୀମାନେ ଏଭଳି ସ୍ଥିତିରେ ଚାଷ ପ୍ରଭାବିତ ହେବାନେଇ ଆଶଙ୍କା ପ୍ରକାଶ କରିଛନ୍ତି । କିଛି ଅଗ୍ରଣୀ କୁକୁଡାଚାଷୀଙ୍କ କହିବାକଥା ଯେ କମ୍ପାନୀମାନେ କେବଳ ପୁଞ୍ଜି ନିବେଶ କରୁନାହାନ୍ତି, କୁକୁଡା ଗୁଡିକୁ ନେଇଯାଉଥିବା ଯୋଗୁଁ ଚାଷୀଙ୍କର ବଜାର ଚିନ୍ତା ନାହିଁ । କାରଣ କୁକୁଡାଗୁଡିକ ବଡ ହେବାପରେ ସେଗୁଡିକୁ ବଜାରରେ ବିକ୍ରି କରିବା ହିଁ ମୁଖ୍ୟ ସମସ୍ୟା ।

ରାଜ୍ୟରେ କୁକୁଡା ଚାଷକୁ ନେଇ ଚାଷୀ ସଂଘ ଓ କମ୍ପାନୀମାନେ ଯେଭଳି ମୁହାଁମୁହିଁ ହୋଇଛନ୍ତି ସେଥିରେ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବା ଆବଶ୍ୟକ । ନହେଲେ ରାଜ୍ୟ ବାହାରର ବଡ ବଡ କମ୍ପାନୀମାନେ ଯଦି ଏହି ଆଳରେ ଓଡିଶାରୁ ମୁହଁ ଫେରାଇବେ ତେବେ ଗାଁ ଗହଳରେ ଥିବା ଶହ ଶହ କୁକୁଡା ଫାର୍ମ କେବଳ ବନ୍ଦ ହେବନାହିଁ, ରାଜ୍ୟରେ କୁକୁଡା ମାଂସର ଉତ୍ପାଦନ ହ୍ରାସ ସହିତ ଏହାର ଦର ବି ଆକାଶଛୁଆଁ ହୋଇଯିବ । ଏହାକୁ ନେଇ ଏବେ ରାଜ୍ୟର ଅନେକ କୁକୁଡାଚାଷୀ ଆଶା ଓ ଆଶଙ୍କାରେ ରହିଛନ୍ତି । (ତଥ୍ୟ)