Home Agriculture ଚାଷୀଙ୍କୁ ମିଳିବ ୭୫୦୦ କୋଟିର ରବି ଋଣ

ଚାଷୀଙ୍କୁ ମିଳିବ ୭୫୦୦ କୋଟିର ରବି ଋଣ

ଭୁବନେଶ୍ୱର : ଚଳିତ ରବି ଋତୁରେ ଚାଷୀମାନଙ୍କୁ ୭୫୦୦ କୋଟି ଟଙ୍କାର ଋଣ ଦେବାପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ୨୦୧୯-୨୦ ରବି ଋତରେ ଚାଷୀଙ୍କୁ ୫୭୪୦.୫୬ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିବାବେଳେ ୨୦୨୧-୨୨ ରବି ଋତୁରେ ଏହି ପରିମାଣ ୬୮୬୮.୮୭ କୋଟି ଟଙ୍କା ଥିଲା ।

୨୦୨୧-୨୨ ରବି ଋତୁରେ ଚାଷୀଙ୍କୁ ୬୫୦୦ କୋଟି ଟଙ୍କାର ଋଣ ପ୍ରଦାନ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା । ତେବେ ଋଣ ପ୍ରଦାନ ସମୟରେ ଏହି ପରିମାଣ ୭୩୫୨.୪୬ କୋଟ ଟଙ୍କାକୁ ବଢିଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଚଳିତ ରବି ଋତୁରେ ୭୫୦୦ କୋଟି ଟଙ୍କାର ଋଣପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ଏଥି ମଧ୍ୟରେ ବରଗଡ ଜିଲ୍ଲାପାଇଁ ସର୍ବାଧିକ ୬୫୦କୋଟି ଟଙ୍କାର ଋଣ ଥିବାବେଳେ ଏହା ପଛକୁ କେନ୍ଦ୍ରାପଡା ପାଇଁ ୬୦୦ କୋଟି ଟଙ୍କା ରହିଛି । ସେହିଭଳି ସୁନ୍ଦରଗଡ ପାଇଁ ୫୫୦କୋଟି, ଗଞ୍ଜାମ ପାଇଁ ୪୩୦, ଯାଜପୁର ପାଇଁ ୪୧୦, ବାଲେଶ୍ୱର ପାଇଁ ୪୦୦, ଖୋରଧା ପାଇଁ ୩୯୦, କଟକ ପାଇଁ ୩୩୦ ଏବଂ ଭଦ୍ରକ ପାଇଁ ୩୦୦ କୋଟି ଟଙ୍କାର ଋଣ ରହିଛି ।

ଅନୁରୂପ ଭାବେ ଅନୁଗୁଳ ଜିଲ୍ଲାକୁ ୨୮୦କୋଟିର ରବି ଋଣ ଦେବାପାଇଁ ସ୍ଥିର ହୋଇଥିବାବେଳେ ଢେଙ୍କାନାଳକୁ ୧୮୦କୋଟି, ଗଜପତିକୁ ୩୦କୋଟି, କଳାହାଣ୍ଡିକୁ ୧୫୦କୋଟି, ନୂଆପଡାକୁ ୫୦, ସୋନପୁରକୁ ୧୩୦, ବୌଦ୍ଦକୁ ୧୨୦, କନ୍ଧମାଳକୁ ୬୦, ଜଗତ୍‍ସିଂହପୁର ପାଇଁ ୨୦୦ କୋଟି, କେନ୍ଦୁଝର ପାଇଁ ୨୫୦, କୋରାପୁଟ ପାଇଁ ୧୭୦, ମାଲକାନଗିରି ପାଇଁ ୭୫ ଏବଂ ନବରଙ୍ଗପୁର ଜିଲ୍ଲାପାଇଁ ୧୩୦ କୋଟି ଟଙ୍କା ଧାର୍ଯ୍ୟ ହୋଇଛି ।

ନୟାଗଡ ଜିଲ୍ଲାର ଚାଷୀମାନଙ୍କୁ ୨୩୦ କୋଟି ଟଙ୍କାର ଋଣ ବଣ୍ଟାଯିବାକୁ ଥିବାବେଳେ ରାୟଗଡାର ଚାଷୀଙ୍କୁ ୮୫କୋଟି, ମୟୁରଭଞ୍ଜ ଚାଷୀଙ୍କୁ ୨୮୦, ସମ୍ବଲପୁର ଚାଷୀଙ୍କୁ ୨୬୦, ଝାରସୁଗୁଡା ଚାଷୀଙ୍କୁ ୧୧୦, ଦେବଗଡ ଚାଷୀଙ୍କୁ ୧୧୦୦ ଏବଂ ପୁରୀ ଜିଲ୍ଲା ଚାଷୀଙ୍କୁ ୧୭୦ କୋଟିର ଋଣ ପ୍ରଦାନ କରାଯିବ । ଅଧିକରୁ ଅଧିକ ଯୋଗ୍ୟ ନୂଆ ଚାଷୀମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ଦେବାପାଇଁ ସମବାୟ ସଚିବ ସଞ୍ଜିବ କୁମାର ଚଢା ଜିଲ୍ଲାପାଳମାନଙ୍କୁ କହିଛନ୍ତି ।

୨୦୨୨ ଖରିଫ ଋତୁରେ ଚାଷୀଙ୍କୁ ୯୦୦୦ କୋଟି ଟଙ୍କାର ଋଣ ପ୍ରଦାନ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ସେପ୍ଟେମ୍ବର ଶେଷ ସୁଦ୍ଧା ସମବାୟ ସଂସ୍ଥା ଦ୍ୱାରା ସର୍ବକାଳୀନ ରେକର୍ଡ ପରିମାଣ ୬୫୯୪.୪୪ କୋଟି ଟଙ୍କାର ଋଣ ଦିଆଯାଇଥିଲା । ସମବାୟ ସଂସ୍ଥାଗୁଡିକ ଦ୍ୱାରା ଦିଆଉଥିବା ସ୍ୱଳ୍ପକାଳୀନ ଋଣ ଚାଷୀଙ୍କୁ ସହାୟତା ସହିତ ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧିରେ ସହାୟକ ହେବ । ଉଲ୍ଲେଖନୀୟ ଯେ ଚଳିତ ଏପ୍ରିଲ ମାସରୁ ଚାଷୀମାନଙ୍କୁ ବିନା ସୁଦ୍ଧରେ ମିଳୁଥିବା ଋଣ ପରିମାଣକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ପରିମାଣ ୫୦ହଜାର ଟଙ୍କା ଥିଲା । (ତଥ୍ୟ)