Home Agriculture ଆଳୁ ଉତ୍ପାଦନ ୧୦ଲକ୍ଷ ଟନ୍‍ କମ୍‍

ଆଳୁ ଉତ୍ପାଦନ ୧୦ଲକ୍ଷ ଟନ୍‍ କମ୍‍

ଭୁବନେଶ୍ୱର : ରାଜ୍ୟରେ ଯେତିକି ଆଳୁ ଆବଶ୍ୟକ ତାହାଠାରୁ ପ୍ରାୟ ୧୦ଲକ୍ଷ ଟନ୍‍ କମ ଆଳୁ ଉତ୍ପାଦନ ହେଉଛି । ଚାହିଦା ଠାରୁ ଅଧିକ ପିଆଜ ରାଜ୍ୟରେ ଉତ୍ପାଦନ କରାଯାଉଛି । ତେବେ ଉଭୟ ଆଳୁ ଓ ପିଆଜ ଓଡିଶାକୁ ବର୍ଷସାରା ଅନ୍ୟ ରାଜ୍ୟରୁ ଆମଦାନୀ ହେବାରେ ଲାଗିଛି ।

ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉତ୍ପାଦନ ନେଇ ହୋଇଥିବା ଆକଳନରୁ ଜଣାଯାଇଛି ଯେ ୨୦୨୧ରେ ହୋଇଥିବା ଆକଳନ ଅନୁଯାୟୀ ଓଡିଶାରେ ବର୍ଷକୁ ୧୩.୫ ଲକ୍ଷ ମେଟ୍ରିକ ଟନ୍‍ ଆଳୁ ଏବଂ ୩.୫୫ ଲକ୍ଷ ମେଟ୍ରିକ ଟନ୍‍ ପିଆଜର ଆବଶ୍ୟକତା ରହିଛି । ତେବେ ୨୦୧୧-୨୨ ମସିହାରେ ଓଡିଶାରେ ମାତ୍ର ୩.୨୫ ଲକ୍ଷ ଟନ୍‍ ଆଳୁ, ୩.୬୮ଲକ୍ଷ ଟନ୍‍ ପିଆଜ ଉତ୍ପାଦନ ହୋଇଛି । ଏଥିରୁ ଲକ୍ଷ୍ୟ କରାଯାଇଛି ଯେ ପିଆଜର ଉତ୍ପାଦନ ରାଜ୍ୟରେ ଆବଶ୍ୟକତା ଠାରୁ ଢେର ଅଧିକ ହେଉଛି ।

ତେବେ ଏହିସବୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ଯେଭଳି ଓଡିଶା ଆତ୍ମନିର୍ଭର ହେବ ସେଥିପାଇଁ ରାଜ୍ୟରେ ଆଳୁ, ପନିପରିବା ଏବଂ ମସଲା ଉନ୍ନୟନ ନାମକ ଏକ ଯୋଜନା କାର୍ଯକାରୀ କରାଯାଉଛି । ଏହି ଯୋଜନାରେ ୨୦୦୭-୦୮ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ଅର୍ଥ ବ୍ୟବସ୍ଥା ହେଉଛି ତାହା ପ୍ରାୟତଃ ସମ୍ପୂର୍ଣ୍ଣ ବ୍ୟୟ ହୋଇଯାଉଛି ।

ଏହି ଯୋଜନାରେ ୨୦୦୭-୦୮ ବର୍ଷରେ ବଜେଟ୍‍ରେ ଏକ କୋଟି ୪୫ଲକ୍ଷ ୨୨ହଜାର ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ୨୦୧୫-୧୬ ବେଳକୁ ତାହା ୧୯କୋଟି ୨୩ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା । ୨୦୨୨-୨୩ ବର୍ଷରେ ଏହି ପରିମାଣ ୧୫୬କୋଟି ୪୦ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ମାର୍ଚ୍ଚ ୧୭ତାରିଖ ସୁଦ୍ଧା ୧୩୧କୋଟି ୪୦ଲକ୍ଷ ଟଙ୍କା ଖର୍ଚ୍ଚହୋଇ ସାରିଲାଣି ।

ରାଜ୍ୟକୁ ଆଳୁ, ପିଆଜ ଏବଂ ରସୁଣରେ ଆତ୍ମନିର୍ଭରଶୀଳ କରିବପାଇଁ ରାଜ୍ୟ ସରକାର ଏକ ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତ କରିଛନ୍ତି । ସେହି ଯୋଜନା ଅନୁଯାୟୀ କୃଷକମାନଙ୍କୁ ଆଳୁ, ପିଆଜ ଚାଷ ପାଇଁ ହେକ୍ଟର ପ୍ରତି ୫୮ହଜାର ଟଙ୍କା ଏବଂ ରସୁଣ ଚାଷପାଇଁ ହେକ୍ଟର ପ୍ରତି ୮୨ହଜାର ଟଙ୍କାର ସହୟତା ସରକାର ଯୋଗାଇ ଦେଉଛନ୍ତି । ଏହାଛଡା ଖଣି ଋତୁରେ ଆଳୁ ଓ ପିଆଜ ଚାଷକୁ ବ୍ୟାପକ କରିବାପାଇଁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଉଛନ୍ତି । (ତଥ୍ୟ)