ଭୁବନେଶ୍ୱର : ଜାପାନର ନିପନ କମ୍ପାନୀର ଓଡିଶାରେ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ଯୋଜନା ଆଗକୁ ବଢୁଥିବାବେଳେ ରାଜ୍ୟର ଯୁବକ ଯୁବତୀଙ୍କ ନିଯୁକ୍ତିକୁ ଦୃଷ୍ଟିରେ ରଖି ଓଡିଶା ସରକାର ପୁଣିଥରେ ଜାପାନୀ ସମେତ ଫ୍ରେଞ୍ଚ ଭାଷା ଶିକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ପୂର୍ବରୁ ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ୍)ରେ ଏହି ଦୁଇ ବିଦେଶୀ ଭାଷାର ପ୍ରଶିକ୍ଷଣ ପ୍ରଦାନ କରାଯାଉଥିଲା ।
ଓକାକ୍ରେ ଦିଆଯାଉଥିବା ଏହି ବିଦେଶୀ ଭାଷାରେ ପ୍ରଶିକ୍ଷଣ ନେଇ ଅନେକ ଯୁବକ ଯୁବତୀ ଏବେ ଦେଶ ବିଦେଶରେ ଭଲ ନିଯୁକ୍ତି ପାଇଛନ୍ତି । ବିଶେଷକରି ଆଇଟି କ୍ଷେତ୍ରରେ ନିଯୁକ୍ତି ପାଇବାରେ ବିଦେଶୀ ଭାଷା ଶିକ୍ଷା ବେଶ୍ ସହାୟକ ହୋଇଛି । ତେବେ କୌଣସି କାରଣ ଯୋଗୁଁ ଏହି ସରକାରୀ ସଂସ୍ଥା ବିଦେଶୀ ଭାଷା ଶିକ୍ଷା ପ୍ରଦାନକୁ ବନ୍ଦକରି ଦେଇଥିଲା ।
ଏବେ ବିଦେଶୀ ଶିଳ୍ପପତି ବିଶେଷକରି ଜାପାନର ଶିଳ୍ପସଂସ୍ଥାମାନେ ଓଡିଶା ମୁହାଁ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଓକାକ୍ ପୁଣିଥରେ ବିଦେଶୀ ଭାଷା ପ୍ରଶିକ୍ଷଣ ଲାଗି ଆଗ୍ରହ ପ୍ରକାଶ କରୁଥିବାର ସୂଚନା ମିଳିଛି । ଏହି ଦୁଇ ବିଦେଶୀ ଭାଷାରେ ପ୍ରଶିକ୍ଷଣ ପାଇଲେ ଯୁବକ ଯୁବତୀମାନଙ୍କ ନିଯୁକ୍ତି ପାଇଁ ଏହା ବେଶ୍ ସହାୟକ ହେବବୋଲି ଆକଳନ କରାଯାଉଛି ।
ପୂର୍ବରୁ ଛାତ୍ରଛାତ୍ରୀମାନେ ମାତ୍ର ୬ହଜାର ଟଙ୍କା ବିନିମୟରେ ଏହିଭଳି ବିଦେଶୀ ଭାଷା ସହଜରେ ଶିଖି ପାରୁଥିଲେ । ବର୍ତ୍ତମାନ ଯେଉଁ କେତୋଟି ଘରୋଇ ସଂସ୍ଥାରେ ବିଦେଶୀ ଭାଷର ତାଲିମ ଦେବାର ବ୍ୟବସ୍ଥା ରହିଛି ସେଠାରେ ବେଶ୍ ଅଧିକ ଅର୍ଥ ନିଆଯାଉଥିବାରୁ ଛାତ୍ରଛାତ୍ରୀମାନେ ଏଥି ପ୍ରତି ମଙ୍ଗୁ ନାହାନ୍ତି । ତେଣୁ ଓକାକ ପୁଣିଥରେ ଏହି ବିଦେଶୀ ଭାଷା ତାଲିମ କାର୍ଯ୍ୟକ୍ରମ ଆରମ୍ଭ କଲେ ତାହା ବେଶ୍ ସହାୟକ ହେବ ବୋଲି ଛାତ୍ରଛାତ୍ରୀମାନେ ମତ ଦେଉଛନ୍ତି ।
କେବଳ ଜାପାନ ଶିଳ୍ପ ସଂସ୍ଥା ନୁହନ୍ତି ନିକଟରେ ରାଜ୍ୟ ସରକାର ୟୁରୋପରେ ଅନୁଷ୍ଠିତ ଦକ୍ଷତା ବିକାଶ ସମ୍ମିଳନୀରେ ଅଂଶଗ୍ରହଣ କରିବାପରେ ୟୁରୋପୀୟ ଶିଳ୍ପସଂସ୍ଥାମାନେ ମଧ୍ୟ ଓଡିଶାରେ ପୁଞ୍ଜିନିବେଶ କରିବାର ସୁଯୋଗ ସୃଷ୍ଟି ହୋଇଛି । ସେହିଭଳି ରାଜ୍ୟ ସରକାର ମଧ୍ୟ ସିଙ୍ଗାପୁର ଓ ଦୁବାଇ ଭଳି ଦେଶରେ ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜି ଆକର୍ଷଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ଏହିସବୁ ଦେଶରୁ ଯଦି ବିଦେଶୀ ପୁଞ୍ଜି ଆସିବ ତେବେ ଜାପାନୀ ଓ ଫ୍ରେଞ୍ଚ ଭଳି ଭାଷା ଶିକ୍ଷା କରିଥିବା ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ମିଳିବ । ତେଣୁ ରାଜ୍ୟ ରାଜ୍ୟ ସରକାର ବିଦେଶୀ ଭାଷା ପ୍ରଶିକ୍ଷଣ ପାଇଁ ପୁଣିଥରେ ଉଦ୍ୟମ ଆରମ୍ଭ କରିଥିବାରୁ ଛାତ୍ରଛାତ୍ରୀମାନେ ଖୁସିବ୍ୟକ୍ତ କରିଛନ୍ତି । (ତଥ୍ୟ)