Home Health ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା

ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା

ଭୁବନେଶ୍ୱର : ରାଜ୍ୟରେ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ ହେବ । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏଥିପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ଏହି ସେବା କାର୍ଯ୍ୟକାରୀ ହେଲେ ରାଜ୍ୟର ଦୁର୍ଗମ ଅଞ୍ଚଳର ଗୁରୁତର ରୋଗୀଙ୍କୁ ଅଗ୍ରଣୀ ମେଡିକାଲ କଲେଜରେ ଆଧୁନିକ ଚିକିତ୍ସାସେବା ଯୋଗାଇ ଦିଆଯାଇ ପାରିବ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟ ସରକାର ଗତ ସେପ୍ଟେମ୍ବର ୨୦୨୧ରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଆରମ୍ଭ କରିଥିଲେ । ଏହି ସେବା ଜରିଆରେ ବିଶେଷଜ୍ଞ ଡାକ୍ତରମାନଙ୍କୁ ନୂଆପଡା, କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରିକୁ ପଠାଉଛନ୍ତି । ସେମାନେ ସେଠାକୁ ଯାଇ ଦୁର୍ଗମ ଇଲାକାରେ ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ହେଲିକାପ୍ଟର ଜରିଆରେ ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଇବାପାଇଁ ବ୍ୟବସ୍ଥା କରୁଥିବା ଜଣାଯାଇଛି ।

ଏହି ହେଲିକାପ୍ଟରରେ ସମସ୍ତ ପ୍ରକାର ଜୀବନ ରକ୍ଷାକାରୀ ବ୍ୟବସ୍ଥା ରହିବ । ଆବଶ୍ୟକସ୍ଥଳେ ଗୁରୁତର ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ଆଣି ଭୁବନେଶ୍ୱର ଏମ୍‍ସ, କଟକର ଏସ୍‍ସିବି, ବ୍ରହ୍ମପୁରର ଏମକେସିଜି କିମ୍ବା ବୁର୍ଲାର ଭିମ୍‍ସାରରେ ତୁରନ୍ତ ଚିକିତ୍ସାସେବା ଯୋଗାଇ ଦିଆଯାଇ ପାରିବ । ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ କେବଳ ରୋଗୀସେବା ନୁହେଁ ନିକଟରେ ଘଟିଥିବା ବାହାନଗା ରେଳ ଦୁର୍ଘଟଣା ଭଳି ବିପତ୍ତି ସମୟରେ ଅନେକ ବହୁମୂଲ୍ୟ ଜୀବନକୁ ରକ୍ଷା କରାଯାଇ ପାରିବ ।

ଦେଶରେ ଏୟାର ଆମ୍ବୁଲାନ୍ସ ସେବା ଘରୋଇ ସଂସ୍ଥାମାନେ ଯୋଗାଇଥାନ୍ତି । ବିଶେଷକରି ବଡ ବଡ ସୁପରସ୍ପେଶିଆଲିଷ୍ଟ ଡାକ୍ତରଖାନାଗୁଡିକ ଏଥିପାଇଁ ନିଜସ୍ୱ ବିମାନ ଓ ହେଲିକାପ୍ଟର ରଖିଛନ୍ତି । କିନ୍ତୁ ସରକାରୀ ସ୍ତରରେ ଓଡିଶା ସରକାର ଏଭଳି ସେବା ଯୋଗାଇବାପାଇଁ ପଦକ୍ଷେପ ନେଉଥିବା ସୂଚନା ମିଳିଛି ।

ଏହି ହେଲିକାପ୍ଟର ଆମ୍ବୁଲାନ୍ସ ସେବା ପାଇଁ ତିନିଟି ମେଡିକାଲ କଲେଜ ଯଥା କଟକର ଏସସିବି, ବୁର୍ଲାର ଭିମସାର ଏବଂ ବ୍ରହ୍ମପୁରର ଏମକେସିଜି ସହିତ ଭୁବନେଶ୍ୱର ଏମ୍‍ସର ଥିବା ହେଲିପ୍ୟାଡକୁ ବ୍ୟବହାର କରାଯାଇ ପାରିବ । ତେବେ ଏକ ଇଞ୍ଜିନ ବିଶିଷ୍ଟ ଏହି ହେଲିକାପ୍ଟର ଆମ୍ବୁଲାନ୍ସଟି କେଉଁ ମେଡିକାଲ ପରିସରରେ କେତେବେଳେ ରହିବ ତାହାର ସମସ୍ତ ଅଧିକାର ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ନିକଟରେ ରହିବ । ସମସ୍ତ ପ୍ରକାର ଜୀବନ ରକ୍ଷାକାରୀ ଉପକରଣ ସଜ୍ଜିତ ଥିବା ଏହି ହେଲିକାପ୍ଟର ଆମ୍ବୁଲାନ୍ସ ଜଣେ ରୋଗୀ ଏବଂ ଦୁଇଜଣ ଚିକିତ୍ସକଙ୍କୁ ନେଇ ଆକାଶପଥରେ ପରିବହନ କରିପାରିବ ।

ରାଜ୍ୟ ସରକାର ଏହି ଟେଣ୍ଡର ଜାରି କରିବା ସହିତ ଆଗ୍ରହୀ ସଂସ୍ଥାମାନେ ନିଜକୁ ଓଡିଶା ସରକାରଙ୍କ ଇ-ପୋର୍ଟାଲରେ ନିଜକୁ ପଞ୍ଜିକୃତ କରିବା ସହିତ ସେମାନଙ୍କ କମ୍ପାନୀ ସଂକ୍ରାନ୍ତରେ ସୁବିସ୍ତୃତ ସୂଚନା ଦେବାକୁ କୁହାଯାଇଛି । (ତଥ୍ୟ)