ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ଆବାସିକ ଅଞ୍ଚଳରେ ଏବେ ଆପାର୍ଟମେଣ୍ଟ ନିର୍ମାଣ ସ୍ଥାନୀୟ ଅଧିବାସୀଙ୍କ ଲାଗି କାଳ ହେଲାଣି । ଲୋକେ ସଡକ ଠାରୁ ଆରମ୍ଭ କରି ସ୍ୱରେଜ ସମସ୍ୟାରେ ଲୋକେ ଘାଣ୍ଟି ହେଉଥିବାବେଳେ ଏଭଳି ଆପାର୍ଟମେଣ୍ଟକୁ କିଭଳି ଅନୁମତି ମିଳୁଛି ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ।
ବିଡିଏ, ହାଉସିଂବୋର୍ଡ, ସାଧାରଣ ପ୍ରଶାସନ ଭଳି ସରକାରୀ ସଂସ୍ଥାରୁ ଯେଉଁମାନେ ରାଜଧାନୀରେ ଘରଟିଏ କରିବାପାଇଁ ଜମିଖଣ୍ଡେ ସରକାରୀ ଦରରେ ନେଇଥିଲେ ସେମାନେ ଏବେ ସେହି ଜମିକୁ ବେପାରୀଙ୍କ ହାତରେ ଟେକି ଦେଉଛନ୍ତି । ବ୍ୟବସାୟୀମାନେ ରାତାରାତି ସେଠାରେ ୪/୫ ମହଲାର ଆପାର୍ଟମେଣ୍ଟ ଛିଡା କରାଇ ଦେଉଛନ୍ତି । ଏହି କୋଠାରୁ ମୂଳ ଜମି ମାଲିକ ତାଙ୍କ ଭାଗ ବାବଦକୁ କିଛି ଘର ବିନାମୂଲ୍ୟରେ ନେବାପରେ ଅବଶିଷ୍ଟ ଘରକୁ ବ୍ୟବସାୟୀମାନେ ବିକ୍ରିକରି ମାଲେମାଲ ହେଉଛନ୍ତି ।
ତେବେ ଯେଉଁ ସ୍ଥାନରେ ଗୋଟିଏ କିମ୍ବା ଦୁଇଟି ପରିବାର ଚଳିବାପାଇଁ ସରକାର ଜମି ଯୋଗାଇ ଦେଇଥିଲେ ସେଠାରେ ହଠାତ୍ ୧୫/୨୦ ପରିବାର ବସବାସ କରୁଛନ୍ତି । ସେମାନଙ୍କର ମାଳ ମାଳ ଗାଡି ସହିତ ଆବଶ୍ୟକ ପାଣି, ବିଦ୍ୟୁତ୍ ଓ ସ୍ୱରେଜ ଲାଇନ୍କୁ ନେଇ ଗୁରୁତର ସମସ୍ୟା ଦେଖାଯାଉଛି । କାରଣ ଏହି ଜମି ଯୋଗାଣ ପୂର୍ବରୁ ସରକାରୀ ସଂସ୍ଥାମାନେ ସମ୍ପୃକ୍ତ ଅଞ୍ଚଳର ଚାହିଦାକୁ ଦୃଷ୍ଟିରେ ରଖି ରାସ୍ତା, ସ୍ୱରେଜ ସହିତ ବିଦ୍ୟୁତ୍ ଲାଇନ୍ ବିଛାଇଥିଲେ । ଏବେ ଏହିସବୁ ଭିତ୍ତିଭୂମି ଉପରେ ବହୁଗୁଣା ଚାପ ବଢିବାରେ ଲାଗିଛି ।
ସବୁଠାରୁ ବଡ ସମସ୍ୟା ହେଉଛି ଯେଉଁସବୁ ଅଞ୍ଚଳରେ ଅଞ୍ଚଳରେ ରାତାରାତି ଏଭଳି ଆପାର୍ଟମେଣ୍ଟ ଗଢି ଉଠୁଛି ସେଠାରେ ଏହାର ଆଖପାଖରେ ରହୁଥିବା ଲୋକଙ୍କ ଘରେ ଆଉ ସୂର୍ଯ୍ୟକରଣ ଟିକେ ପଡୁନାହିଁ କି ସେମାନଙ୍କ ଘରେ ଆଉ ପବନ ବାଜୁନାହିଁ । ଫଳରେ ସେମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ରାଜଧାନୀରେ ଉତ୍ତାପ ବଢୁଥିବାବେଳେ ଏହି ସମସ୍ୟା ଆହୁରି ଜଟିଳ ହେବାରେ ଲାଗିଛି ।
ତେବେ ନୟାପଲ୍ଲୀ ଠାରୁ ଆରମ୍ଭକରି ଶୈଳଶ୍ରୀବିହାର, ନୀଳାଦ୍ରୀବିହାର, କାନନବିହାର, ଚନ୍ଦ୍ରଶେଖରପୁର, ବରମୁଣ୍ଡା ଆଦି ଅଞ୍ଚଳରେ ଉଚ୍ଚ ଆପାର୍ଟମେଣ୍ଟ ନିର୍ମାଣକୁ କିଭଳି ବିଡିଏ ଅନୁମତି ଦେଇ ଦେଉଛି ତାହା ବଡ ପ୍ରଶ୍ନବାଚୀ ହୋଇଛି । ଅର୍ଥ ଓ ଘର ଲୋଭରେ ଯେଭଳି ସରକାରୀ ଦରରେ ଜମି ପାଇଥିବା ଲୋକମାନେ ବ୍ୟବସାୟୀଙ୍କ ହାତରେ ନିଜ ନିଜ ଘରକୁ ଟେକି ଦେଉଛନ୍ତି ସେଥିରେ ରୋକ୍ ନଲାଗିଲେ ଆଗାମୀ ଦିନରେ କେବଳ ରାଜଧାନୀର କାୟା ବଦଳିଯିବା ନାହିଁ ପରିବେଶଗତ ସମସ୍ୟା ସୃଷ୍ଟିହେବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ସାଧାରଣ ପ୍ରଶାସନ ବିଭାଗ, ବିଡିଏ, ହାଉସିଂବୋର୍ଡ ଓ ଭୁବନେଶ୍ୱର ସ୍ମାର୍ଟସିଟି କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବା ସହିତ ସେମାନଙ୍କ ଜମି ଉପରେ ଯେଭଳି ବ୍ୟବସାୟୀରାଜ ଚାଲିଛି ସେଥିରେ ଲଗାମ ଲଗାଇବାକୁ ଦାବି ହେଉଛି । (ତଥ୍ୟ)