ଭୁବନେଶ୍ୱର : ନିଯୁକ୍ତି ତଥା ଆତ୍ମନିଯୁକ୍ତି ମାଧ୍ୟମରେ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ବ୍ୟାପକ ରୋଜଗାରର ବାଟ ରହିଛି । ମନୁଷ୍ୟର ଜୀବନଶୈଳୀ ବଦଳିବା ସହିତ ରୁଚି ବଦଳିଛି, ଚାହିଦା ବଢ଼ିଛି ଏବଂ ଏଥିସହ ଦୁଗ୍ଧ, ମାଂସ ଓ ଅଣ୍ଡା ଆଦି ଖାଦ୍ୟର ଉତ୍ପାଦନରେ ମଧ୍ୟ ଆଶାତୀତ ବୃଦ୍ଧି ଘଟିଛି । ଆଜି କୃଷି ଭବନ ପ୍ରେକ୍ଷାଳୟରେ ପ୍ରଥମ ଥର ପାଇଁ ସଂପୂର୍ଣ୍ଣ ସରକାରୀ ଭାବେ ରାଜ୍ୟସ୍ତରୀୟ ‘ବିଶ୍ୱ ପ୍ରାଣୀଚିକିତ୍ସା ଦିବସ’ ପାଳନ ଅବସରରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉପରୋକ୍ତ ମର୍ମରେ ଉଲ୍ଲେଖ କରିଛନ୍ତି ।
ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ଏହା ୮.୭୫ ଲକ୍ଷ ମେଟି୍ରକ୍ ଟନ୍ରୁ ୨୦୨୧ରେ ୨୩.୭୩ ଲକ୍ଷ ମେଟି୍ରକ୍ ଟନ୍କୁ ବୃଦ୍ଧି ପାଇଛି । ଗତ ୨୦ ବର୍ଷ ମଧ୍ୟରେ ମାଂସ ଉତ୍ପାଦନ ପ୍ରାୟ ଛଅଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ୩୮.୩୮ ହଜାର ମେଟି୍ରକ୍ ଟନ୍ରୁ ୨୦୨୧ ମସିହାରେ ଏହା ୨୧୩.୦୯ ହଜାର ମେଟି୍ରକ୍ ଟନ୍କୁ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ ଅଣ୍ଡା ଉତ୍ପାଦନ ପ୍ରାୟ ତିନିଗୁଣ ବୃଦ୍ଧି ପାଇ ୨୦୦୧ ମସିହାରେ ୭୩୦୧.୦୪ ଲକ୍ଷ ଅଣ୍ଡାରୁ ୨୦୨୧ ମସିହାରେ ୨୪୨୪୨.୬୭ ଲକ୍ଷ ଅଣ୍ଡାକୁ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିଛନ୍ତି ।
ମନ୍ତ୍ରୀ ଡ. ସାହୁ କହିଛନ୍ତି ଯେ ପ୍ରାଣୀପାଳନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି, ଯାହା କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀମାନଙ୍କ ପାଇଁ ଏକ ଅଭିବୃଦ୍ଧି ଇଞ୍ଜିନ୍ ଭାବରେ ପରିଗଣିତ ହୋଇଛି । ରାଜ୍ୟରେ ୫୪୧ ପ୍ରାଣୀ ଚିକିତ୍ସାଳୟ ଏବଂ ୩୨୩୯ ପ୍ରାଣୀସଂପଦ ସହାୟକ କେନ୍ଦ୍ର ମାଧ୍ୟମରେ କୃଷକ, ଉଦ୍ୟୋଗୀ ଏବଂ ପ୍ରାଣୀପାଳକମାନଙ୍କୁ ପ୍ରାଣୀ ସ୍ୱାସ୍ଥ୍ୟସେବା, ପ୍ରଜନନ ଏବଂ ପରାମର୍ଶ ସେବା ଯୋଗାଇ ଦିଆଯାଉଛି ।
ସାରା ରାଜ୍ୟରେ ୩୧୪ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ୟୁନିଟ୍ ମାଧ୍ୟମରେ ଚାଷୀଙ୍କ ଦ୍ୱାରଦେଶରେ ପ୍ରାଣୀଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ରକ୍ତ, ମୂତ୍ର ଆଦି ନମୂନା ପରୀକ୍ଷଣ ମାଧ୍ୟମରେ ପ୍ରାଣୀରୋଗ ନିୟନ୍ତ୍ରଣ ପାଇଁ ରାଜ୍ୟ, ଆଞ୍ଚଳିକ ଏବଂ ଜିଲ୍ଲାସ୍ତରରେ ରୋଗ ନିରୁପଣ ଲାବୋରେଟୋରୀ କାର୍ଯ୍ୟ କରୁଛି । ପ୍ରାଣୀ ଚିକିତ୍ସକମାନଙ୍କ ଅକ୍ଳାନ୍ତ ଉଦ୍ୟମରେ ପ୍ରାଣୀସଂପଦ ବିକାଶ ବିଭାଗର ଗୁରୁତ୍ୱ ବଢ଼ିଛି ଏବଂ ଏହି ବୃଦ୍ଧି ପ୍ରକ୍ରିୟାକୁ ଜାରି ରଖିବା ନିମନ୍ତେ ସରକାର ସର୍ବଦା ଚେଷ୍ଟାରତ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି ।
ପ୍ରକାଶ ଥାଉ କି, ପ୍ରାଣୀ ସ୍ୱାସ୍ଥ୍ୟସେବା, ପ୍ରାଣୀ କଲ୍ୟାଣ ଏବଂ ପ୍ରାଣୀପାଳନ କାର୍ଯ୍ୟକଳାପ ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟରେ ‘ବିଶ୍ୱ ପ୍ରାଣୀଚିକିତ୍ସା ଦିବସ-୨୦୨୨’ ପାଳିତ ହୋଇଯାଇଛି । ପ୍ରତିବର୍ଷ ଅପ୍ରେଲ ମାସର ଶେଷ ଶନିବାର ଦିନ ‘ବିଶ୍ୱ ପ୍ରାଣୀଚିକିତ୍ସା ଦିବସ’ ପାଳନ କରାଯାଏ ଏବଂ ଚଳିତ ବର୍ଷ ଏହାକୁ ‘ପ୍ରାଣୀ ଚିକିତ୍ସା ସେବାର ସୁଦୃଢ଼ୀକରଣ’ ପ୍ରସଙ୍ଗ ସହିତ ପାଳନ କରାଯାଉଛି ।
ଏହି ସମାରୋହରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ପ୍ରାଣୀ ସ୍ୱାସ୍ଥ୍ୟସେବା, ପ୍ରାଣୀ କଲ୍ୟାଣ ଏବଂ ପ୍ରାଣୀପାଳନରେ ଶତାଧିକ ପ୍ରାଣୀ ଚିକିତ୍ସକ ଓ ସହାୟକ କର୍ମଚାରୀଙ୍କ ପ୍ରମୁଖ ଭୂମିକା ରହିଛି । ରାଜ୍ୟ ସରକାର ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଏବଂ ନୂତନ ବ୍ୟବସାୟିକ ଓ ଅର୍ଦ୍ଧବ୍ୟବସାୟିକ କୁକୁଡ଼ା ଫାର୍ମ ଏବଂ ଛେଳିପାଳନ ପାଇଁ ରିହାତି ଯୋଗାଇ ଦେଉଛନ୍ତି ବୋଲି ସେ କହିଛନ୍ତି । ଦୁଗ୍ଧ ଓ ଦୁଗ୍ଧଜାତ ବିଭିନ୍ନ ଉତ୍ପାଦର ଚାହିଦା ବୃଦ୍ଧି ସହିତ ଓମ୍ଫେଡ୍ର ପ୍ରସାର ବିଷୟରେ ଶ୍ରୀ ମହାପାତ୍ର ଉଲ୍ଲେଖ କରିଛନ୍ତି ।
ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଆର୍, ରଘୁପ୍ରସାଦ କହିଛନ୍ତି ଯେ କୃତି୍ରମ ପ୍ରଜନନ ମାଧ୍ୟମରେ ଗୋପ୍ରଜାତିର ଜେନେଟିକ୍ ଉନ୍ନତିକରଣ ଏବଂ ଟିକାକରଣ କାର୍ଯ୍ୟକ୍ରମକୁ ରାଜ୍ୟରେ ଏକ ମିଶନ ମୋଡ଼୍ରେ ନିଆଯାଇଛି । ପ୍ରାଣୀସଂପଦ ସହାୟକ କେନ୍ଦ୍ରସ୍ତରରେ କୃତି୍ରମ ପ୍ରଜନନ କାର୍ଯ୍ୟକ୍ରମ ପାଇଁ ଲିଙ୍ଗ ନିରୁପିତ ଶୁକ୍ର ଉପଲବ୍ଧ ଅଛି, ଯାହା କେବଳ ୯୦ ପ୍ରତିଶତ ମାଈ ବାଛୁରି ଜନ୍ମ ହେବାରେ ସହାୟକ ହେବ ଏବଂ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହେବ ।
ଏହି ଅବସରରେ ପ୍ରାଣୀସଂପଦ ପରିଚାଳନା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଭିଡ଼ିଓ ବାର୍ତ୍ତା ଏବଂ ପ୍ରାଣୀସଂପଦ ବିକାଶ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସହିତ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା ।
ଉତ୍ସବରେ ଅଗ୍ରଣୀ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ପ୍ରାଣୀପାଳନ କ୍ଷେତ୍ରରେ ସେମାନଙ୍କ ସଫଳତା ପାଇଁ ସମ୍ମାନିତ କରାଯାଇଥିବାବେଳେ ପ୍ରାଣୀଚିକିତ୍ସା ସେବାରେ ଉଲ୍ଲେଖନୀୟ ସଫଳତା ପାଇଁ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ପ୍ରାଣୀ ଚିକିତ୍ସକ ଏବଂ ବୈଷୟିକ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା । ଆୟୋଜିତ ସଭାରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ ସ୍ୱାଗତ ଭାଷଣ ଦେଇଥିବାବେଳେ ଅତିରିକ୍ତ ନିର୍ଦ୍ଦେଶକ ଡ. ଲୋକନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସମାରୋହରେ ରାଜ୍ୟର ପ୍ରାଣୀ ଚିକିତ୍ସକ ଓ ପ୍ରାଣୀଚିକିତ୍ସା ବୈଷୟିକ କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ପ୍ରାଣୀପାଳକ ତଥା ଅଧିକାରୀବୃନ୍ଦ ଉପସ୍ଥିତ ଥିବାବେଳେ ପ୍ରତିଜିଲ୍ଲାରୁ ଅଂଶଗ୍ରହଣକାରୀମାନେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇଥିଲେ ।