Home General ଆଧାରରେ ଯୋଡି ହେଲେଣି ୫୫ ପତିଶତ ଭୋଟର

ଆଧାରରେ ଯୋଡି ହେଲେଣି ୫୫ ପତିଶତ ଭୋଟର

ଭୁବନେଶ୍ୱର : ରାଜ୍ୟର ସମୁଦାୟ ଭୋଟର ୩ କୋଟି ୨୫ ଲକ୍ଷ ୬୧ ହଜାର ୯୮୦ ଜଣଙ୍କ ମଧ୍ୟରୁ ଆଜି ସୁଦ୍ଧା ୧ କୋଟି ୮୦ ଲକ୍ଷ ୩୭ ହଜାର ୯୨୮ ଜଣ ଭୋଟର ସେମାନଙ୍କର ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗ କରିଛନ୍ତି, ଯାହାକି ଶତକଡ଼ା ୫୫.୪୦ ଭାଗ ଭୋଟର ଆଧାର ନମ୍ବର ଭୋଟର ଫଟୋ ପରିଚୟ ସହ ଯୋଗ କରିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଥିଲେ । ରାଜ୍ୟରେ ଜାରି ରହିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୩ ଏବଂ ଭୋଟର ଫଟୋ ପରିଚୟ ପତ୍ର ପ୍ରସ୍ତୁତି ଓ ଏହାର ବଣ୍ଟନ, ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ, ଭୋଟର ତାଲିକାରେ ନୂତନ ଭୋଟର ଭାବେ ନାମ ଅନ୍ତର୍ଭୁକ୍ତ କରିବା ଆଦି କାର୍ଯ୍ୟ ନିମନ୍ତେ ବିଭିନ୍ନ ପ୍ରକାରର ଫର୍ମ ମୁଖ୍ୟାଳୟରୁ ନେବା ସଂପର୍କରେ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ ।

ରାଜ୍ୟରେ ନୂତନ ଭୋଟରମାନଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଥିବା ଭୋଟର ଫଟୋ ପରିଚୟ ପତ୍ରଗୁଡ଼ିକୁ ଆସନ୍ତା ୧୫ ତାରିଖ ସୁଦ୍ଧା ସଂପୃକ୍ତ ଭୋଟରମାନଙ୍କ ନିକଟକୁ ଡାକ ଯୋଗେ ପଠାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ କାର୍ଯ୍ୟ ଦ୍ରୁତଗତିରେ ଚାଲୁରହିଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି ।

ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ କାର୍ଯ୍ୟ ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଶ୍ରେଷ୍ଠ ୫ଟି ଜିଲ୍ଲାର ଜିଲ୍ଲାପାଳ ତଥା ଏହି କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ପ୍ରଶଂସା କରିଛନ୍ତି । ସେହି ଜିଲ୍ଲାଗୁଡ଼ିକ ହେଉଛି ନବରଙ୍ଗପୁର (୭୫.୭୩%), ମାଲକାନଗିରି (୭୨.୯୭%), କଳାହାଣ୍ଡି (୬୯.୪୬%), ଅନୁଗୋଳ (୬୮.୬୯%) ଏବଂ ସୁବର୍ଣ୍ଣପୁର (୬୬.୪୪%) ଭୋଟର ସେମାନଙ୍କର ଆଧାର ନମ୍ବର ଭୋଟର ଫଟୋ ପରିଚୟ ପତ୍ର ସହ ସଂଯୋଗ କରିଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ରାଜ୍ୟର ସହରାଞ୍ଚଳରେ ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ କାର୍ଯ୍ୟ ଧୀମା ହେଉଥିବାରୁ ସେଠାରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସଂପୃକ୍ତ ଜିଲ୍ଲାପାଳ/ଉପଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ କାର୍ଯ୍ୟ ନିମନ୍ତେ, ବିଶେଷ କରି, ଯୁବଭୋଟରମାନଙ୍କୁ ଭୋଟର ହେଲପ୍‌ଲାଇନ୍‌ ଆପ୍‌ ମାଧ୍ୟମରେ ନିଜେ ନିଜେ ଅନ୍‌ଲାଇନ୍‌ରେ ଏହି କାର୍ଯ୍ୟ କରିବା ସଂପର୍କରେ ବ୍ୟାପକ ଭାବେ ସଚେତନ କରିବା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱାରୋପ କରିଛନ୍ତି ।

ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ସହ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରତ୍ରୁଘ୍ନ କର ଓ ସଂଘମିତ୍ରା ଶତପଥୀ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଏଏସ୍‌ଇ ଇଦି୍ରଶ ଅଲ୍ଲି ଖାନ୍‌, ଏଏସ୍‌ଇ ଯୋଗେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।