Home Culture ଆତ୍ମ ଅଧ୍ୟୟନ ହିଁ ଆଧ୍ୟାତ୍ମିକତା

ଆତ୍ମ ଅଧ୍ୟୟନ ହିଁ ଆଧ୍ୟାତ୍ମିକତା

ଭୁବନେଶ୍ୱର : ଆତ୍ମ ଅଧ୍ୟୟନ ହିଁ ଆଧ୍ୟାତ୍ମିକତା । ନିଜ ଅଭ୍ୟନ୍ତରକୁ ଯାତ୍ରାର ମହିମ୍ନ ଉପଲବ୍ଧି ଚେତନାକୁ ଊଦ୍ଧ୍ୱର୍ମୁଖୀ କରାଏ । ସକଳ ଆବରଣ ତଳେ ଶେଷରେ ଯେ ଉପସ୍ଥିତ, ତା’ର ଅନୁଭବ ହିଁ ସାଧନାର ଶୀର୍ଷ ସ୍ତର ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।

ଆଜି ରାଜଭବନର ନୂତନ ଅଭିଷେକ କକ୍ଷରେ କେନ୍ଦ୍ରାପଡ଼ାର ଗୋକୁଳଚନ୍ଦ୍ର ସଂଗୀତ ସଦନ ଆନୁକୂଲ୍ୟରେ ଆୟୋଜିତ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ ଯେ ଅଧ୍ୟାତ୍ମ ଭାବର ସଂଚାର କରାଏ ସଂସ୍କୃତି । ସଂସ୍କୃତି ମଣିଷକୁ ରୂପାନ୍ତରିତ କରେ ।

ସଂଶୟରୁ ଶାଶ୍ୱତକୁ ବାଟ କଢ଼ାଏ । ଆତ୍ମବିସର୍ଜନର ପଥ ଉନ୍ମୁକ୍ତ କରେ । ଯେଉଁ ସଂସ୍କୃତିରେ ଶାଶ୍ୱତ ରସ ନାହିଁ, ତାହା ନିରସ ଓ ଅପଭ୍ରଂଶର ଆଧାର । ଅଧ୍ୟାତ୍ମ ଓ ସଂସ୍କୃତିର ମହାମିଳନ ମଣିଷ ପାଇଁ ଈଶ୍ୱରୀୟ ବରଦାନ ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ ।

ସଭାପତି ଅମ୍ବିକା ପ୍ରସାଦ ଦାସ ଅନୁଷ୍ଠାନର ଇତିହାସ ଓ ଏତିହ୍ୟ ସଂପର୍କରେ ସୂଚନା ଦେଇଥିଲେ । ଜ୍ୟୋତିର୍ବିଦ୍‌ ପ୍ରଦୀପ କୁମାର ଚୌଧୁରୀ, ଶିକ୍ଷାବିତ୍‌ ସତ୍ୟପ୍ରକାଶ ପଣ୍ଡା, ଶିକ୍ଷାବିତ୍‌ ଶରତ ଚନ୍ଦ୍ର ପଣ୍ଡା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ ।

ଏହି ଅବସରରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଦିବାକର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ସଂଗୀତ ସଦନର କଳାକାରମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।