ଭୁବନେଶ୍ୱର : ନିଜର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ପାଇଁ ଓଡ଼ିଶା ଏବେ ଅନ୍ୟ ରାଜ୍ୟରୁ ବର୍ଷକୁ ୧୬ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଆଳୁ ଆମଦାନୀ କରୁଛି । ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଆଳୁ ମିଶନ ଗଠନ କରିଥିଲେ ତାହା ସଫଳ ହୋଇଥିଲେ ଏବେ ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସ୍ୱାବଲମ୍ବୀ ହେବା ସହ ଅନ୍ୟ ରାଜ୍ୟକୁ ବାର୍ଷିକ ଅନ୍ୟୁନ ୫ଶହ କୋଟି ଟଙ୍କାର ଆଳୁ ରପ୍ତାନି କରୁଥାନ୍ତା ।
ଆଳୁ ପାଇଁ ଓଡ଼ିଶା ମୁଖ୍ୟତଃ ପଡୋଶୀ ପଶ୍ଚିମବଙ୍ଗ ଉପରେ ନିର୍ଭର କରୁଛି । ଓଡ଼ିଶା ପାଇଁ ଏବେ ବାର୍ଷିକ ୧୩ଲକ୍ଷ ମେଟ୍ରିକ୍ଟନ୍ରୁ ଊର୍ଦ୍ଧ୍ୱ ଆଳୁ ଆବଶ୍ୟକ ହେଉଛି । ତେବେ ପରିସଂଖ୍ୟାନର ଯେତେ ଖେଳ ଖେଳିଲେ ମଧ୍ୟ ରାଜ୍ୟରେ ବାର୍ଷିକ ପ୍ରାୟ ୩ଲକ୍ଷ ଟନ୍ ଆଳୁ ଉତ୍ପାଦିତ ହେଉଛି । ଯେତିକି ବି ଆଳୁ ରାଜ୍ୟରେ ଫଳୁଛି ତାହାର ସଂରକ୍ଷଣ ଲାଗି ଶୀତଳଭଣ୍ଡାରର ଅଭାବ ଥିବା ଏବଂ ଉତ୍ପାଦନ ବେଳେ ଚାଷୀଙ୍କ ଠାରୁ ଆଳୁ କିଣା ପାଇଁ ସରକାରୀ ବ୍ୟବସ୍ଥା ନଥିବାରୁ ପଡୋଶୀ ରାଜ୍ୟର ବେପାରୀମାନଙ୍କୁ ଓଡ଼ିଶାର ଆଳୁ ଚାଷୀମାନେ କୁଇଣ୍ଟାଲ ପିଛା ୪ଶହରୁ ୫ଶହ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି । ଏହି ବ୍ୟବସାୟୀମାନେ ଓଡ଼ିଶାରୁ ସଂଗୃହୀତ ଆଳୁକୁ ସଂରକ୍ଷିତ ରଖି କିଛି ମାସ ମଧ୍ୟରେ ତାହାକୁ ପୁଣି ଓଡ଼ିଶା ବଜାରରେ କୁଇଣ୍ଟାଲ ପିଛା ହଜାରେରୁ ୨ହଜାର ଟଙ୍କା ଦରରେ ବିକୁଛନ୍ତି ।
ଓଡ଼ିଶାକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟରେ ପରିଣତ କରିବା ପାଇଁ ଓଡ଼ିଶା ସରକାର ୨୦୧୫-୧୬ ମସିହାରେ ଆଳୁ ମିଶନ ଆରମ୍ଭ କରିଥିଲେ । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ଆଳୁ ମିଶନ ଓଡ଼ିଶାରେ କୃଷକମାନଙ୍କୁ ଆଳୁ ଚାଷ ପାଇଁ ୨୦୧୫-୧୬ ବର୍ଷରେ ହେକ୍ଟର ପିଛା ୩୦ହଜାର ଟଙ୍କା କରି ପ୍ରୋତ୍ସାହନ ଦେଇଥିବାବେଳେ ୨୦୧୬-୧୭ରେ ୨୦ହଜାର ଓ ୨୦୧୭-୧୮ ମସିହାରେ ହେକ୍ଟର ପିଛା ୧୫ହଜାର ଟଙ୍କା କରି ସହାୟତା ଦେଇଥିଲେ ।
ସରକାରୀ ତଥ୍ୟ ମୁତାବକ ୨୦୧୪-୧୫ରେ ଓଡ଼ିଶାରେ ପାଖାପାଖି ୧୬ହଜାର ହେକ୍ଟର ଜମିରେ ଆଳୁ ଚାଷ ହୋଇଥିବାବେଳେ ୨୦୧୫-୧୬ରେ ଆଳୁ ମିଶନ ମାଧ୍ୟମରେ ୨୫ହଜାର ହେକ୍ଟରରୁ ଅଧିକ ଜମିରେ ଆଳୁ ଚାଷ କରାଯାଇଥିଲା । ଉକ୍ତବର୍ଷ ୩୦ହଜାର ହେକ୍ଟର ଜମିରେ ଆଳୁ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଥିଲା । ସେହିପରି ୨୦୧୬-୧୭ରେ ୪୫ହଜାର ଓ ୨୦୧୭-୧୮ ବର୍ଷରେ ୬୦ହଜାର ହେକ୍ଟର ଜମିରେ ମିଶନ ମାଧ୍ୟମରେ ଆଳୁ ଚାଷ ହୋଇଥାନ୍ତା । ଏହି ଧାରା ଅବ୍ୟାହତ ରହିଥିଲେ ଏବେ ରାଜ୍ୟରେ ବାର୍ଷିକ ପାଖାପାଖି ୧ଲକ୍ଷ ହେକ୍ଟର ଜମିରେ ଆଳୁ ଚାଷ ହେଉଥାନ୍ତା । ଆଳୁ ମିଶନର ଲକ୍ଷ୍ୟ ଥିଲା ୨୦୧୫-୧୬ ବର୍ଷରେ ୫ଲକ୍ଷ ୨୮ହଜାର ମେଟ୍ରିକ୍ଟନ୍ ୨୦୧୬-୧୭ରେ ୮ଲକ୍ଷ ୯ ହଜାର ମେଟ୍ରିକ୍ଟନ୍ ଓ ୨୦୧୭-୧୮ରେ ୧୧ଲକ୍ଷ ୧୨ହଜାର ମେଟ୍ରିକ୍ଟନ୍ ଆଳୁ ଉତ୍ପାଦନ କରିବାକୁ ।
ଏହି ଧାରା ଅବ୍ୟାହତ ରହିଥିଲେ ଓଡ଼ିଶାରେ ବାର୍ଷିକ ଆଳୁ ଉତ୍ପାଦନ ୨୦ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ହୁଅନ୍ତାଣି । କିନ୍ତୁ ଓଡ଼ିଶା ମାଟିରେ ଏବେ ବାର୍ଷିକ ପ୍ରାୟ ୩ଲକ୍ଷ ମେଟ୍ରିକ୍ଟନ୍ ଆଳୁ ଫଳୁଥିବା ସରକାର ସ୍ୱୀକାର କରୁଛନ୍ତି । ଫଳରେ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ବାର୍ଷିକ ୧୦ଲକ୍ଷରୁ ୧୨ଲକ୍ଷ ମେଟ୍ରିକ୍ଟନ୍ ଆଳୁ କିଣିବାକୁ ପଡୁଛି । ପ୍ରଚୁର ଆଥିକ ପ୍ରୋତ୍ସାହନ ସତ୍ତ୍ୱେ ଆଳୁ ମିଶନ ବିଫଳ ହୋଇ କାହିଁକି ଆଳୁ ଭଳି ଶୂନ ନମ୍ବର ପାଇଲା ତାହା ଉପରେ ଠିକଣା ତର୍ଜମା ହେଉ ନଥିବା ଘେନି ଚାଷୀମାନେ ଅଭିଯୋଗ କରୁଛନ୍ତି ।
ଆଳୁ ସଂରକ୍ଷଣ ପାଇଁ ଓଡ଼ିଶାରେ ଯେତେ ଶୀତଳ ଭଣ୍ଡାର ଥିଲା ସେଥିରୁ ପ୍ରାୟ ୮୬ଟି ଅଚଳ ହୋଇ ପଡିଥିବାବେଳେ ବିଭିନ୍ନ ଜିଲ୍ଲାରେ ପାଖାପାଖି ୫୦ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି । ଅନ୍ତତଃପକ୍ଷେ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ବ୍ୟବସ୍ଥା ହେଲେ ଚାଷୀମାନେ ସେମାନଙ୍କ ଆଳୁ ଏଠାରେ ସଂରକ୍ଷଣ କରି ରଖିପାରନ୍ତେ । କିନ୍ତୁ ବର୍ଷ ବର୍ଷ ଧରି ଶୀତଳ ଭଣ୍ଡାର କଥା କହିବା ସହିତ ଏଥିଲାଗି ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ବ୍ୟବସ୍ଥା ଥିଲେ ବି ଓଡ଼ିଶାରେ ଶୀତଳ ଭଣ୍ଡାର ସ୍ଥାପନ ସମେତ ନୂଆ ନୂଆ କୃଷି ଶିଳ୍ପର ବିକାଶ ଆଖି ଦୃଶିଆ ହୋଇପାରୁନାହିଁ । ଫଳରେ ବିଭିନ୍ନ ସୂତ୍ରରୁ ଋଣ ଆଣି ଚାଷୀମାନେ ଆଳୁ ଚାଷ କରି ବାରମ୍ବାର ବିପୁଳ କ୍ଷତିର ସମ୍ମୁଖୀନ ହେବାପରେ ପୁନର୍ବାର ଆଳୁ ଚାଷ ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଓଡ଼ିଶାରେ ଆଳୁ ଉତ୍ପାଦନ କମ୍ ରହିବାର ମୁଖ୍ୟ କାରଣ ବୋଲି କୃଷି ବିଶେଷଜ୍ଞମାନେ ସ୍ୱୀକାର କରୁଛନ୍ତି । (ତଥ୍ୟ)