Home Infrastructure ଆଣ୍ଠେଇଛି ସ୍ଫୁର୍ତ୍ତି ପ୍ରକଳ୍ପ

ଆଣ୍ଠେଇଛି ସ୍ଫୁର୍ତ୍ତି ପ୍ରକଳ୍ପ

ଭୁବନେଶ୍ୱର : ପାରମ୍ପରିକ ଶିଳ୍ପକୁ ନୂଆ ରୂପ ଦେବା ସହିତ ଶିଳ୍ପୀ ଓ କାରିଗରମାନଙ୍କ ହାତକୁ କାମଦେବା ପାଇଁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଥିବା ସ୍କିମ୍‍ ଅଫ୍‍ ଫଣ୍ଡ୍‍ ଫର ରିଜେନେରେସନ ଅଫ୍‍ ଟ୍ରାଡିସିନାଲ ଇଣ୍ଡଷ୍ଟ୍ରିଜ୍‍ (ସ୍ଫୁର୍ତ୍ତି) ଓଡିଶାରେ ଏକ ପ୍ରକାର ଆଣ୍ଠେଇଛି । ରାଜ୍ୟପାଇଁ ୪୭ ପ୍ରକଳ୍ପକୁ ଅନୁମୋଦନ ମିଳିଥିବାବେଳେ ଗୋଟିଏରୁ ହେଲେ ବି ଉତ୍ପାଦନ ଆରମ୍ଭ ହୋଇ ନାହିଁ ।

୨୦୧୮ ମସିହାରେ କେନ୍ଦ୍ର ଏମ୍‍ଏସ୍‍ଏମ୍‍ଇ ମନ୍ତ୍ରାଳୟ ଏହି ଯୋଜନା ଆରମ୍ଭ କରିଥିଲେ । ଏଥିରେ ଓଡିଶା ସର୍ବାଧିକ ଉପକୃତ ହେବା ସହିତ ରାଜ୍ୟକୁ ୪୭ଟି ପ୍ରକଳ୍ପ ମିଳିଥିଲା । କେନ୍ଦ୍ର ଏମ୍‍ଏସ୍‍ଏମ୍‍ଇ ମନ୍ତ୍ରୀ ଦାୟିତ୍ୱରେ ଓଡିଶାରୁ ପ୍ରତାପ ଷଡଙ୍ଗୀ ରହିଥିବାରୁ ଏହି ଯୋଜନାରୁ ଓଡିଶା ସିଂହଭାଗ ପାଇବାରେ ସଫଳ ହୋଇଥିଲା । ଲକ୍ଷ୍ୟ ଥିଲା ଦୁଇବର୍ଷ ଭିତରେ ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ ହେବ । ହେଲେ କାର୍ଯ୍ୟକ୍ଷମ ତ ଦୂରରକଥା ଅନେକ ପ୍ରକଳ୍ପର ମୂଳଦୂଆ ପଡିପାରି ନାହିଁ ।

ଏନ୍‍ଜିଓମାନଙ୍କ ସହାୟତାରେ ରାଜ୍ୟ ଏମ୍‍ଏସ୍‍ଏମ୍‍ଇ ବିଭାଗ ଏହାକୁ କାର୍ଯ୍ୟକାରୀ କରୁଛି । ଏଥିପାଇଁ ରାଜ୍ୟ ସ୍ତରରେ ସ୍ଫୁର୍ତ୍ତି ସେଲ୍‍ ଗଠନ ହୋଇଛି ଜଣେ ବରିଷ୍ଠ ଅଧିକାରୀ ଦାୟିତ୍ୱରେ ଅଛନ୍ତି । ହେଲେ ଦୀର୍ଘଦିନ ହେଲା ପ୍ରକଳ୍ପ ପାଇଥିବା ବେସରକାରୀ ସଂଗଠନଗୁଡିକ କାଗଜପତ୍ର ଧରି କେବଳ ସ୍ଫୁର୍ତ୍ତି ସେଲ୍‍ ଓ ଶିଳ୍ପ ନିର୍ଦ୍ଦେଶାଳୟକୁ ଦଉଡୁଛନ୍ତି । କାଗଜପତ୍ର ଦାଖଲ କରି କରି ଅନେକ ଏବେ ନୟାନ୍ତ ହୋଇଗଲେଣି ।

ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲେ ଓଡିଶାର ବାଉଁଶ, ଲାଖ, ପିତ୍ତଳ, ତାରକସି, ଶିଙ୍ଗ ଭଳି ପାରମ୍ପରିକ ଶିଳ୍ପ ସହିତ ମହୁ ଓ ମାଛ ଚାଷ ଭଳି ଲାଭଜନକ ବ୍ୟବସାୟ ହୋଇଥାନ୍ତା । ଏହାଦ୍ୱାରା ଗାଁ ଗହଳର କାରିଗରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଉପକୃତ ହୋଇଥାନ୍ତେ । ପ୍ରକଳ୍ପ ମଞ୍ଜୁରୀ ପରେ ଅନେକ ଏନ୍‍ଜିଓ ଆଗ୍ରହ ଦେଖାଇ ଜମି ଖରିଦ ସହିତ ଘର ତିଆରି ବି ଆରମ୍ଭ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ଇତି ମଧ୍ୟରେ ଗୋଟିଏ ଏନ୍‍ଜିଓର ପ୍ରକଳ୍ପ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଆଉ ୩/୪ଟି ର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇଛି । ହେଲେ ଅନେକ ପ୍ରକଳ୍ପର କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥା ପଡିରହିଛି ।

ଏଥିପାଇଁ ଏବେ ରାଜ୍ୟ କର୍ତ୍ତୃପକ୍ଷଙ୍କୁ କେତେକ ଦାୟୀ କରୁଛନ୍ତି । ବିଶେଷକରି ଏହି ପ୍ରକଳ୍ପ ପାଇ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଉଥିବାବେଳେ ରାଜ୍ୟର ଅଧିକାରୀମାନେ ବ୍ୟାପକ କାଗଜଚାଷ କରିବା ଯୋଗୁଁ ପ୍ରକଳ୍ପ ବିଳମ୍ବ ହେବାରେ ଲାଗିଛି । ତେଣେ କେନ୍ଦ୍ର ସରକାର ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ତାଗିଦା କରିବାରେ ଲାଗିଛନ୍ତି । ତେଣୁ ରାଜ୍ୟ ସରକାର ତୁରନ୍ତ ଏହା ଉପରେ ଦୃଷ୍ଟି ଦେବା ସହିତ ପ୍ରକଳ୍ପ କାର୍ଯ୍ୟ କିଭଳି ତ୍ୱରାନ୍ୱିତ ହେବ ସେ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି । (ତଥ୍ୟ)