Home Election ଆଗକୁ ବଢିବ ନିର୍ବାଚନୀ ଅଭିଯୋଗ

ଆଗକୁ ବଢିବ ନିର୍ବାଚନୀ ଅଭିଯୋଗ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇନଥିଲେ ମଧ୍ୟ ରାଜ୍ୟର ଗ୍ରାମାଞ୍ଚଳରେ ରାଜନୈତିକ ପାଣିପାଗ ବେଶ୍‍ ସରଗରମ ସହିତ ବିଭିନ୍ନ ଦଳର ନେତା ପରସ୍ପର ଉପରକୁ ଆରୋପ ଓ ପ୍ରତ୍ୟାରୋପ ଫିଙ୍ଗିବା ଆରମ୍ଭ କରିଛନ୍ତି । ଏହି ବାତାବରଣ ଅବ୍ୟାହତ ରହିଲେ ପଞ୍ଚାୟତ ନିର୍ବାଚନବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବ୍ୟାପକ ହିଂସାକାଣ୍ଡ ସହ ଆଚରଣବିଧିର ଅଧିକ ଉଲ୍ଲଙ୍ଘନ ହେବା ଆଶଙ୍କା କରାଯାଉଛି ।

ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଏବେ ସ୍ମାର୍ଟଫୋନ୍‍ ଓ ସୋସିଆଲ ମିଡିଆର ଗୁରୁତ୍ୱ ଢେର ବଢିଯାଇଛି । କେଉଁଠି କେଉଁ ପ୍ରାର୍ଥୀ ଓ କେଉଁ ଦଳର ନେତା କ’ଣ କଲେ ନକଲେ ତାହାର ଫଟୋ ଉତ୍ତୋଳନ କରାଯାଇ ତୁରନ୍ତ ସୋସିଆଲ ମିଡିଆରେ ଛଡାଯିବା ସହ ଗଣମାଧ୍ୟମରେ ବି ପ୍ରକାଶ କରାଯାଉଛି । ଏହା ଉପରେ ମଧ୍ୟ ନିର୍ବାଚନ କମିଶନ ନିଜ ଆଡୁ ପଦକ୍ଷେପ ନେଉଛନ୍ତି ।

ନିକଟରେ ବଲାଙ୍ଗିର ଜିଲ୍ଲାର ପୁଇଁତଳା ବ୍ଲକ ଅର୍ନ୍ତଗତ ବିଲେଇସର୍ତାରେ ବିନା ପ୍ରତିଦ୍ୱନ୍ଦିତାରେ ସରପଞ୍ଚ ପ୍ରାର୍ଥୀଙ୍କୁ କିଛି ସ୍ଥାନୀୟ ମୁରବୀ ଲୋକ ବାଛିଛନ୍ତି ଏବଂ ଏଥିଲାଗି ସମ୍ପୃକ୍ତ ପ୍ରାର୍ଥୀ ୪୪ହଜାର ଟଙ୍କା ଦେବେ ବୋଲି କେତେକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବାବେଳେ ଆଉ କେତେକ ଏହା ୪୪ଲକ୍ଷ ବୋଲି ଦର୍ଶାଇଛନ୍ତି । ଆଶାୟୀ ପ୍ରାର୍ଥୀ ଓ ସମ୍ପୃକ୍ତ ମୁରବୀମାନେ ନିଦ୍ୱର୍ନ୍ଦରେ ସରପଞ୍ଚ ପ୍ରାର୍ଥୀ ଚୟନ କଥାକୁ ସ୍ୱୀକାର କରିଛନ୍ତି । ଗଣମାଧ୍ୟମରେ ଏହି ସମାଚାର ପ୍ରସାରଣ ପରେ ରାଜ୍ୟ ନିର୍ବାଚନ କମିଶନ ଏ ସଂକ୍ରାନ୍ତରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଠାରୁ ସ୍ପଷ୍ଟିକରଣ ଚାହିଁବାରେ ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀମାନେ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।

ସେହିଭଳି କେନ୍ଦ୍ରାପଡା ଜିଲ୍ଲା ମା’ତାରିଣୀ ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନରେ ଆୟୋଜିତ ଏକ ସଭାରେ କଲେଜର ଅଧ୍ୟକ୍ଷ ଏବଂ ସାଲେପୁର ଏସ୍‍ଡିପିଓ ଉପସ୍ଥିତ ରହି ଜଣେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବା ପରିପ୍ରେକ୍ଷୀରେ ନିର୍ବାଚନ କମିଶନ ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏହା ଫଳରେ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ନିର୍ବାଚନ କମିଶନ ଚାପର ଉର୍ଦ୍ଧରେ ରହି ନିରପେକ୍ଷ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହି ଘଟଣା ପ୍ରଚାରିତ ହେବାପରେ ଅନ୍ୟ ଅଞ୍ଚଳର ଅଧିକାରୀମାନଙ୍କ ଉପରେ ପ୍ରଭାବ ପଡୁଛି ।

ରାଜ୍ୟର ବିଭିନ୍ନ ଅଞ୍ଚଳରେ ପୂର୍ବରୁ ଲଗାଯାଇଥିବା ସରକାରୀ ବିଜ୍ଞାପନଗୁଡିକୁ ତୁରନ୍ତ ହଟାଇ ଦେବାଲାଗି ନିର୍ବାଚନ କମିଶନ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସତ୍ୱେ ଅନେକ ଅଞ୍ଚଳରେ ନେତାମାନଙ୍କ ଫଟୋ ଥିବା ବିଜ୍ଞାପନ ଖୋଲାଯାଇ ନାହିଁ । ଏଥିଘେନି ସ୍ଥାନୀୟ ଅଧିକାରୀମାନଙ୍କ ପ୍ରତି ଯେକୌଣସି ସମୟରେ କମିଶନଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

ଏବେ ରାଜଧାନୀରେ ପ୍ରାୟ କେହି ବିଧାୟକ ଓ ମନ୍ତ୍ରୀ ନାହାନ୍ତି । ଦୁଇ ଚାରିଜଣ ମନ୍ତ୍ରୀ ବିଧାୟକଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ନିଜ ନିଜ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଚୟନ ଓ ସେମାନଙ୍କ ମନୋନୟନପତ୍ର ଦାଖଲରେ ବ୍ୟସ୍ତ ରହିବା ସହ ବିଦ୍ରୋହୀ ପ୍ରାର୍ଥୀମାନଙ୍କୁ ମନାଇବାରେ ନାକେଦମ ହେଲେଣି । ନିର୍ବାଚନମଣ୍ଡଳୀ ଗୁଡିକରେ ପରସ୍ପର ବିରୋଧି ଦଳର ରାଜନେତାମାନଙ୍କ ଉପସ୍ଥିତି ଯୋଗୁଁ କର୍ମୀ ମହଲରେ ଉତ୍ତେଜନା ଲାଗି ରହୁଥିବାରୁ ଯେକୌଣସି ସମୟରେ ଏହା ବିସ୍ଫୋରକ ସ୍ଥିତିରେ ପହଞ୍ଚିପାରେ । (ତଥ୍ୟ)