ଭୁବନେଶ୍ୱର : ଚଳିତବର୍ଷର ବନ୍ୟାରେ ରାଜଧାନୀର ତଳିଆ ଅଞ୍ଚଳରେ ପାଣି ପଶି ଘରଦ୍ୱାର ବୁଡିବା ପରେ ଏବେ ଏଠାରେ ଘର ତିଆରି ପାଇଁ କିଭଳି ଅନୁମତି ମିଳିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଶେଷକରି ରାଜଧାନୀର ବିଭିନ୍ନ ତଳିଆ ଅଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବା ଯୋଗୁଁ ଲୋକେ ଏବେ ଜଳବନ୍ଦୀ ଦଶା ଭୋଗୁଛନ୍ତି ।
ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଘର ତିଆରି ପାଇଁ ବିଡିଏ, ବିଏମ୍ସି ଆଦି ସଂସ୍ଥାଠାରୁ ଅନୁମତି ନେବାକୁ ପଡିଥାଏ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଲ୍ଡରମାନେ ଅନୁମତି ନେବା ସହିତ ଖାଲୁଆ ଅଞ୍ଚଳରେ ଏକାଧିକ ଘର ତିଆରି କରି ନିଜେ ରହିବା ସହିତ ବିକ୍ରି କରିଛନ୍ତି । ରାଜଧାନୀରେ ନିଜର ଘରଟିଏ କରିବାର ଲାଳସା ଥିବା ଲୋକେ ବି ଆଗପଛ ନବିଚାରି ଏମାନଙ୍କୁ ଠାରୁ ଘର କିଣିଛନ୍ତି ।
ହେଲେ ଏବେ ରାଜଧାନୀର ଅନ୍ୟତମ ପ୍ରମୁଖ ଅଞ୍ଚଳ ସୁନ୍ଦରପଦାରେ ଦୟାନଦୀର ଜଳ ପ୍ରବେଶ କରିବାପରେ କିଭଳି ଖାମଖିଆଲି ଢଙ୍ଗରେ ଅନୁମତି ଦିଆଯାଇଛି ଓ ଲୋକେ ଆଗ ପଛ ନବିଚାରି ଘର କିଣିଛନ୍ତି ତାହାର ବାସ୍ତବ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ଏହିସବୁ ଖାଲୁଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଜାଣି ସୁଦ୍ଧାର ଏହାର କୌଣସି ପ୍ରତିକାର ନକରି ବଡ ବଡ କୋଠା କରିଦିଆଯିବା ଫଳରେ ଏବେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏକାଧିକ କୋଠାର ତଳ ମହଲାରେ ପାଣି ପଶିବା ଫଳରେ ଚାରି ଚକିଆ ଯାନରେ ଯା’ ଆସ କରୁଥିବାବେଳେ ଲୋକେ ଏବେ ଲୁଙ୍ଗି ପିନ୍ଧି ବେକେ ପାଣିରେ ପଶି ବାହାରକୁ ଆସୁଛନ୍ତି ।
ତେବେ ଏଭଳି ଦୁର୍ଦ୍ଦଶା ପାଇଁ ବହୁ ଲୋକେ ସରକାରୀକଳ ବିଶେଷକରି ବିଡିଏର ଅନୁମତି ପ୍ରଦାନ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି । ଏପରିକି ବିଡିଏର କିଛି ଅଧିକାରୀ ଏ ନେଇ ଅସନ୍ତୋଷ ପ୍ରକଟ କରିବା ସହିତ ଡିଗ୍ରୀଧାରୀ ଟାଉନ ପ୍ଲାନରଙ୍କ ଅଭାବ ଯୋଗୁଁ ଏଭଳି ସ୍ଥିତି ଉପୁଜୁଥିବା କହୁଛନ୍ତି । ଉଲ୍ଲେଖନୀୟ ଯେ ୨୦୦୭ ମସିହାରେ ଆଇଆଇଟି ଖଗଡପୁର ଦ୍ୱାରା ସିଡିପି ପ୍ରସ୍ତୁତ ହୋଇଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳର ସ୍ଥିତିକୁ ଅନୁଧ୍ୟାନ ନକରି କିଛି ଅନଭିଜ୍ଞ ବାବୁ ଆପାର୍ଟମେଣ୍ଟ ଓ ଘର ତିଆରିପାଇଁ ଆଖିବୁଜା ଅନୁମତି ଦେଇଦେଲେ । ଯାହାର ଫଳ ଆଜି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସରକାରୀକଳ ଭୋଗୁଛନ୍ତି ।
କେବଳ ସୁନ୍ଦରପଦା ଅଞ୍ଚଳ ନୁହେଁ, ରାଜଧାନୀର ଆଖପାଖ ବହୁ ତଳିଆ ଅଞ୍ଚଳରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଏଭଳି ଅନୁମତି ପ୍ରଦାନ କରାଯାଇଛି । ଇଷ୍ଟ କୁଆଖାଇ ଡେଭଲପମେଣ୍ଟ ଏରିଆରେ ମଧ୍ୟ ଅନୁରୂପ ନିର୍ମାଣ ଅନୁମତି ପ୍ରଦାନ କରାଯାଇଛି । ଫଳରେ ଯେଉଁ ଲକ୍ଷ୍ୟ ନେଇ ଯୋଜନାଟି ପ୍ରସ୍ତୁତ ହୋଇଥିଲା ତାହା ଏବେ ଏକ ପ୍ରକାର ଦିଗହରା ହୋଇପଡିଛି ।
ତେଣୁ ଆଗାମୀ ଦିନରେ ସହରତଳି ଅଞ୍ଚଳ ବିଶେଷକରି ଜଳ ଜମୁଥିବା ଅଞ୍ଚଳରେ ଘର ତିଆରି ପାଇଁ ଅନୁମତି ନଦେବାକୁ ମତପ୍ରକାଶ ପାଉଛି । କାରଣ ଥରେ ଘର ତିଆରି ହେଲାପରେ ସେଠାକାର ଲୋକେ ଲାଗିପାତି ଏହି ଅଞ୍ଚଳକୁ ବିଏମ୍ସି ଇଲାକାରେ ସାମିଲ କରୁଛନ୍ତି । ହେଲେ ଯେତେବେଳେ ଜଳବନ୍ଦୀରେ ଫସୁଛନ୍ତି ସେତେବେଳେ ସରକାରୀକଳକୁ ଦୋଷ ଦେବାକୁ ପଛାଉ ନଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)