ଭୁବନେଶ୍ୱର : ରାଜ୍ୟ ସରକାର ଯୋଗାଉଥିବା ଆକ୍ୱାଗାର୍ଡ ମାନର ବିଶୁଦ୍ଧ ପାନୀୟଜଳରୁ ସିଂହଭାଗ ପାନୀୟ ଓ ଖାଦ୍ୟ ବଦଳରେ ଅନ୍ୟ କାର୍ଯ୍ୟରେ ଲାଗୁଛି । ବିଶେଷକରି ସହରାଞ୍ଚଳରେ ଏହି ଜଳ ଲୋକଙ୍କ ବାଡି ବଗିଚାରେ ଥିବା ଫୁଲକୁଣ୍ଡରେ ଦିଆଯିବା ସହିତ ଗାଡିମୋଟର ଧୂଆ କାର୍ଯ୍ୟରେ ବ୍ୟବହୃତ ହେଉଛି । ଶୌଚାଳୟରେ ବି ଏହି ଜଳ ଅପଚୟ ହେବାରେ ଲାଗିଛି ।
ଗତ ଆଠବର୍ଷ ମଧ୍ୟରେ ରାଜ୍ୟ ସରକାର ମୁଣ୍ଡପିଛା ଜଳ ଯୋଗାଣ ପରିମାଣ ୩୦ ଲିଟର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ୨୦୧୫-୧୬ ଓ ୨୦୧୬-୧୭ ବର୍ଷରେ ମୁଣ୍ଡପିଛା ୪୦ ଲିଟର ହିସାବରେ ଜଳ ଯୋଗାଣ ହେଉଥିବାବେଳେ ୨୦୨୨-୨୩ ବର୍ଷ ବେଳକୁ ଏହା ୭୦ଲିଟରରେ ପହଞ୍ଚିଛି । ସହରାଞ୍ଚଳର କେତେକ ସ୍ଥାନରେ ଏହାର ପରିମାଣ ଢେର ଅଧିକ ରହୁଛି ।
ବର୍ତ୍ତମାନ ରାଜ୍ୟ ରାଜଧାନୀ ଠାରୁ ଆରମ୍ଭ କରି ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ଯୋଜନାରେ ଲୋକଙ୍କୁ ଆକ୍ୱାଗାର୍ଡ ମାନର ଜଳ ଯୋଗାଣ ହେଉଛି । ଲୋକେ ଯେଭଳି ସିଧାସଳଖ ପାଣି ଟ୍ୟାପରୁ ପିଇ ପାରିବେ ସେଥିପାଇଁ ନିୟମିତର ଜଳର ମାନ ପରୀକ୍ଷା ସହିତ ଏହାକୁ ବିଶୋଧନ କରାଯାଉଛି । ବିଶେଷଜ୍ଞମାନଙ୍କ ମତରେ ଏଭଳି ଗୁଣମାନର ଜଳ ଯୋଗାଣ ପାଇଁ ଲିଟର ପିଛା ୧୦ ରୁ ୨୦ ପଇସା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି ।
ତେବେ ଏହି ବ୍ୟୟବହୁଳ ବିଶୁଦ୍ଧ ଜଳର ବ୍ୟବହାର କିନ୍ତୁ ଭିନ୍ନ ପ୍ରକାରେ ହେଉଥିବା ଦେଖିବାକୁ ମିଳୁଛି । ଏହାକୁ ପାନୀୟ ଓ ଖାଦ୍ୟ ପ୍ରସ୍ତୁତ ସହିତ ଲୋକେ ବାଡି ବଗିଚାରେ ଦେଉଛନ୍ତି ଓ ଗାଡିମୋଟର ଧୋଇବାରେ ବ୍ୟବହାର କରୁଛନ୍ତି । ଗାଧୁଆଘର ଓ ପାଇଖାନାରେ ବି ଏହି ଜଳ ବ୍ୟବହାର ହେଉଛି । ଫଳରେ ଲୋକେ ଯେତିକି ପରିମାଣର ଜଳ ଖାଦ୍ୟ ପ୍ରସ୍ତୁତି ଓ ପାନୀୟ ଭାବେ ବ୍ୟବହାର କରୁଛନ୍ତି ତାହାର ଢେରଗୁଣ ଅଧିକ ଜଳକୁ ଅନ୍ୟ କାର୍ଯ୍ୟରେ ଲଗାଉଛନ୍ତି ।
ସହରାଞ୍ଚଳର ଯେଉଁସବୁ ଅଞ୍ଚଳରେ ୨୪ଘଣ୍ଟିଆ ଏହି ମାନର ଜଳ ଯୋଗାଣ ହେଉଛି ସେଠାରେ ଜଳର ଅପବ୍ୟବହାର ଅଧିକ ରହୁଛି । ଜଳର ଅଭାବ ନଥିବାରୁ ଲୋକେ ମନଇଚ୍ଛା ଏଭଳି ଜଳକୁ ବ୍ୟବହାର କରୁଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ବାଡିବଗିଚା, ଗାଡି ଓ ଲୁଗାପଟା ଧୋଇବା ସହିତ ଶୌଚାଳୟରେ ବ୍ୟବହାର ପାଇଁ ବିକଳ୍ପ ଜଳର କୌଣସି ବ୍ୟବସ୍ଥା ନାହିଁ । ପୂର୍ବରୁ ଏହି ମାନର ଜଳ ଯୋଗାଣ ପାଇଁ ଯେଉଁସବୁ ପାଇପ୍ ବିଛା ଯାଇଥିଲା ତାହାକୁ କର୍ତ୍ତୃପକ୍ଷ କାଢି ନେଇଛନ୍ତି । ତେଣୁ ଲୋକେ ମଧ୍ୟ ବିକଳ୍ପ ଜଳ ନପାଇ ଅଧିକ ଖର୍ଚ୍ଚକରି ସରକାର ଯୋଗାଉଥିବା ଆକ୍ୱାଗାର୍ଡ ମାନର ପାନୀୟଜଳକୁ ଫୁଲକୁଣ୍ଡରେ ଦେବା ସହିତ ଗାଡିମୋଟର ଧୋଇବା କାର୍ଯ୍ୟରେ ଲଗାଉଛନ୍ତି ।
ବର୍ତ୍ତମାନ ଗାଁ ଗହଳରେ ମଧ୍ୟ ପ୍ରତି ଘରକୁ ଉନ୍ନତ ମାନର ପାନୀୟଜଳ ଯୋଗାଣ ହେଉଛି । ତେବେ ଲୋକେ ଏହାକୁ ପାନୀୟ ଓ ଖାଦ୍ୟ ପ୍ରସ୍ତୁତିରେ ଯେତିକି ବ୍ୟବହାର କରୁନାହାନ୍ତି ତାହାଠାରୁ ଢେର ଅଧିକ ଅନ୍ୟ କାର୍ଯ୍ୟରେ ବିନିଯୋଗ କରୁଛନ୍ତି । ଗାଁ ଗହଳରେ ଜଳ ଯୋଗାଣ ପାଇଁ ୨୦୧୫-୧୬ ବର୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥ ସହିତ ବିଭିନ୍ନ ଉତ୍ସରୁ ୭୨୧ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ୨୦୨୨-୨୩ ବର୍ଷରେ ୭୫୩୮ କୋଟି ଟଙ୍କା ବ୍ୟୟ ହୋଇଥିଲା । ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ଶେଷସୁଦ୍ଧା ଏ ବାବଦରେ ୨୭୬୫ କୋଟି ଟଙ୍କା ବ୍ୟୟ ହୋଇଥିବା ଜଣାଯାଇଛି । ପାନୀୟଜଳ ବାବଦରେ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ଏହାର ଠିକଣା ସଦୁପଯୋଗ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)