ଭୁବନେଶ୍ୱର : ଓଡିଶାରୁ ଦିଲ୍ଲୀ, ମୁମ୍ବାଇ ଓ କୋଲକତା ଭଳି ସହରକୁ ଆକାଶମାର୍ଗରେ ଯାଉଥିବା ଯାତ୍ରୀଙ୍କୁ ଏବେ ଆକାଶଛୁଆଁ ଦର ପଇଠ କରିବାକୁ ପଡୁଛି । ବିମାନଭଡା ଏବେ ୨ରୁ ୩ଗୁଣ ବଢିଛି ।
ଭୁବନେଶ୍ୱରରୁ ନୂଆଦିଲ୍ଲୀ ମଧ୍ୟରେ ସିଧାସଳଖ ଚଳାଚଳ କରୁଥିବା ବିମାନଗୁଡିକରେ ଭଡା ସାଧାରଣତଃ ୫ରୁ ୭ହଜାର ଟଙ୍କା ମଧ୍ୟରେ ରହୁଥିବାବେଳେ ଏବେ ତାହା ୨୦ହଜାର ଟଙ୍କାକୁ ଛୁଇଁଲାଣି । ଅନ୍ୟ ସହର ଦେଇ ଯାଉଥିବା ବିମାନର ଭଡା ୨୫ରୁ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଅବସ୍ଥା ଏଭଳି ହୋଇଛି କୌଣସି ଜରୁରୀ କାର୍ଯ୍ୟରେ ଏହିସବୁ ସହରକୁ ତତ୍କାଳ ଟିକଟ କାଟି ବିମାନରେ ଯିବାକୁ ଯାତ୍ରୀମାନେ ପଛଘୁଞ୍ଚା ଦେଲେଣି ।
ଶିକ୍ଷାନୁଷ୍ଠାନୁଗୁଡିକ ଛୁଟି ସହିତ ଲମ୍ବା ସରକାରୀ ଛୁଟି ପଡିଥିବାରୁ ଲୋକେ ପରିବାର ସହ ରାଜ୍ୟ ବାହାରକୁ ବୁଲାବୁଲି କରିବାକୁ ଯାଉଛନ୍ତି । ଏଥି ସହିତ କେତେକ ଲୋକ ଜରୁରୀ କାର୍ଯ୍ୟରେ ମଧ୍ୟ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁର, କୋଲକତା ଭଳି ସହରକୁ ଯାଉଛନ୍ତି । ଏହାବାଦ୍ ଏବେ ରାଜ୍ୟରେ ରାଜନୈତିକ ସ୍ଥିତି ସରଗରମ ବିଶେଷକରି ଦୁଇ ଜାତୀୟଦଳ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରସ୍ତୁତ ଚାଲିଥିବାରୁ ଏହାର ନେତାମାନେ ଦୈନିକ ଦିଲ୍ଲୀ ଦଉଡୁଛନ୍ତି । ଏପରିକି ଶୀର୍ଷସ୍ତରୀୟ ନେତାମାନେ ନିଜ ଅନୁଗତଙ୍କୁ ଧରି ଦିନକୁ ଏକାଧିକ ଥର ବିମାନଯାତ୍ରା କରୁଛନ୍ତି ।
ଏଥିପାଇଁ ଭୁବନେଶ୍ୱର ଛାଡୁଥିବା ଅଧିକାଂଶ ବିମାନରେ ସ୍ଥାନ ମିଳୁନାହିଁ । ଯେଉଁ କେତୋଟି ସ୍ଥାନ ରହୁଛି ବିମାନ କମ୍ପାନୀମାନେ ଆଖିବୁଜା ଅର୍ଥ ଆଦାୟ କରୁଛନ୍ତି । ଆର୍ଥିକ ବର୍ଷର ଶେଷ ଦିନରେ ଆଜି ଭୁବନେଶ୍ୱରରୁ କୋଲକତାକୁ ବିମାନଭଡା ସର୍ବନିମ୍ନ ୫ହଜାର ଟଙ୍କା ଥିାବବେଳେ ସର୍ବାଧିକ ୩୦ହଜାର ଟଙ୍କା ରହିଛି । ଯେଉଁଯାତ୍ରୀମାନେ ମୁମ୍ବାଇ ବାଟଦେଇ କୋଲକତା ଯିବେ ସେମାନଙ୍କୁ ପାଖାପାଖି ୩୦ହଜାର ଟଙ୍କା ଗଣିବାକୁ ପଡୁଛି । ବେଙ୍ଗାଲୁରକୁ ମଧ୍ୟ ସମାନ ଅବସ୍ଥା । ଏଠାକୁ ସର୍ବନିମ୍ନ ଭଡା ୧୨ହଜାର ଟଙ୍କା ରହିଛି । ଉୁବନେଶ୍ୱର-ମୁମ୍ବାଇରେ ବିମାନଭଡା ୧୬ରୁ ୧୮ହଜାର ଟଙ୍କା ରହିଛି ।
ଓଡିଶାରୁ ବିଭିନ୍ନ ସହରକୁ ଯିବାପାଇଁ ଅଧିକାଂଶ ରେଳଗାଡିରେ ଟିକଟ ନାହିଁ । ତିନି ଚାରିମାସ ତଳୁ ସବୁ ଟିକଟ ବିକ୍ରି ସରିଛି । ଏସି ବଗିଗୁଡିକରେ ୱେଟିଂ ତାଲିକା ଢେର ଅଧିକ ରହୁଥିବାରୁ ଲୋକେ ବିମାନ ଉପରେ ନିର୍ଭର କରୁଛନ୍ତି । ତେବେ ରେଳଭଡା ଠାରୁ ବିମାନଭଡା ଏବେ ୫ଗୁଣରୁ ଅଧିକ ହୋଇଯିବାରୁ ସାଧାରଣ ଲୋକେ ଏବେ ଅକଳରେ ପଡିଛନ୍ତି । ଅତି ଜରୁରୀ କାମ ନଥିଲେ ଏତେ ଉଚ୍ଚ ଭଡା ଦେଇ ଯିବାକୁ ରାଜି ହେଉନାହାନ୍ତି ।
ଅନ୍ୟ ପକ୍ଷରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧିନରେ ଥିବା ବିମାନ କମ୍ପାନୀଗୁଡିକ ମଉକା ଦେଖି ଲୋକଙ୍କୁ ମନଇଚ୍ଛା ଲୁଟ୍ ଚଳାଇଥିବାବେଳେ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ କି ଭଡା ଦର ସ୍ଥିର ରଖିବାକୁ ସରକାର ପଦୁଟିଏ ହେଲେ କହୁନାହାନ୍ତି । ତେଣୁ ଲୋକଙ୍କ ବିପତ୍ତିକୁ ନିଜର ସମ୍ପତ୍ତି ବୋଲି ବିମାନ କମ୍ପାନୀମାନେ ଧରି ନେଇଥିବା ଏବେ ଯାତ୍ରୀମାନେ ଖୋଲାଖୋଲି ଭାବେ କହୁଛନ୍ତି । (ତଥ୍ୟ)