ଭୁବନେଶ୍ୱର : ବ୍ୟାଙ୍କ୍ ଆକାଉଣ୍ଟ ସ୍ଥାନାନ୍ତରଣରେ ବିଳମ୍ବ ଯୋଗୁଁ ରାଜ୍ୟରେ ସ୍ଫୁର୍ତ୍ତି ଯୋଜନାରେ ପ୍ରତିଷ୍ଠା ହୋଇଥିବା ପ୍ରାୟ ୨୪ଟି ପ୍ରକଳ୍ପ ଏକ ପ୍ରକାର ଅଚଳ ଅବସ୍ଥାରେ । ଦୀର୍ଘ ନଅ ମାସ ଧରି ନୂଆ ବ୍ୟାଙ୍କ୍ରେ ଏମାନଙ୍କ ଆକାଉଣ୍ଟ ଖୋଲାଯାଇ ପାରୁନାହିଁ ।
ସ୍ଥାନୀୟ ଉତ୍ପାଦ ଓ ପାରମ୍ପରିକ କାରିଗରଙ୍କୁ ନେଇ ନିଯୁକ୍ତି ସୁଯୋଗ ସୃଷ୍ଟି ସକାଶେ କେନ୍ଦ୍ର ସରକାର ପ୍ରଚଳିତ କରିଥିବା ସ୍ଫୁର୍ତ୍ତି ଯୋଜନାରେ ରାଜ୍ୟରେ ୪୨ଟି କ୍ଲଷ୍ଟର ନିର୍ମାଣର ଲକ୍ଷ୍ୟ ଥିବାବେଳେ ପ୍ରାୟ ୨୬ଟି ନିର୍ମାଣ ହୋଇଛି । ଉଭୟ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ଏମଏସଏମଇ ଓ ବେସରକାରୀ ଅନୁଷ୍ଠାନ ମିଳିତ ଭାବେ ଏହାର ନିର୍ମାଣ କରିଛନ୍ତି । ତଦନୁଯାୟୀ ପ୍ରଥମେ ଭାରତୀୟ ଷ୍ଟେଟବ୍ୟାଙ୍କ୍ରେ ଏହାର ଆକାଉଣ୍ଟ ଖୋଲିଥିଲା ଏବଂ ସେହି ଆକାଉଣ୍ଟରେ ସମସ୍ତ ଆର୍ଥିକ କାରବାର ହେଉଥିଲା । ପ୍ରକଳ୍ପ ସମୟରେ କେନ୍ଦ୍ରୀୟ ଅର୍ଥରେ ଘର ନିର୍ମାଣ ଠାରୁ ଆରମ୍ଭକରି ଯନ୍ତ୍ର ପାତି ଖରିଦ ଓ କର୍ମଚାରୀଙ୍କ ବେତନ ମଧ୍ୟ ଦିଆଯାଉଥିଲା ।
ଏଥି ସହିତ ବିଭିନ୍ନ ପ୍ରକଳ୍ପ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ ପାଇଁ ଆବଶ୍ୟକ ପଡୁଥିବା ଅର୍ଥ ମଧ୍ୟ ଏହି ଆକାଉଣ୍ଟ ଜରିଆରେ ନେଣ ଦେଣ କରୁଥିଲେ । ତେବେ କେନ୍ଦ୍ର ସରକାର ଭାରତୀୟ ଷ୍ଟେଟବ୍ୟାଙ୍କ ପରିବର୍ତ୍ତେ ସ୍ଫୁର୍ତ୍ତି ଯୋଜାନରେ ପ୍ରତିଷ୍ଠା ହୋଇଥିବା ପ୍ରକଳ୍ପ ଗୁଡିକର ଆକାଉଣ୍ଟ ୟୁନିଅନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଖୋଲିବାକୁ ନିଷ୍ପତ୍ତି ଗ୍ରହଣ କଲେ ।
ଏଥିପାଇଁ ପ୍ରକଳ୍ପ ଚଳାଉଥିବା ବେସରକାରୀ ସଂସ୍ଥାଗୁଡିକ ପୁଣି ଥରେ ‘ଦାସେ ଆଇଲେ ମୂଳର ଗା’ ନୀତିରେ ନୂଆ ଆକାଉଣ୍ଟ ଖୋଲିବାପାଇଁ ସମସ୍ତ କାଗଜପତ୍ର ପଇଠ କଲେ । ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ସହାୟତାରେ ଏହି ଆକାଉଣ୍ଟ ଖୋଲାଯିବା କଥା । ତେବେ କୌଣସି କାରଣ ଯୋଗୁଁ ପ୍ରାୟ ୯ମାସ ଧରି ଆକାଉଣ୍ଟ ଖୋଲାଯାଇ ପାରିଲା ନାହିଁ ।
ଦୀର୍ଘ ନଅ ମାସ ଧରି ଆକାଉଣ୍ଟ ଖୋଲା ନହୋଇ ପାରିବାରୁ ଅନେକ ପ୍ରକଳ୍ପର କାରବାର ପ୍ରଭାବିତ ହେବା ସହିତ ନିଯୁକ୍ତ ହୋଇଥିବା କର୍ମଚାରୀମାନଙ୍କୁ ସେମାନେ ପାଉଣା ଦେଇପାରୁ ନାହାନ୍ତି । କେତେକ ପ୍ରକଳ୍ପ କର୍ତ୍ତୃପକ୍ଷ ବାଧ୍ୟହୋଇ ସେମାନଙ୍କ କର୍ମଚାରୀଙ୍କୁ ବିଦାକରି ଦେଇଛନ୍ତି । ଯଦି ତୁରନ୍ତ କର୍ତ୍ତୃପକ୍ଷ ଆକାଉଣ୍ଟ ନଖୋଲନ୍ତି ବହୁ ପ୍ରକଳ୍ପରେ ତାଲା ଝୁଲିବା ଏକ ପ୍ରକାର ନିଶ୍ଚିତ ।
ଏଠାରେ ଉଲ୍ଲେଖନୀୟ ଯେ ଓଡିଶାର ବିଭିନ୍ନ ସ୍ଥାନୀୟ ଉତ୍ପାଦ ଯେପରିକି ମହୁ, ଲାଖ, ବାଉଁଶ, ପିତଳ, ଟେରାକୋଟା, ହଳଦୀ, ଶିଙ୍ଗ, ପଥର ଆଦିକୁ ନେଇ ପାରମ୍ପାରିକ ଶିଳ୍ପୀଙ୍କ ଦ୍ୱାରା ବିଭିନ୍ନ ସାମଗ୍ରୀ ଉତ୍ପାଦନ କରାଯିବ । ଏହାଦ୍ୱାରା କେବଳ ଶିଳ୍ପ ନୁହନ୍ତି ଆଖପାଖର ଲୋକେ ମଧ୍ୟ ବ୍ୟାପକ କର୍ମନିଯୁକ୍ତି ପାଇପାରିବେ । ତେବେ ବର୍ତ୍ତମାନ ସରକାରଙ୍କ ଆକାଉଣ୍ଟ ସ୍ଥାନାନ୍ତରଣ ନିଷ୍ପତ୍ତି ଏ କ୍ଷେତ୍ରରେ ବଡ ବାଧକ ସାଜିଥିବା ଜଣାଯାଇଛି । (ତଥ୍ୟ)