Home General ଆଉ ଦୁଇବର୍ଷ ଲାଗିବ

ଆଉ ଦୁଇବର୍ଷ ଲାଗିବ

ଭୁବନେଶ୍ୱର : ରାଜ୍ୟର ସମସ୍ତ ପରିବାରକୁ ପାଇପ୍‍ ଯୋଗେ ପାନୀୟ ଜଳ ଯୋଗାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଆହୁରି ଦୁଇ ବର୍ଷରୁ ଅଧିକ ସମୟ ଲାଗିବ । ୨୦୨୫ ଶେଷ ସୁଦ୍ଧା ସମସ୍ତଙ୍କୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ ସମ୍ଭବ ହେବବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ମୋଟ୍‍ ୪୭,୨୭୪ଟି ଗ୍ରାମ ମଧ୍ୟରୁ ୧୯,୧୩୧ ଗୋଟି ଗ୍ରାମର ୫୭ଲକ୍ଷରୁ ଅଧିକ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ସଂଯୋଗ କରାଯାଇଛି । ଅବଶିଷ୍ଟ ଗ୍ରାମକୁ ୨୦୨୫ ଶେଷ ସୁଦ୍ଧା ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ ପାଇଁ ଲକ୍ଷ୍ୟ ରହିଛି । ବର୍ତ୍ତମାନ ଏହିସବୁ ଗ୍ରାମରେ ଥିବା ପରିବାରଗୁଡିକ ବୋରୱେଲ ଓ ଟ୍ୟୁବୱେଲ ମାଧ୍ୟମରେ ପାନୀୟଜଳ ପାଉଛନ୍ତି ।

ତେବେ କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜଳଜୀବନ ମିଶନ ମାଧ୍ୟମରେ ୨୦୨୪ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ ପାଇଁ ଘୋଷଣା ହୋଇଥିଲା । ଜଳ ଜୀବନ ମିଶନ ଯୋଜନାରେ ରାଜ୍ୟର ୪୭ ହଜାର ଗ୍ରାମ ମଧ୍ୟରୁ ୨୧,୭୨୪ଟି ଗ୍ରାମ ଉପକୃତ ହେବେ

ବର୍ତ୍ତମାନ ରାଜ୍ୟର ଯେଉଁ ୨୮,୧୪୩ଟି ଗ୍ରାମକୁ ପାଇପ୍‍ ଯୋଗେ ଜଳ ଯାଗାଣ କାର୍ଯ୍ୟ ଜାରି ରହିଛି ସେଥି ମଧ୍ୟରେ ସର୍ବଧିକ ୨୭୨୭ଟି ଗ୍ରାମ ମୟୁରଭଞ୍ଜ ଜିଲ୍ଲାରେ ଥିବାବେଳେ କନ୍ଧମାଳରେ ୨୨୬୭ଟି ଗ୍ରାମ ରହିଛି । ସେହିଭଳି ରାୟଗଡାରେ ୧୯୦୩, କଳାହାଣ୍ଡିରେ ୧୬୫୯, ସୁନ୍ଦରଗଡରେ ୧୪୦୯, କେନ୍ଦୁଝରରେ ୧୩୮୬, ଗଜପତରେ ୧୩୫୦, କୋରାପୁଟରେ ୧୩୪୮, ଗଞ୍ଜାମରେ ୧୦୯୧, ବାଲେଶ୍ୱରରେ ୧୦୪୪, ଯାଜପୁରରେ ୧୦୦୬ ଟି ଗ୍ରାମ ରହିଛି । ଅନ୍ୟାନ୍ୟ ଜିଲ୍ଲାରେ ଏହି ଗ୍ରାମ ସଂଖ୍ୟା ହଜାରେ ତଳକୁ ଥିବାବେଳେ ସବୁଠାରୁ କମ୍‍ ୭୮ଟି ଗ୍ରାମ ନୂଆପଡା ଜିଲ୍ଲାରେ ରହିଛି ।

ତେବେ ବର୍ତ୍ତମାନ ସୁଦ୍ଧା ମୋଟ୍‍ ୫୭,୩୬,୩୫୫ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ସଂଯୋଗ ହୋଇଥିବାବେଳେ ଏଥି ମଧ୍ୟରେ ସର୍ବାଧିକ ୪.୬୮ ଲକ୍ଷରୁ ଅଧିକ ପରିବାର ଗଞ୍ଜାମ ଜିଲ୍ଲାରେ ରହିଛି । ସେହିଭଳି ବାଲେଶ୍ୱର ଜିଲ୍ଲାରେ ୪ଲକ୍ଷରୁ ଅଧିକ ପରିବାରକୁ ପାଇପ୍‍ ଜଳ ଯୋଗାଣ ସଂଯୋଗ ମିଳିଥିବାବେଳେ କେନ୍ଦୁଝର ଜିଲ୍ଲାରେ ଏହି ପରିବାର ସଂଖ୍ୟା ୩.୩୨ ଲକ୍ଷରୁ ଅଧିକ ରହିଛନ୍ତି । ସବୁଠାରୁ କମ୍‍ ୫୧ହଜାର ପରିବାର ମାଲକାନଗିରିରେ ଥିବା ଜଣାଯାଇଛି । (ତଥ୍ୟ)