ଭୁବନେଶ୍ୱର : ଏକ ବଡ଼ ଧରଣର ଘଟଣାକ୍ରମରେ ପଶ୍ଚିମ ଓଡିଶାର ବରିଷ୍ଠ ରାଜନେତା ତଥା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଜଣେ ପୁଲିସ୍ କର୍ମଚାରୀଙ୍କ ଗୁଳିମାଡରେ ମୃତ୍ୟୁବରଣ କରିଛନ୍ତି । ଗୁଳିମାଡ ପରେ ତାଙ୍କୁ ତୁରନ୍ତ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ପରେ ହେଲିକାପ୍ଟର ଯୋଗେ ଭୁବନେଶ୍ୱରର ଆପୋଲ ହସ୍ପିଟାଲକୁ ଅଣାଯାଇଛି । ଶେଷ ସୂଚନା ଅନୁଯାୟୀ ଆପୋଲୋ ହସ୍ପିଟାଲରେ ଶ୍ରୀ ଦାସଙ୍କ ଛାତିରେ ଅପରେସନ ସତ୍ୱେ ତାଙ୍କୁ ବଞ୍ଚାଯାଇ ପାରିନାହିଁ ।
ଆଜି ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରର ଗାନ୍ଧୀ ଛକ ନିକଟରେ ଏହି ଘଟଣା ଘଟିଥିଲା ଯେତେବେଳେ ମନ୍ତ୍ରୀ ଶ୍ରୀ ଦାସ ଏକ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ ।
ପୁଲିସ ପୋଷାକରେ ଥିବା ଆସିଷ୍ଟା ସବ୍ ଇନ୍ସପେକ୍ଟର (ଏଏସ୍ଆଇ) ହଠାତ ମନ୍ତ୍ରୀଙ୍କ ଗାଡି ନିକଟରେ ପହଞ୍ଚିବା ସହିତ ମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇଲା । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଏଏସଆଇ ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଛାତି ଉପରକୁ ଅତି ନିକଟରୁ ଚାରି କିମ୍ବା ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିଲା । ମନ୍ତ୍ରୀ ଘଟଣାସ୍ଥଳରେ ଚିତ୍କାର କରି ପଡି ଯାଇଥିଲେ ।
ଗୁରୁତର ଶ୍ରୀ ଦାସଙ୍କୁ ଭୁବନେଶ୍ୱର ଅଣାଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ୍, ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏବଂ ବରିଷ୍ଠ ଅଧିକାରୀମାନେ ଆପୋଲୋ ହସ୍ପିଟାଲରେ ପହଞ୍ଚିଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଶ୍ରୀ ଦାସଙ୍କ ଯତ୍ନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ବିମାନବନ୍ଦରରୁ ଗ୍ରୀନ୍ କରିଡର ଦେଇ ଆପୋଲୋ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ତୁରନ୍ତ ଅପରେସନ୍ ଥିଏଟରକୁ ନିଆଯାଇଥିଲା ଯେଉଁଠାରେ ତାଙ୍କୁ ଚିକିତ୍ସା କରାଯାଉଛି । ଆହତ ମନ୍ତ୍ରୀଙ୍କ ଅବସ୍ଥା ସମ୍ପର୍କରେ ମେଡିକାଲ ବୁଲେଟିନ୍ ଜାରି କରିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ।
ବ୍ରଜରାଜନଗର ସବ ଡିଭିଜନାଲ ପୋଲିସ ଅଧିକାରୀ (ଏସଡିପିଓ) ଗୁପ୍ତେଶ୍ୱର ଭୋଇ କହିଛନ୍ତି ଯେ ପୋଲିସ ଏଏସଆଇ ଗୋପାଳ ଦାସ ହଠାତ ତାଙ୍କ ସର୍ଭିସ ରିଭଲଭରରୁ ମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତଦନ୍ତ ପରେ ଏଏସଆଇ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନୁସନ୍ଧାନ ପରେ ମାମଲାର ଅଧିକ ବିବରଣୀ ଜଣାପଡିବ ବୋଲି ଏସଡିପିଓ କହିଛନ୍ତି ।
ବରିଷ୍ଠ ନେତାଙ୍କ ଉପରେ ହଠାତ ଆକ୍ରମଣ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଝାରୁସୁଗଡାର ଏକ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗୁଳି ବିନିମୟ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଏହି ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ ନିନ୍ଦା କରିବା ସହ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମନ୍ତ୍ରୀ ନବ ଦାସଙ୍କ ଉପରେ ହୋଇଥିବା ଦୁର୍ଭାଗ୍ୟଜନକ ଆକ୍ରମଣ ଘଟଣାରେ ମୁଁ ଆଶ୍ଚର୍ଯ୍ୟ । ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ମୁଁ ଦୃଢ ନିନ୍ଦା କରୁଛି ।
ଏହି ଘଟଣାର ତଦନ୍ତ ପାଇଁ କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି । କ୍ରାଇମ ବ୍ରାଞ୍ଚର ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ କୁହାଯାଇଛି ବୋଲି ସେ କହିଛନ୍ତି । ସୂଚନା ଅନୁଯାୟୀ କ୍ରାଇମ ବ୍ରାଞ୍ଚ ଏଡିଜି ଅରୁଣ ବୋଟ୍ରା ତାଙ୍କ ଟିମ୍ ସହିତ ବ୍ରଜରାଜନଗରରେ ପହଞ୍ଚିଛନ୍ତି ।