ଭୁବନେଶ୍ୱର : ରାଜ୍ୟ ଆଇନ୍ କମିଶନ ପ୍ରାୟ ତିନିବର୍ଷ ଧରି ଅଚଳ ହୋଇ ପଡିଛି । ଏବେ କେହି ଆଇନ୍ କମିଶନର ଅଧ୍ୟକ୍ଷ କି ସଦସ୍ୟ ନାହାନ୍ତି । ଫଳରେ ଯେଉଁ ମହତ ଉଦ୍ଦେଶ୍ୟ ରଖି ଏହି କମିଶନ ଗଢାଯାଇଥିଲା ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ ।
ଜାତୀୟ ସ୍ତରରେ କେନ୍ଦ୍ର ସରକାର ଆଇନ୍ କମିଶନ ରଖିଛନ୍ତି । ଏହାର ଜଣେ ଅଧ୍ୟକ୍ଷଙ୍କ ସମେତ ଆଉ କେତେଜଣ ସଦସ୍ୟ ଅଛନ୍ତି । ଆଇନ୍ ପ୍ରଣୟନ, ପୁରୁଣା ଆଇନ୍ରେ ସଂଶୋଧନ, ଆଇନ୍ର ଠିକଣା କାର୍ଯ୍ୟକାରିତା, ଅଚଳ ଆଇନ୍ଗୁଡିକୁ ଉଚ୍ଛେଦ କରିବା ସହିତ ମାମଲା ପରିଚାଳନା ଓ ଆଇନ୍ଗତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଆଇନ୍ କମିଶନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।
ସାଧାରଣତଃ ଅବସରପ୍ରାପ୍ତ ବିଚାରପତି ଏବଂ ବିଧି ବିଶେଷଜ୍ଞମାନଙ୍କୁ ଆଇନ୍ କମିଶନର ଅଧ୍ୟକ୍ଷ ଓ ସଦସ୍ୟ ଆଦି ପଦବୀରେ ରଖାଯାଇଥାଏ । ଏମାନଙ୍କୁ ମନ୍ତ୍ରୀଙ୍କ ଭଳି ସମାନ ମର୍ଯ୍ୟାଦା ମଧ୍ୟ ପ୍ରଦାନ କରାଯିବା ସହିତ ସ୍ୱତନ୍ତ୍ର ଦପ୍ତର ବ୍ୟବସ୍ଥା କରି ଏମାନଙ୍କ ଠାରୁ ସରକାର କାମ ଆଦାୟ କରିଥାନ୍ତି । ବିଶେଷକରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଇନ୍ କମିଶନ ରାଜ୍ୟସରକାରଙ୍କୁ ମାର୍ଗଦର୍ଶନ ଦେଇଥାଏ ।
ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସ୍ତରରେ ଥିବା ଅଭିଯୋଗ ସମାଧାନ ବ୍ୟବସ୍ଥା ସକରାତ୍ମକ ଭାବେ କାର୍ଯ୍ୟ କରୁନଥିବାରୁ ଓଡିଶାରେ ମାମଲାସଂଖ୍ୟା ବଢି ବଢି ଚାଲିଛି । ଏବେ ରାଜ୍ୟର ବିଭିନ୍ନ ଆଇନ୍ ଅଦାଲତରେ ପ୍ରାୟ ୨୦ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ପାଖାପାଖି ୧୩ଲକ୍ଷ ଅପରାଧିକ ମାମଲା ବୋଲି କୁହାଯାଉଛି । ଏହାଛଡା ତହସିଲରୁ ଆରମ୍ଭ କରି ରାଜସ୍ୱ ପାର୍ଷଦ ପର୍ଯ୍ୟନ୍ତ ବିଭିନ୍ନ ଦପ୍ତର ଓ ଟ୍ରିବ୍ୟୁନାଲ ଆଦିରେ ଆଉ ଯେତେ ମାମଲା ପଡି ରହିଛି ତାହାର ସଂଖ୍ୟା ପାଖାପାଖି ୧୦ଲକ୍ଷ ହେବ । ଏଭଳି ସ୍ଥିତିରେ ମାମଲାର ବୋଝ ବଢୁଥିବାରୁ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରି ଅଦାଲତ ସଂଖ୍ୟା ବଢାଯାଉଛି ଏବଂ ଅପରାଧିକ କାର୍ଯ୍ୟକଳାପ ବଢୁଥିବାରୁ ପୁଲିସ୍, ଜେଲ୍ ବ୍ୟବସ୍ଥାରେ ମଧ୍ୟ ସରକାର ଅଧିକରୁ ଅଧିକ ପଇସା ଖର୍ଚ୍ଚ କରୁଛନ୍ତି ।
ଏ ସବୁ ସତ୍ୱେ ପଡିଥିବା ମାମଲା ମଧ୍ୟରୁ ବର୍ଷରେ ୧୦ ପ୍ରତିଶତ ମଧ୍ୟ ଫଏସଲା ହୋଇପାରୁ ନାହିଁ । ଏମିତିକି ଗୋଟିଏ ଗୋଟିଏ ଅପରାଧିକ ମାମଲା ୨୦ରୁ ୪୦ବର୍ଷ ଧରି ଗଡୁଛି । ଜେଲରେ ଜାଗା ମିଳୁନଥିବାରୁ ବିଚାରଧିନ ବନ୍ଦୀଙ୍କୁ ମୁକୁଳାଇବାପାଇଁ ବ୍ୟବସ୍ଥା ବାଧ୍ୟ ହେଉଛି । ତେଣେ ଅପରାଧିକ ମାମଲାରେ ଦଣ୍ଡବିଧାନ ହାର ଅତି ନଗଣ୍ୟ । ଏହା ଅପରାଧ ବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଉଛି ।
ମାମଲାର ଚାପ ସହିତ ପ୍ରଶାସନିକ ଚାପ ବଢୁଥିବାରୁ ବହୁ କ୍ଷେତ୍ରରେ ସରକାର ହାରିଥିବା ମାମଲା ବିରୁଦ୍ଧରେ ସୀମିତ ସମୟ ମଧ୍ୟରେ ଉପର ଅଦାଲତରେ ଅପିଲ କରିପାରୁ ନଥିବାରୁ ଏହା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେଉଛି । ଏଭଳି କ୍ଷେତ୍ରରେ ବିଳମ୍ବରେ ଅଦାଲତର ଦ୍ୱାରସ୍ଥ ହେଲେ ସରକାର ସଂଖ୍ୟାଧିକ କ୍ଷେତ୍ରରେ ହାରୁଛନ୍ତି । ଏ ପରିପ୍ରେକ୍ଷୀରେ ଅଧିକାରୀମାନଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ବଢି ବଢି ଚାଲୁଛି । ସ୍ଥିତି ଦିନକୁ ଦିନ ବିଗୁଡୁଥିବାବେଳେ ରାଜ୍ୟ ମାମଲା ନୀତିର ସଠିକ ଅନୁପାଳନ ମଧ୍ୟ ହେଉନାହିଁ । ଆଇନ୍ଗତ ବିଭ୍ରାଟ ଯୋଗୁଁ ଓଡିଶାର ବିଶ୍ୱବିଦ୍ୟାଳୟଗୁଡିକରେ ବର୍ଷ ବର୍ଷ ଧରି ଶିକ୍ଷକ ନିଯୁକ୍ତି କିମ୍ବା ପଦୋନ୍ନତି ଦିଆଯାଇ ପାରୁନାହିଁ ଓ ତାହା ଫଳରେ ବିଶ୍ୱବିଦ୍ୟାଳୟଗୁଡିକର ସ୍ଥିତି ବିଗିଡିବାରେ ଲାଗିଛି । ପଛୁଆବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ଭଳି ରାଜ୍ୟ ସରକାରଙ୍କ ଆଇନ୍ ବି କାଟ୍ ଖାଇଯାଉଛି । ଏଭଳି ସ୍ଥିତିରେ ଦକ୍ଷ ବ୍ୟକ୍ତିଙ୍କୁ ନେଇ ଆଇନ୍ କମିଶନର ପୁର୍ନଗଠନ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)