ଭୁବନେଶ୍ୱର : ଫେବୃୟାରୀ ୨୧ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ବଜେଟ୍ ଅଧିବେଶନରେ ଆଇନ୍ଶୃଙ୍ଖଳା ମୁଖ୍ୟ ପ୍ରସଙ୍ଗ ହେବାର ସମ୍ଭାବନା ଅଧିକ । ଗତ କିଛିଦିନ ଧରି ରାଜ୍ୟର ତିନି ପ୍ରମୁଖ ରାଜନୈତିକଦଳ ବିଜେଡି, ବିଜପି ଓ କଂଗ୍ରେସ ଯେଭଳି ଭାବେ ଆଇନ୍ଶୃଙ୍ଖଳାକୁ ନେଇ ପରସ୍ପର ବିରୁଦ୍ଧରେ ରାଜରାସ୍ତାରେ ଆନ୍ଦୋଳନ ଓ ବୟାନବାଜି କରୁଛନ୍ତି ସେଥିରୁ ବିଧାନସଭା ଅଧିବେଶନ କାଳରେ ଏହା ଆହୁରି ଜୋରଦାର ହେବ ଏବଂ ଏହାର ପ୍ରତିଫଳନ ଗୃହ ମଧ୍ୟରେ ଦେଖିବାକୁ ମିଳିବାର ପୂର୍ବାନୁମାନ କରାଯାଉଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଥିବା ଝାରସୁଗୁଡା ବିଧାୟକ ନବ ଦାସଙ୍କ ହତ୍ୟା ପରେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି । ନବଙ୍କୁ ସ୍ପଷ୍ଟ ଦିବାଲୋକରେ ପୁଲିସ୍ ଏଏସ୍ଆଇ ଗୋପାଳ ଦାସ ନିଜ ସରକାରୀ ବନ୍ଧକରୁ ଗୁଳି ଚଳାଇ ହତ୍ୟା କରିଥିଲେ ମଧ୍ୟ ବର୍ତ୍ତମାନ ଏହି ହତ୍ୟା କ’ଣ ପାଇଁ ହୋଇଛି ତାହା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ସର୍ବସାଧାରଣରେ ପ୍ରକାଶ କରୁନାହିଁ ।
ଏହାକୁ ନେଇ ବିରୋଧି ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରୁଛନ୍ତି । ବିଜେପିର ବିଭିନ୍ନ ଶାଖା ସେହି ଦିନ ଠାରୁ ଲଗାତାର ଭାବେ ଗଣମାଧ୍ୟମରେ ଓ ରାଜରାସ୍ତାରେ ସରକାର ବିରୁଦ୍ଧରେ ଆନ୍ଦୋଳନ ଚଳାଇଛି । କଂଗ୍ରେସ ମଧ୍ୟ ନିଜର ଶକ୍ତି ଅନୁସାରେ ସରକାର ବିରୁଦ୍ଧରେ ବୟାନବାଜି ଜାରି ରଖିଛି ।
ତେବେ ସମ୍ବଲପୁର ଠାରେ ଏହି ଘଟଣାକୁ ନେଇ ବିଜେପି ଜିଲ୍ଲାପାଳଙ୍କ ଦପ୍ତର ଘେରାଉ କରିଥିବାବେଳେ ସେଠାରେ ବିରୋଧିଦଳ ନେତା ଜୟନାରାୟଣ ମିଶ୍ର ଓ ଜଣେ ମହିଳା ଇନ୍ସପେକ୍ଟରଙ୍କ ମଧ୍ୟରେ ହାତାହାତି ଘଟଣାକୁ ଭିନ୍ନ ମୋଡ ଦେଇଛି । କର୍ତ୍ତବ୍ୟବରତ ମହିଳା ପୁଲିସ୍ ଅଧିକାରୀଙ୍କୁ ବିରୋଧିଦଳ ନେତା ମାଡ ମାରିଥିବା ଅଭିଯୋଗ କରି ବିଜେଡି ଜୟନାରାୟଣଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଜୋରଦାର କରିଛି ।
ଏହି ପ୍ରସଙ୍ଗରେ ମହିଳା ପୁଲିସ୍ ଅଧିକାରୀ ଓ ବିଜେପି ପରସ୍ପର ବିରୁଦ୍ଧରେ ଥାନାରେ ଏତାଲା ଦେଇଛନ୍ତି । ତେବେ ଏଥିରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାବେଳେ ଏହି ଘଟଣାରେ ଜୟନାରାୟଣଙ୍କୁ ବିଜେଡିର ବିଭିନ୍ନ ଶାଖା ଘେରିବାରେ ଲାଗିଛନ୍ତି । ତେବେ ଘଟଣାକୁ ଅଧିକ ରାଜନୈତିକ ମୋଡ ଦେଇଛି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ପୁଲିସ ଅଧିକାରୀ ଅରୂପ ପଟ୍ଟନାୟକଙ୍କ ବୟାନକୁ ନେଇ । ବିରୋଧିଦଳ ନେତା ଶ୍ରୀ ମିଶ୍ରଙ୍କ ନାମ ନେଇନଥିଲେ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ବିଜେପି ତାଙ୍କ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ଏତାଲା ଦେଇଛି ।
ଇତି ମଧ୍ୟରେ ଜୟନାରାୟଣ ଖୋଲାଖୋଲି ଭାବେ ବିଜେଡି ବିରୁଦ୍ଧରେ ବିରୋଧିଙ୍କୁ ମ୍ୟାନେଜ କରାଯାଇଥିବା ଅଭିଯୋଗ ଆଣିବା ସହିତ ସିଏ ମ୍ୟାନେଜ ହୋଇନାହାନ୍ତି ବୋଲି କହିଛନ୍ତି । ଏହାକୁ ନେଇ ବି ବିଜେଡି ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଛି ।
ନବ ଦାସ ହତ୍ୟାକାଣ୍ଡ, ଜୟନାରାୟଣଙ୍କ ଆକ୍ରମଣ ଓ ଅରୂପଙ୍କ ଧମକପୂର୍ଣ୍ଣ ମନ୍ତବ୍ୟକୁ ନେଇ ଆଇନ୍ଶୃଙ୍ଖଳା ରାଜନୀତି ଜୋର ଧରିଥିବାବେଳେ ଏହା ଭିତରେ ବି ଶାସକ ବିଜେଡି ବିଜେପି ବିରୁଦ୍ଧରେ କେନ୍ଦ୍ର ସରକାର ଧାନ କିଣା ପରିମାଣ ହ୍ରାସ କରିବା, ଗରିବଙ୍କ ଚାଉଳ କୋଟା କାଟିବା ଭଳି ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ କରିସାରିଛି ।
ସେହିଭଳି ସଦ୍ୟ ରାଜ୍ୟ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ମଧ୍ୟ ଦଳରେ ଯୋଗ ଦେଉ ଦେଉ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ କରିବା ସହିତ ନବ ଦାସ ହତ୍ୟା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଏବଂ ଏହାକୁ ବିଜେଡି ବି ଜୋରଦାର ଭାବେ ବିରୋଧ କରିଛି ।
ରାଜ୍ୟରେ ପ୍ରାୟ ମାସେ ହେବ ଜାରି ରହିଥିବା ଏହି ରାଜନୈତିକ ପାଣିପାଗର ପ୍ରତିଫଳନ ବିଧାନସଭାର ବଜେଟ୍ ଅଧିବେଶନରେ ଦେଖିବାକୁ ମିଳିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆଶା କରୁଛନ୍ତି । ଯଦିଓ ପ୍ରଥମ ଦିନରେ ଗୃହରେ ଶୋକ ପ୍ରସ୍ତାବ ଓ ରାଜ୍ୟପାଳଙ୍କ ଅଭିଭାଷଣ କାର୍ଯ୍ୟକ୍ରମ ରହିଛି ତେବେ ସେହିଦିନ କିମ୍ବା ପରଦିନ ଠାରୁ ଗୃହରେ ତିନି ଦଳ ପକ୍ଷରୁ ନିଜ ନିଜ ଶୈଳୀରେ ଆଇନ୍ଶୃଙ୍ଖଳା ପ୍ରସଙ୍ଗ ଉଠିବ ବୋଲି ଜଳ ଜଳ ହୋଇ ଦିଶୁଛି ।
ତେବେ ବିଧାନସଭା ଭିତରେ ଓ ବାହାରେ ଆଇନ୍ଶୃଙ୍ଖଳାକୁ ନେଇ ତିନି ଦଳ ପରସ୍ପରକୁ କିଭଳି ମୁକାବିଲା କରୁଛନ୍ତି ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି ।