Home Education ଆଇଟିଆଇ ପାଠ ପାଇଁ ଶିକ୍ଷକ ଅଭାବ

ଆଇଟିଆଇ ପାଠ ପାଇଁ ଶିକ୍ଷକ ଅଭାବ

ଭୁବନେଶ୍ୱର : ସରକାରୀ ଆଇଟିଆଇରେ ପଢିବାପାଇଁ ଛାତ୍ରଛାତ୍ରୀ ବେଶ୍‍ ଆଗ୍ରହ ପ୍ରକାଶ କରୁଥିବାବେଳେ ପ୍ରମୁଖ ଆଇଟିଆଇ ଶିକ୍ଷାନୁଷ୍ଠାନରେ ପଢାଇବାକୁ ଶିକ୍ଷକ ସଙ୍କଟ ଦେଖିବାକୁ ମିଳୁଛି । କଟକ ସ୍ଥିତି ଆଇଟିଆଇରେ ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ଅଧାରୁ ଅଧିକ ଖାଲି ପଡିବା ଏହାର ଏକ ଜ୍ୱଳନ୍ତ ଉଦାହରଣ ।

ରାଜ୍ୟରେ ରହିଛି ୭୨ଟି ସରକାରୀ ଆଇଟିଆଇ । ୨୦୨୩-୨୪ ଶିକ୍ଷାବର୍ଷରେ ଏହିସବୁ ଶିକ୍ଷାନୁଷ୍ଠାନରେ ୨୩,୧୫୪ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । କେବଳ ୫ଟି ଆଇଟିଆଇକୁ ବାଦ୍‍ ଦେଲେ ଅନ୍ୟ ସମସ୍ତ ଆଇଟିଆଇରେ ସମସ୍ତ ସ୍ଥାନ ପୂରଣ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ କଳାହାଣ୍ଡିରେ ଥିବା ଧର୍ମଗଡ ଆଇଟିଆଇରେ ୧୩୨ଟି ଆସନ ମଧ୍ୟରୁ ୨୨ଟି ଆସନ ଖାଲି ପଡିଥିବାବେଳେ ଗଜପତି ଜିଲ୍ଲାରେ ଥିବା ରାଇଗଡ ଆଇଟିଆଇରେ ୧୨୪ଟି ଆସନ ମଧ୍ୟରୁ ୩୭ଟି ଆସନ ଖାଲି ପଡିଛି ।

ସେହିଭଳି କନ୍ଧମାଳ ଜିଲ୍ଲାରେ ଥିବା ଫୁଲବାଣୀ ଆଇଟିଆଇରେ ୪୪୮ଟି ଆସନ ମଧ୍ୟରୁ ୯ଟି ଖାଲି ପଡିଥିବାବେଳେ ଖୋରଧା ଜିଲ୍ଲାରେ ଥିବା ସ୍ୱତନ୍ତ୍ର ଆଇଟିଆଇରେ ୨୬୪ ଆସନ ମଧ୍ୟରୁ ୫୬ଟି ଏବଂ କଳାହାଣ୍ଡିରେ ଥିବା ଆଇଟିଆଇ ଭବାନୀପାଟଣାରେ ୫୫୨ଆସନ ମଧ୍ୟରୁ ୨୪ଟି ଆସନ ଖାଲି ପଡିଛି । ବଲାଙ୍ଗିରରେ ଥିବା ସରକାରୀ ଆଇଟିଆଇରୁ ଯନ୍ତ୍ରପାତି ଓ ମାନବସମ୍ବଳ ସହିତ ତାହାକୁ ଟିଟିଲାଗଡକୁ ସ୍ଥାନନ୍ତରିତ କରାଯାଇଛି ।

ତେବେ ୩୫୨ଜଣ ଛାତ୍ରଛାତ୍ରୀ ପଢିବା କ୍ଷମତା ଥିବା କଟକ ସ୍ଥିତ ମଧୁସୂଦନ ଆଇଟିଆଇରେ ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ଅଧାରୁ ଅଧିକ ପଦବୀ ଖାଲି ପଡିଛି । ଏଠାରେ ଥିବା ୮ଟି ଟେନିଂ ଅଫିସର ପଦବୀ ମଧ୍ୟରୁ ୪ ପଦବୀ ଖାଲି ପଡିଥିବାବେଳେ ୧୮ଟି ଡେପୁଟୀ ଟ୍ରେନିଂ ଅଫିସର ପଦବୀରେ ଜଣେ ହେଲେ କେହି ନାହାନ୍ତି । ସେହିଭଳି ୮୭ଟି ସହକାରୀ ଟ୍ରେନିଂ ଅଫିସର ପଦବୀ ମଧ୍ୟରୁ ୪୪ଟି ଖାଲିପଡିଛି । ଅଣଶିକ୍ଷକ ପଦବୀରେ ମଧ୍ୟ ଅନୁରୂପ ଅବସ୍ଥା । ୫ଟି ସିନିୟର ଆସିଷ୍ଟାଣ୍ଟ ପଦବୀ ମଧ୍ୟରୁ ୩ଟି ଖାଲି ପଡିଥିବାବେଳେ ୭ଟି ଜୁନିୟର ଆସିଷ୍ଟାଣ୍ଟ ପଦବୀ ମଧ୍ୟରୁ ୫ଟିରେ କେହି ନାହାନ୍ତି । ୨ଟି ଯାକ ଡ୍ରାଇଭର ପଦବୀ ଖାଲି ପଡିଥିବାବେଳେ ୨୫ଟି ଚତୁର୍ଥଶ୍ରେଣୀ ପଦବୀ ମଧ୍ୟରୁ ୫ଟି ଖାଲି ପଡିଛି ।

ରାଜ୍ୟ ରାଜଧାନୀର ଅନତି ଦୂରରେ ଥିବା ଗୋଟିଏ ପ୍ରତିଷ୍ଠିତ ସରକାରୀ ଆଇଟିଆଇରେ ଏଭଳି ଶିକ୍ଷକ ମରୁଡି ଅବସ୍ଥା ଥିବାବେଳେ ରାଜ୍ୟର ଅନ୍ୟ ସରକାରୀ ଆଇଟିଆଇର ଅବସ୍ଥା କ’ଣ ହୋଇଥିବ ତାହା ସହଜରେ ଅନୁମେୟ । ତେବେ ଆଇଟିଆଇ ପାଠ୍ୟକ୍ରମରୁ ଉନ୍ନୀତ ହେଉଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁବିଧା ଯୋଗାଇ ଦେବାପାଇଁ ରାଜ୍ୟ ସରକାର କଟକ ଠାରେ ଏକ କେନ୍ଦ୍ରୀୟ ପ୍ଲେସମେଣ୍ଟ ସେଲ୍‍ ଗଠନ କରିଛନ୍ତି ।

ବିଗତ ୧୦ବର୍ଷ ମଧ୍ୟରେ ଏହି କେନ୍ଦ୍ରୀୟ ପ୍ଲେସମେଣ୍ଟ ସେଣ୍ଟର ଜରିଆରେ ୮୨୫୪ ଜଣ ଡିପ୍ଲୋମା ଉତ୍ତୀର୍ଣ୍ଣ ନିଯୁକ୍ତି ପାଇଥିବାବେଳେ ୧୩,୨୦୬ ଜଣ ଆଇଟିଆଇ ଉନ୍ନୀତ ନିଯୁକ୍ତି ସୁଯୋଗ ପାଇଛନ୍ତି । ଏହି ୧୦ବର୍ଷ ମଧ୍ୟରେ ବିଭିନ୍ନ ଆଇଟିଆଇ ସଂସ୍ଥା ଜରିଆରେ ମୋଟ୍‍ ୫୨,୧୫୮ଜଣ ଡିପ୍ଲୋମା ଓ ଆଇଟିଆଇ ଉତ୍ତୀର୍ଣ୍ଣ ନିଯୁକ୍ତି ପାଇଛନ୍ତି । (ତଥ୍ୟ)