Home General ଆଇଆରସିର ୮୪ ତମ ଅଧିବେଶନ ଉଦଘାଟିତ

ଆଇଆରସିର ୮୪ ତମ ଅଧିବେଶନ ଉଦଘାଟିତ

ଭୁବନେଶ୍ୱର : ଆଜି ଇଣ୍ଡିଆନ ରୋଡ୍ସ କଂଗ୍ରେସ (ଆଇଆରସି)ର ୮୪ତମ ବାର୍ଷିକ ଅଧିବେଶନ ଏଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶବିଦେଶର ୩୫୦୦ରୁ ଅଧିକ ଇଞ୍ଜିନିୟର, ବୈଷୟିକ ବିଶେଷଜ୍ଞ, ପ୍ରଦର୍ଶକ, ପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି ।

ଅଧିବେଶନକୁ ଉଦଘାଟନ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି, ସଡ଼କ, ସେତୁ, ସୁଡ଼ଙ୍ଗ ଭଳି ଭିତ୍ତିଭୂମି ନିର୍ମାଣ ଲାଗି ବିଚାରବିମର୍ଶ କରିବା ନିମନ୍ତେ ଏହା ହେଉଛି ଭାରତର ସବୁଠୁ ବଡ଼ ଜ୍ଞାନବିନିମୟ କାର୍ଯ୍ୟକ୍ରମ । ସେ କହିଛନ୍ତି, ସଡ଼କ ଯୋଗାଯୋଗ ଭିତ୍ତିଭୂମି କ୍ଷେତ୍ରରେ ପ୍ରଯୁକ୍ତି, ଗବେଷଣା ଏବଂ ନବସୃଜନ ଲାଗି ବର୍ତ୍ତମାନ ହିଁ ପ୍ରକୃଷ୍ଟ ସମୟ। ଭାରତ ଏବେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା। ଏହାକୁ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂକଳ୍ପ ନେଇଛନ୍ତି ।

ଆମେ ଏବେ ବିଶ୍ୱଗୁରୁ ହେବାର ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛୁ। ଏଥିପାଇଁ ଆମକୁ ବିଶ୍ୱସ୍ତରୀୟ ଭିତ୍ତିଭୂମିର ଆବଶ୍ୟକତା ରହିଛି । ମିତବ୍ୟୟୀ, ଉନ୍ନତ ମାନର ଭିତ୍ତିଭୂମି ନିର୍ମାଣ କରିବା ଆବଶ୍ୟକତା ରହିଥିବା ବେଳେ ନିର୍ମାଣ ଖର୍ଚ୍ଚ କମାଇବା ପାଇଁ ଯୋଜନା ପ୍ରଣୟନ କରାଯିବା ଉଚିତ୍‌ ବୋଲି ଶ୍ରୀ ଗଡ଼କରୀ ଗୁରୁତ୍ୱାରୋପ କହିଛନ୍ତି ।

ଏହି ଅଧିବେଶନରେ ହେବାକୁ ଥିବା ବିଚାରବିମର୍ଶ ଦେଶର ଇଞ୍ଜିନିୟରମାନଙ୍କୁ ଦେଶର ବିକାଶରେ ଯୋଗଦାନ ଦେବାକୁ ଅନୁପ୍ରାଣିତ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସେ ଆହୁରି କହିଛନ୍ତି, ଆଇଆରସି ହେଉଛି ଭାରତର ସଡ଼କ ଇଞ୍ଜିନିୟରିଂର ଆତ୍ମା । ଦେଶରେ ସଡ଼କ ଭିତ୍ତିଭୂମି ନିର୍ମାଣ ଲାଗି ଉତ୍ତରଦାୟିତ୍ୱ, ଗମ୍ଭୀର ଆଭିମୁଖ୍ୟ, ଗୁଣବତ୍ତା ପାଇଁ ପ୍ରତିବଦ୍ଧତା ଏବଂ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ବ୍ୟବସ୍ଥାର ଆବଶ୍ୟକତା ରହିଛି । ଅନୁରୂପ ଭାବେ ଆମକୁ ଆମ ପରିବେଶ ଓ ଜୀବଜଗତର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସଡ଼କ ନିର୍ମାଣରେ ବର୍ଜ୍ୟବସ୍ତୁ ଉପଯୋଗ କରିବା ଲାଗି ଯୋଜନା ଏବଂ ନୀତି ପ୍ରଣୟନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ କହିଥିଲେ, ଭାରତର ବିକାଶଧାରାକୁ ତ୍ୱରାନ୍ୱିତ କରିବା ଲାଗି ଆମେ ନୂତନ ପଦ୍ଧତି ଓ ସଫଳ ପ୍ରୟୋଗ କରିବାକୁ ଚାହୁଁଛୁ । ଏଥିପାଇଁ କାର୍ଯ୍ୟଧାରା, ମାର୍ଗଦର୍ଶିକା ଏବଂ ଡିଜାଇନ୍‌ ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ଲାଗି ସେ ଆଇଆରସିକୁ ଅନୁରୋଧ କରିଥିଲେ। ପରିବର୍ତ୍ତନ ପାଇଁ ନୂଆ ପ୍ରୟୋଗ ଜରୁରୀ ଏବଂ ଏହା ଉପରେ ଏହି ଅଧିବେଶନରେ ଆଲୋଚନା ଲାଗି ସେ ଆହ୍ୱାନ କରିଥିଲେ।

ଶ୍ରୀ ଗଡ଼କରୀ କହିଥିଲେ, ଭାରତର ସଡ଼କ ନେଟୱର୍କ ବିଶ୍ୱରେ ଏକ ନମ୍ବର ହେବାକୁ ଯାଉଛି। ଉନ୍ନତ ସଡ଼କ ବିକଶିତ ହେଲେ ବାଣିଜ୍ୟ, ବ୍ୟବସାୟ ଓ ଶିଳ୍ପର ଆଗମନ ହୋଇଥାଏ । ଏସବୁକୁ ପ୍ରୋତ୍ସାହନ ମିଳିଲେ ପୁଞ୍ଜିନିବେଶ, ରୋଜଗାର ସୃଜନ ଏବଂ ଆର୍ଥିକ ଅଭିବୃଦ୍ଧିର ମାର୍ଗ ପ୍ରଶସ୍ତ ହୁଏ। ଆଇଆରସି ଅଧିବେଶନରେ ଶ୍ରେଷ୍ଠ କାର୍ଯ୍ୟପଦ୍ଧତି, ଗବେଷଣା, ନବସୃଜନ ଏବଂ କ୍ଷେତ୍ରୀୟ ଅଭିଜ୍ଞତାର ବିନିମୟ ଲାଗି ସେ ପରାମର୍ଶ ଦେଇଥିଲେ ।

ଶ୍ରୀ ଗଡ଼କରୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ସଡ଼କ ନିର୍ମାଣରେ ଐତିହାସିକ ପ୍ରଗତି ହାସଲ କରିଛି । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୨ ଲକ୍ଷ ୮୭ ହଜାର କୋଟି ଟଙ୍କାର ବଜେଟ୍‌ ଆବଣ୍ଟନ ହାସଲ କରିଛି । ସଡ଼କ ନିର୍ମାଣ କ୍ଷେତ୍ରରେ ଅର୍ଥ କିମ୍ବା ସମ୍ବଳର ଅଭାବ ନାହିଁ । ସଡ଼କ ନେଟୱର୍କର ମୁଦ୍ରୀକରଣ ଦ୍ୱାରା ୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ସଂଗ୍ରହ କରାଯାଇପାରିବ । ତେବେ ଏଥିପାଇଁ ସ୍ୱଚ୍ଛତା, ସଚ୍ଚୋଟତା, ସକାରାତ୍ମକ ଆଭିମୁଖ୍ୟ ଏବଂ ଦ୍ରୁତ ନିର୍ଣ୍ଣୟ ପ୍ରକ୍ରିୟାର ଆବଶ୍ୟକତା ରହିଛି । କେନ୍ଦ୍ର ମନ୍ତ୍ରୀ କହିଥିଲେ, ସରକାର ଦ୍ରୁତ ଗତିରେ ରାଜପଥ ନିର୍ମାଣ କରୁଛନ୍ତି । ୨୦୧୪ରେ ୯୧ ହଜାର ୨୮୭ କିଲୋମିଟର ରାଜପଥ ଥିବା ବେଳେ ବର୍ତ୍ତମାନ ଏହା ୬୦% ବୃଦ୍ଧି ପାଇ ୧,୪୬,୩୪୨ କିଲୋମିଟରରେ ପହଞ୍ଚିଛି ।

ଶ୍ରୀ ଗଡ଼କରୀ କହିଥିଲେ, ଦେଶରେ ଉନ୍ନତ ସଡ଼କ ନିର୍ମାଣ କାରଣରୁ ଆର୍ଥିକ ବିକାଶ ତ୍ୱରାନ୍ୱିତ ହୋଇଛି। ଉପାନ୍ତ ଏବଂ ଆଦିବାସୀ ଅଞ୍ଚଳରେ ମଧ୍ୟ ଭଲ ରାସ୍ତା ନିର୍ମିତ ହୋଇଛି । ଭଲ ସଡ଼କ ନିର୍ମାଣ କାରଣରୁ ଦେଶରେ ଲଜିଷ୍ଟିକ୍ସ ଖର୍ଚ୍ଚ ୧୬ ପ୍ରତିଶତରୁ ୧୧ ପ୍ରତିଶତକୁ ହ୍ରାସ ପାଇଥିବା ପ୍ରତିଷ୍ଠିତ ଆଇଆଇଟିଗୁଡ଼ିକର ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି । ସଡ଼କ ଭିତ୍ତିଭୂମି ଦେଶର ଶିଳ୍ପ, ରପ୍ତାନି, ବ୍ୟବସାୟ ବାଣିଜ୍ୟକୁ ଗତିଶୀଳ କରିବ। ଏହା ଲୋକଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି କରିବ।

ଦେଶରେ ବିକଳ୍ପ ଇନ୍ଧନ କ୍ଷେତ୍ରରେ ରହିଥିବା ସମ୍ଭାବନା ଉପରେ ଆଲୋକପାତ କରି ଶ୍ରୀ ଗଡ଼କରୀ କହିଥିଲେ, ସବୁଜ ହାଇଡ୍ରୋଜେନ ଚାଳିତ ବାହନ ଚଳାଚଳ ପାଇଁ ୧୦ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି, ସେଥିମଧ୍ୟରୁ ଗୋଟିଏ ଓଡ଼ିଶାରେ ରହିଛି । ହାଇଡ୍ରୋଜେନ ଭଳି ସବୁଜ ଇନ୍ଧନ କ୍ଷେତ୍ରରେ ନିର୍ଭରଶୀଳତା ଦେଶର ତୈଳ ଆମଦାନୀ ହ୍ରାସ କରିବ । ଗବେଷଣା ଓ ନବସୃଜନ ବଳରେ ଉନ୍ନତ ସଡ଼କ ଏବଂ ବିକଳ୍ପ ଇନ୍ଧନ ଜରିଆରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରି ଦେଶକୁ ସମୃଦ୍ଧ କରାଯାଇପାରିବ ।

ସେ କହିଥିଲେ, ଇଥାନଲ୍, ମିଥାନଲ୍, ବାୟୋ-ଏଲଏନଜି, ସିଏନଜି ଏବଂ ସବୁଜ ହାଇଡ୍ରୋଜେନର ବହୁଳ ଗ୍ରହଣୀୟତା ଦ୍ୱାରା ଭାରତ ଇନ୍ଧନ ଆମଦାନୀକାରୀ ରାଷ୍ଟ୍ରରୁ ଇନ୍ଧନ ରପ୍ତାନିକାରୀ ରାଷ୍ଟ୍ର ହେବା ଦିଗରେ ଏକ ନିର୍ଣ୍ଣାୟକ ପରିବର୍ତ୍ତନ ଆଣୁଛି । ଅନୁରୂପ ଭାବେ ସରକାର ସଡ଼କ ସୁରକ୍ଷା, ଆଧୁନିକ ଇଞ୍ଜିନିୟରିଂ ମାନଦଣ୍ଡ, ଦକ୍ଷ ପରିବହନ ବ୍ୟବସ୍ଥା ଏବଂ ସମସ୍ତଙ୍କ ପାଇଁ ସୁରକ୍ଷିତ ଓ ଅଧିକ ଦକ୍ଷ ପରିବହନ ସୁନିଶ୍ଚିତ କରିବା ପାଇଁ ଦେଶବ୍ୟାପୀ ସଚେତନତା ପଦକ୍ଷେପଗୁଡ଼ିକୁ ଏକୀକୃତ କରିବା ପାଇଁ ଗଭୀର ଭାବରେ ସଂକଳ୍ପବଦ୍ଧ ।

ସଡ଼କ ଦୁର୍ଘଟଣା କାରଣରୁ ଦେଶରେ ବର୍ଷକୁ ୧ ଲକ୍ଷ ୮୦ ହଜାର ଲୋକଙ୍କ ପ୍ରାଣହାନି ଘଟିବାକୁ ନେଇ କେନ୍ଦ୍ର ମନ୍ତ୍ରୀ ଚିନ୍ତାବ୍ୟକ୍ତ କରିବା ସହିତ ସଡ଼କ ସୁରକ୍ଷା ଏବଂ ଦୁର୍ଘଟଣା ହ୍ରାସ ପାଇଁ ସରକାରୀ ସ୍ତରରେ ହେଉଥିବା ପ୍ରୟାସ ଉପରେ ଆଲୋକପାତ କରିଥିଲେ। ଡିପିଆରରେ ତ୍ରୁଟି କାରଣରୁ ଅନେକ ଦୁର୍ଘଟଣା ହେଉଥିବାରୁ ଏଥିରେ ସୁଧାର ଆଣିବା ଲାଗି ସେ ଇଞ୍ଜିନିୟର ଏବଂ ଅନ୍ୟ ପେସାଦାରମାନଙ୍କୁ ଅନୁରୋଧ କରିଥିଲେ। ସଡ଼କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବଜେଟ୍‌ ପ୍ରସ୍ତୁତ କରାଯାଉଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ, ସଡ଼କ ଦୁର୍ଘଟଣାରେ ଆହତଙ୍କ ଜୀବନ ରକ୍ଷା କରୁଥିବା ସ୍ୱେଚ୍ଛାସେବୀଙ୍କୁ ପୁଲିସ ଜେରା କରିପାରିବ ନାହିଁ । ଏଥିପାଇଁ ସରକାର ଆଇନ ଆଣିଛନ୍ତି ।

ସଡ଼କ ନିର୍ମାଣ ସମୟରେ ପରିବେଶ ଓ ଜୀବଜଗତର ସୁରକ୍ଷା ଉପରେ କେନ୍ଦ୍ର ମନ୍ତ୍ରୀ କହିଥିଲେ, ରାସ୍ତା ନିର୍ମାଣ କାରଣରୁ ଦେଶରେ ସର୍ବାଧିକ ପ୍ରଦୂଷଣ ହେଉଛି। ଏହାର ସମାଧାନ ଲାଗି ବର୍ତ୍ତମାନ ସଡ଼କ ନିର୍ମାଣରେ ବର୍ଜ୍ୟବସ୍ତୁର ଉପଯୋଗ କରାଯାଉଛି । ଏବେ ସୁଦ୍ଧା ୮୦ ଲକ୍ଷ ଟନ୍‌ ସହରାଞ୍ଚଳ ବର୍ଜ୍ୟବସ୍ତୁକୁ ରାସ୍ତା ନିର୍ମାଣରେ ଉପଯୋଗ କରାଯାଇଛି । ରାଜପଥ ନିର୍ମାଣରେ ବାୟୋ-ବିଟୁମେନ୍ ଏବଂ ପୁନଃଚକ୍ରିତ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ବ୍ୟବହାର ଦୀର୍ଘସ୍ଥାୟିତ୍ୱ ଏବଂ ମୂଲ୍ୟ ଦକ୍ଷତାକୁ ଆହୁରି ବୃଦ୍ଧି କରୁଛି, ଯାହା ପରିବେଶ-ସଚେତନ ବିକାଶ ପାଇଁ ଆମର ଦୃଷ୍ଟିକୋଣ ସହିତ ସମନ୍ୱିତ ।

ସେ ଆହୁରି କହିଛନ୍ତି, ଆମର ଲକ୍ଷ୍ୟ ହେଉଛି ନବସୃଜନ ଏବଂ ସ୍ଥାୟୀ ଗତିଶୀଳତା ସମାଧାନ ଉପରେ ଆଧାରିତ ବିଶ୍ୱସ୍ତରୀୟ ଭିତ୍ତିଭୂମି ସୃଷ୍ଟି କରିବା। ଏହି ପରିବର୍ତ୍ତନକାରୀ ଏଜେଣ୍ଡା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ଭିତ୍ତିଭୂମି-ଦକ୍ଷତା ଇକୋସିଷ୍ଟମକୁ ମଜବୁତ କରିବ ଏବଂ ଭାରତକୁ ଏକ ଆତ୍ମନିର୍ଭରଶୀଳ ଓ ସ୍ଥିର ଭବିଷ୍ୟତ ଆଡକୁ ଆଗେଇ ନେବ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ, ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ଲାଗି ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱାରୋପ କରୁଛନ୍ତି। ଏଥିପାଇଁ ସେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହଯୋଗ କାମନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଆଇଆରସିର ଏହି ଅଧିବେଶନରୁ ବାହାରିଥିବା ନିଷ୍କର୍ସ ଦେଶରେ ସଡ଼କ କ୍ଷେତ୍ରକୁ ଅଧିକ ଗତିଶୀଳ କରିବ।

ଆଇଆରସିର ଏହି ବାର୍ଷିକ କାର୍ଯ୍ୟକ୍ରମରେ ଏକାଧିକ ବୈଷୟିକ ଅଧିବେଶନ ଆୟୋଜନ କରାଯିବା ସହିତ ବିଶେଷଜ୍ଞମାନେ ଦେଶର ସଡ଼କ ନିର୍ମାଣ କ୍ଷେତ୍ରରେ ସୁଧାର ଆଣିବା ଲାଗି ନବସୃଜନ, ସହଭାଗିତା, ଜ୍ଞାନ ବିନିମୟ ଲାଗି ବିଚାରବିମର୍ଶ କରିବେ । ଓଡ଼ିଶାରେ ଷଷ୍ଠ ଥର ପାଇଁ ଏହି ଅଧିବେଶନ ଆୟୋଜନ କରାଯାଉଛି । ଚଳିତ ଥର ଓଡ଼ିଶାର ସଂସ୍କୃତି, ପରମ୍ପରା, ନୃତ୍ୟ, ସଙ୍ଗୀତ, ଖାଦ୍ୟପେୟର ଝଲକ ଏହି ଅଧିବେଶନରେ ଦେଖିବାକୁ ମିଳିଛି ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଆଇଆରସିର ଅଧ୍ୟକ୍ଷ ମନୋରଞ୍ଜନ ପରିଡ଼ାଙ୍କ ସମେତ ଭାରତ ଏବଂ ଓଡ଼ିଶା ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ, ଆଇଆରସିର କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି ଅବସରରେ ସଡ଼କ ନିର୍ମାଣ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖ୍ୟାତିସମ୍ପନ୍ନ ଇଞ୍ଜିନିୟରମାନଙ୍କୁ ସମ୍ମାନିତ କରାଯାଇଥିଲା ।