Home General ଅଳକାଶ୍ରମ ସ୍ମାରକୀ ଉନ୍ମୋଚନ

ଅଳକାଶ୍ରମ ସ୍ମାରକୀ ଉନ୍ମୋଚନ

ଭୁବନେଶ୍ୱର : ଦୀର୍ଘ ବର୍ଷର ଉଦ୍ୟମ ପରେ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ଏନ୍ତୁଡିଶାଳ ଜଗତସିଂହପୁରର ଅଳକାଶ୍ରମର ପୁନରୁଦ୍ଧାର କରାଯାଇଛି । ରାଜ୍ୟ ସରକାର ଏଥିଲାଗି ଅର୍ଥ ଯୋଗାଇ ଦେଇଥିବାବେଳେ ଏହି ସ୍ମାରକୀ ଏବେ ସରକାରଙ୍କ ନିୟନ୍ତ୍ରଣରେ ରହିବ ।

ଏଠାରେ ଉଲ୍ଲେଖନୀୟ ଯେ ୧୯୨୨ ମସିହାରେ ଅଳକାଶ୍ରମର ଶୁଭ ଦେଇଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ଚାଟରାର ଜମିଦାର ପରିବାର ଏହି ଆଶ୍ରମ ଲାଗି ସେତେବେଳେ ମାଗଣାରେ ଜମି ଦାନ କରିଥିଲେ । ଏଥିରେ ସର୍ତ୍ତ ରହିଥିଲା ଯେ ଯଦି ଆଶ୍ରମଟି କେତେବେଳେ ଭାଙ୍ଗିଯାଏ ତେବେ ଉକ୍ତ ଜମି ଦାତାଙ୍କ ନିକଟକୁ ଫେରିଯିବ ।

ଅନ୍ୟତମ ସ୍ୱାଧୀନତା ସଂଗ୍ରାମୀ ଭାଗିରଥୀ ମହାପାତ୍ର, ଗୋପବନ୍ଧୁ ଚୌଧୁରୀ, ସରଳା ଦେବୀ, ମା’ ରମାଦେବୀ, ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ନିତ୍ୟାନନ୍ଦ କାନୁନ୍‍ଗୋ, ଗୌରାଙ୍ଗ ଚରଣ ଦାସ, ବୀରକିଶୋର ଦାସଙ୍କ ଭଳି ବହୁ ଅଗ୍ରଣୀ ସଂଗ୍ରାମୀଙ୍କ ଦ୍ୱାରା ଏହି ଆଶ୍ରମ ସେତେବେଳେ ପରିଚାଳିତ ହେଉଥିଲା । ଅକଳାଶ୍ରମରେ ତାଲିମ ନେଇ ଅନେକ ସତ୍ୟାଗ୍ରହୀ ଓ ରଚନାତ୍ମକ କର୍ମୀ ସୃଷ୍ଟି ହୋଇଥିଲେ । ସ୍ୱାଧୀନତା ସଂଗ୍ରାମକୁ ଏମାନେ ତୀବ୍ର କରିବା ସହ ନିଶା ନିବାରଣ, ଅସ୍ପୃଶ୍ୟତା ନିବାରଣ, କୃଷି, ଗ୍ରାମ ସଫେଇ, ଗ୍ରାମ ସ୍ୱରାଜ ଆଦି ବିବିଧ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ।

୧୯୨୫ ମସିହାରେ ଗାନ୍ଧୀଜୀଙ୍କର ଅଳକାଶ୍ରମ ଆସିବା କାର୍ଯ୍ୟକ୍ରମ ଅସୁସ୍ଥତା କାରଣରୁ ବାତିଲ ହୋଇଯିବା ପରେ ଅଳକାଶ୍ରମର ଅନ୍ତେବାସୀମାନେ କଟକସ୍ଥିତ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଘରକୁ ଆସି ଗାନ୍ଧୀଜୀଙ୍କ ସହ ବୈଠକ କରିଥିଲେ । ଅସହଯୋଗ ଆନ୍ଦୋଳନ ଓ ଲବଣ ସତ୍ୟାଗ୍ରହ ବେଳେ ଅଳକାଶ୍ରମ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା । ତେବେ ଛାମୁଆ ନେତାମାନେ ଲବଣ ସତ୍ୟାଗ୍ରହ ସମୟରେ ଗିରଫ ହୋଇଯିବା ପରେ ଅଳକାଶ୍ରମର ଝାଟିମାଟି ଘରକୁ ପୁଲିସ ଓ ବ୍ରିଟିଶ ଏଜେଣ୍ଟମାନେ ପୋଡି ଦେଇଥିଲେ ।

ପୂଣ୍ୟତୋୟା ଅଳକା ନଦୀ ତଟରେ ଏହି ଆଶ୍ରମ ପ୍ରତିଷ୍ଠା ହୋଇଥିବାରୁ ଏହାର ନାମ ଅଳକାଶ୍ରମ ଥିଲା । ଅଳକାଶ୍ରମ ୧୯୨୨ ସରସ୍ୱତୀ ପୂଜାରେ ଆରମ୍ଭ ହୋଇଥିଲା । ଏବେ ଏହାର ଶତବାର୍ଷିକୀ ଉଦ୍‍ଯାପନ ଅବସରରେ ଅଳକାଶ୍ରମର ସ୍ମାରକୀ ଲୋକାର୍ପଣ ହୋଇଛି । ଏଠାରେ ଏକ ସୁଦୃଶ୍ୟ ସ୍ମୃତିସ୍ତମ୍ଭ ନିର୍ମାଣ କରାଯାଇ ସେଥିରେ ଅଳକାଶ୍ରମ ସହ ଜଡିତ ସଂଗ୍ରାମୀମାନଙ୍କ ନାମ ଖୋଦେଇ କରାଯାଇଛି । ଏହାଛଡା ଏହି ସ୍ମାରକୀ ପରିସରରେ ମହାତ୍ମା ଗାନ୍ଧୀଙ୍କର ଏକ ମୂର୍ତ୍ତି ମଧ୍ୟ ଉନ୍ମୋଚିତ ହୋଇଛି । ସ୍ମାରକୀ ପରିସର ମଧ୍ୟରେ ଗୋଟିଏ ସଭାଗୃହ, କାର୍ଯ୍ୟାଳୟ ଓ ଅନ୍ୟ କୋଠରୀ ସମେତ ସ୍ମରଣୀୟ ଛବି ରହିଛି ।

ଅଳକାଶ୍ରମ ସ୍ମାରକୀ ଉଦ୍‍ଘାଟନ ପାଇଁ ୩ଦିନ ଧରି ଜଗତ୍‍ସିଂହପୁର କଲେକ୍ଟୋରେଟ୍‍ ପରିସର ମଧ୍ୟରେ ଏକ ବର୍ଣ୍ଣାଢ୍ୟ ଉତ୍ସବ କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ଆବାହକ ଦେବେନ୍ଦ୍ର ନାଥ ରାଉତଙ୍କ ପ୍ରଚେଷ୍ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସଂଗ୍ରାମୀ ରଥଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ଜିଲ୍ଲାପାଳ ପାରୁନ୍‍ ପଟ୍ଟୱାରୀ, ପଦ୍ମଭୂଷଣ ଡ. ବିନ୍ଧେଶ୍ୱର ପାଠକ, ବିଶିଷ୍ଟ ଗାନ୍ଧୀବାଦୀ ଲକ୍ଷ୍ମୀ ଦାସ, ଡ. ଭଗବାନ ପ୍ରକାଶ, ପ୍ରହଲ୍ଲାଦ ସିଂହ, ଗୌରାଙ୍ଗ ଚରଣ ହୋତା, ପ୍ରଶାନ୍ତ ଦାସ, ଆଦିତ୍ୟ ପଟ୍ଟନାୟକ, ଅରୁନ୍ଧତୀ ଦେବୀ, ରିନା ରାଉତରାୟଙ୍କ ସମେତ ସ୍ତମ୍ଭକାର ପ୍ରଦ୍ୟୁମ୍ନ ଶତପଥୀ, ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ, ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ସାଂସଦ ରାଜଶ୍ରୀ ମଲ୍ଲିକ, ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂ, ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅଳକାଶ୍ରମ ସହ ଅତୀତରେ ଜଡିତ ଥିବା ସଂଗ୍ରାମୀମାନଙ୍କ ଉତ୍ତର ଦାୟାଦମାନଙ୍କୁ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଭିନ୍ନ ଅନୁଷ୍ଠାନ ଓ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଏହି ଅବସରରେ ୩ଦିନ ଧରି ଚିତ୍ତାକର୍ଷକ ଦେଶାତ୍ମବୋଧକ ସଙ୍ଗୀତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । (ତଥ୍ୟ)