ଜଗତସିଂହପୁର : ସ୍ୱାଧୀନତା ସଂଗ୍ରାମର ସ୍ମାରକୀଗୁଡିକୁ ସଂରକ୍ଷିତ କରି ରଖାଗଲେ ତାହା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ । ଯେଉଁମାନେ ସ୍ୱାଧୀନତା ହାସଲ ପାଇଁ ସହିଦ ହୋଇଛନ୍ତି ଏବଂ ନିର୍ଯାତନା ଓ କାରାବରଣ କରିଛନ୍ତି ସେମାନଙ୍କ ବଳିଦାନ, ସଂଗ୍ରାମ, ସେବା ଓ ତ୍ୟାଗର ଇତିହାସକୁ କୃତଜ୍ଞତାର ସହ ଅନୁଶୀଳନ କଲେ ସେଥିରୁ ଜାତିକୁ ଆଗକୁ ବଢ଼ାଇବା ପାଇଁ ଦିଗ୍ଦର୍ଶନ ମିଳିବ । ଇତିହାସର ଏହିଭଳି ଏକ ବିରଳ ସ୍ମାରକୀ ହେଉଛି ଓଡ଼ିଶାର ସାବରମତୀ ବୋଲି କୁହାଯାଉଥିବା ଅଳକାଶ୍ରମ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ।
ଅସହଯୋଗ ଆନ୍ଦୋଳନ କାଳରେ ୧୦୦ ବର୍ଷ ତଳେ ପ୍ରତିଷ୍ଠିତ ହୋଇଥିବା ଜଗତସିଂହପୁର ନିକଟବର୍ତ୍ତୀ ଅଳକାଶ୍ରମକୁ ପରବର୍ତ୍ତୀ ସମୟରେ ଜାଳିପୋଡି ନଷ୍ଟ କରିଦିଆଯାଇଥିଲେ ମଧ୍ୟ ଏହି ଆଶ୍ରମରେ ଯେଉଁମାନେ ସ୍ୱରାଜର ସାଧନା କରୁଥିଲେ ଏବଂ ସେମାନଙ୍କଠାରୁ ତାଲିମ ପାଇ ଯେଉଁମାନେ ସେବା ଓ ସଂଗ୍ରାମ କ୍ଷେତ୍ରରେ ଅନବଦ୍ୟ ଅବଦାନ ଦେଇଗଲେ ସେଥିରୁ ଅଳକାଶ୍ରମର ସ୍ମୃତି ସବୁଦିନ ପାଇଁ ଜାଜଲ୍ୟମାନ ହୋଇ ରହିଛି ବୋଲି ରାଜ୍ୟପାଳ କହିଛନ୍ତି । ସାଂପ୍ରତିକ ପରିସ୍ଥିତିରେ ଗାନ୍ଧୀଜୀଙ୍କ ଜୀବନୀ ଏବଂ ତାଙ୍କ ବିଚାର ଓ ଦର୍ଶନର ଅନୁପାଳନ ଅଧିକରୁ ଅଧିକ ପ୍ରାସଙ୍ଗିକ ହୋଇପଡିଥିବା ସେ ଉଲ୍ଲେଖ କରିଛନ୍ତି ।
ଅଳକାଶ୍ରମ ଶତବାର୍ଷିକୀ ସ୍ମୃତି କମିଟିର ସଭାପତି ଗୌରାଙ୍ଗ ଚରଣ ହୋତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାବେଶରେ ଡଃ ଦେବେନ୍ଦ୍ରେ ନାଥ ରାଉତ ଓ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଅଳକାଶ୍ରମର ଇତିହାସ ସଂପର୍କରେ ବିସ୍ତୃତ ତଥ୍ୟ ରଖିଥିବା ବେଳେ ଖୋର୍ଦ୍ଧାର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ସ୍ମାରକୀର ପୁନଃ ନିର୍ମାଣର ଐତିହାସିକ ପ୍ରାସଙ୍ଗିକତା ସଂପର୍କରେ ଆଲୋଚନା କରିଥିଲେ ।
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ଉଦ୍ଘାଟିତ ଏବଂ ଗୋପବନ୍ଧୁ ଚୌଧୁରୀ, ଭାଗିରଥୀ ମହାପାତ୍ର, ରମା ଦେବୀ, ଶରଳା ଦେବୀ, ପ୍ରାଣକୃଷ୍ଣ ପଢ଼ିହାରୀଙ୍କ ଭଳି ସେ ସମୟର ଅଗ୍ରଗଣ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଦ୍ୱାରା ପରିଚାଳିତ ଅଳକାଶ୍ରମ ଅସହଯୋଗ ଆନ୍ଦୋଳନଠାରୁ ଲବଣ ସତ୍ୟାଗ୍ରହ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ସଂଗ୍ରାମୀ ଓ ସ୍ୱେଚ୍ଛାସେବକ ତିଆରି କାରଖାନା ଥିଲା ବୋଲି ଉଲ୍ଲେଖ କରି ବର୍ତ୍ତମାନର ବିଗିଡା ବ୍ୟବସ୍ଥାକୁ ସଜାଡିବା ପାଇଁ ଗାନ୍ଧୀ ବିଚାର ହିଁ ଏକମାତ୍ର ଉପଚାର ବୋଲି ଅନ୍ୟତମ ଗାନ୍ଧୀ ତତ୍ତ୍ୱବିତ୍ ପ୍ରହଲାଦ କୁମାର ସିଂହ ମତବ୍ୟକ୍ତ କରିଥିଲେ ।
ହରିଜନ ସେବକ ସଂଘର ଅଖିଳ ଭାରତୀୟ ସଭାପତି, ପ୍ରଫେସର ଶଙ୍କର ସାନ୍ୟାଲ ଓ ଖଦି କମିଶନର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀ ଦାସ ଏହି ସମାବେଶରେ ଉଦ୍ବୋଧନ ଦେଇ ବିଭିନ୍ନ ଦିଗରୁ ଗାନ୍ଧୀ ବିଚାର ସଂପର୍କରେ ଆଲୋକପାତ କରିଥିଲେ । ଅଳକାଶ୍ରମର ପୁନଃ ନିର୍ମାଣ ପାଇଁ ସ୍ୱେଚ୍ଛାକୃତ ଭାବେ ଜମିଦାନ କରିଥିବା ବିନାୟକ ପଟ୍ଟନାୟକ ଏବଂ ବିଶିଷ୍ଟ ଶିକ୍ଷାବିତ ଡଃ ଭଗବାନ ପ୍ରକାଶ ଏହି ସମାବେଶରେ ଉଦବୋଧନ ଦେଇ ସେବା, ସଂଗ୍ରାମ, ସାରସ୍ୱତ ସାଧନା, ତ୍ୟାଗ, ବଳିଦାନ ଓ ସମର୍ପଣ ପୀଠ ଭାବେ ଅଳକାଶ୍ରମକୁ ଅଭିହିତ କରିଥିଲେ ।
ଏବେ ବସ୍ତୁବାଦୀ ବ୍ୟବସ୍ଥାରେ ଗାନ୍ଧୀ ବିଚାରରୁ ଦୂରେଇ ଯାଇ ସମ୍ପତ୍ତି ଆହରଣ ପାଇଁ ଦୁର୍ନୀତି, ଭ୍ରଷ୍ଟାଚାର ଓ ହିଂସାକୁ ଆୟୁଦ୍ଧ ଭାବେ କିଛି ବ୍ୟକ୍ତି ବ୍ୟବହାର କରୁଥିବା ବେଳେ ସେ ସମୟରେ ଚାକିରି, ଓକିଲାତି ଆଦି ଛାଡି ଏବଂ ଜମିଦାରୀର ଗର୍ବ ଅହଂକାରରୁ ତଳକୁ ଖସି ଗୋପବନ୍ଧୁ ଚୌଧୁରୀ, ଭଗୀରଥି ମହାପାତ୍ର, ଶରଳା ଦେବୀ, ରମା ଦେବୀ ପ୍ରମୁଖ ସ୍ୱେଚ୍ଛାକୃତ ଦାରିଦ୍ର୍ୟ ବରଣ କରି ସମାଜ ସେବା ଓ ସ୍ୱାଧୀନତା ଆନ୍ଦୋଳନକୁ ଯେଭଳି ନୂଆ ମୋଡ ଦେଇଥିଲେ ସେହି ଇତିହାସ ବର୍ତ୍ତମାନର ପିଢ଼ି ପଢ଼ି ନିଜ ଜୀବନରେ ପ୍ରୟୋଗ କଲେ ବହୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଅନେକ ବକ୍ତା ଉଲ୍ଲେଖ କରିଥିଲେ । ବର୍ଷବ୍ୟାପୀ ଅଳକାଶ୍ରମର ଶତବାର୍ଷିକୀ ପାଳନ ସଂପର୍କରେ ଏହି ସମାବେଶରେ ଘୋଷଣା କରାଯାଇଛି ।