Home General ଅର୍ଥ କାଟି ରଖିଲା କେନ୍ଦ୍ର

ଅର୍ଥ କାଟି ରଖିଲା କେନ୍ଦ୍ର

ଭୁବନେଶ୍ୱର : କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ବାବଦ ଅର୍ଥ ଛାଡ କରିବାକୁ ଓଡିଶା ସରକାରଙ୍କ ବାରମ୍ବାର ଅନୁରୋଧକୁ କେନ୍ଦ୍ର କର୍ଣ୍ଣପାତ କରୁନଥିବାବେଳେ ଏବେ ଓଡିଶାକୁ ମିଳିବାକୁ ଥିବା ଅଂଶଧନ ଟିକସରୁ ଏ ବାବଦୀୟ ଅର୍ଥ କାଟି ରଖିଛି ।

ନକ୍ସଲ ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇଥିବା କେନ୍ଦ୍ରୀୟ ସୁରକ୍ଷାବଳ ବାବଦୀୟ ଅର୍ଥ ଛାଡ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ବାରମ୍ବାର ପତ୍ର ଲେଖିଆସୁଛନ୍ତି । ଏଥିରେ ଦର୍ଶାଯାଉଛି ନକ୍ସଲ ଓ ମାଓବାଦୀ ହେଉଛି ଦେଶର ଆଭ୍ୟନ୍ତରୀୟ ସୁରକ୍ଷା ସମସ୍ୟା । ଏହାକୁ ପ୍ରତିହତ କରିବା ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର । ଉତ୍ତର ଏବଂ ଉତ୍ତରପୂର୍ବ ରାଜ୍ୟଗୁଡିକରେ ଏଥିପାଇଁ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ ହୋଇଛନ୍ତି । ଏ ବାବଦୀୟ ବ୍ୟୟ ରାଜ୍ୟକୁ ମିଳିବାକୁ ଥିବା ଟିକସ ଅଂଶଧନ ବାବଦୀୟ ଅର୍ଥରୁ କାଟି ରଖିବା ଉଚିତ୍‍ ନୁହେଁ ବୋଲି ବରିଷ୍ଠ ଅଧିକାରୀମାନେ ମତ ଦେଇଛନ୍ତି ।

ତେବେ ୨୦୨୧ ଅକ୍ଟୋବର ପହିଲା ସୁଦ୍ଧା କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ ବାବଦରେ ୨୯୧୩.୨୨ କୋଟି ଟଙ୍କା ବକେୟା ଥିଲା । ତେବେ ରାଜ୍ୟକୁ ଟିକସ ଅଂଶଧନ ବାବଦରେ ମିଳିବାକୁ ଥିବା ୩୦୫୬.୦୨ କୋଟି ଟଙ୍କାରୁ ଏହି ଅର୍ଥକୁ କେନ୍ଦ୍ର ସରକାର କାଟି ରଖିଛନ୍ତି । ଫଳରେ ଓଡିଶାକୁ କେନ୍ଦ୍ରରୁ ଟିକସ ଅଂଶଧନ ବାବଦରେ ମାତ୍ର ୧୪୨.୮୦ କୋଟି ଟଙ୍କା ମିଳିଛି ।

କେନ୍ଦ୍ର ସରକାର ଏଭଳି ଭାବେ ବିପୁଳ ପରିମାଣର ଅର୍ଥ କାଟି ରଖିବାର ପ୍ରତିକୂଳ ପ୍ରଭାବ ଏବେ ରାଜ୍ୟ ପୁଲିସ୍‍ର ଆଧୁନିକୀକରଣ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଜ୍ଞାନ କୌଶଳ ଯୋଗାଇବା ଏବଂ ବିଭିନ୍ନ ଅପହଞ୍ଚ ଇଲାକାକୁ ସୁରକ୍ଷାବଳ ପଠାଇବାକୁ ପ୍ରଭାବିତ କରିବ । ନକ୍ସଲ ଓ ମାଓ ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ କ୍ଷେତ୍ରରେ ରାଜ୍ୟକୁ ସହାୟତା ଲାଗି ସାଂସଦମାନେ ବାରମ୍ବାର କହି ଆସୁଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡିଶାରେ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ ବାବଦରେ ଥିବା ୪୫୬୧.୨୩ କୋଟି ଟଙ୍କା ଛାଡ କରିବାପାଇଁ କହିଥିଲେ । ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ ୨୦୧୫ ଜୁନ୍‍ ୧୦ ତାରିଖରେ ସେ ଏ ସଂକ୍ରାନ୍ତରେ ଅବଗତ କରିଥିଲେ । ତେଣୁ ଏହା ଉପରେ ପୁନଃ ବିଚାର କରାଯାଇ ସୁରକ୍ଷାବଳ ମୁତୟନ ବାବଦୀୟ ଅର୍ଥ ଛାଡ କରାଯାଉ ବୋଲି ରାଜ୍ୟ ସରକାର ଅନୁରୋଧ କରିଥିବା ଜଣାଯାଇଛି । (ତଥ୍ୟ)