Home Environment ଅଭିଯୋଗ ଦରଜ ପାଇଁ କୁନ୍ଥୁ କୁନ୍ଥୁ

ଅଭିଯୋଗ ଦରଜ ପାଇଁ କୁନ୍ଥୁ କୁନ୍ଥୁ

ମୁକୁଳା ପଡିଥିବା ଡ୍ରେନ ଦୁର୍ଗନ୍ଧରେ ହନ୍ତସନ୍ତ ହେଉଥିବା ଜଣେ ନାଗରିକ ଏହାର ସମାଧାନ ପାଇଁ ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବାକୁ ଯାଇ ଅଧିକ ଦହଗଞ୍ଜ ହୋଇଛନ୍ତି । ସ୍ମାର୍ଟସିଟିରୁ ଆରମ୍ଭ କରି ବିଏମ୍‍ସି ଦପ୍ତର ପର୍ଯ୍ୟନ୍ତ ତିନିଟି ତିନିଟି ସ୍ଥାନକୁ ଟେଲିଫୋନ୍‍ କରିଥିଲେ ବି ଅଭିଯୋଗ ଦରଜ କରିବା ବଦଳରେ ଜଣେ ଆଉ ଜଣଙ୍କ ଟେଲିଫୋନ୍‍ ନମ୍ବର ଧରାଇ କାମସାରି ଦେଇଛନ୍ତି ।

ବିଏମ୍‍ସିର ୪୬ନମ୍ବର ୱାର୍ଡରେ ମୁକୁଳା ପଡିଥିବା ଡ୍ରେନ ଦୁର୍ଗନ୍ଧରେ ଅତିଷ୍ଠ ହୋଇ ଏହାର ସମାଧାନ ଲାଗି ଜଣେ ସ୍ଥାନୀୟ ବ୍ୟକ୍ତି ବିଏମ୍‍ସି ୱେବସାଇଟ୍‍ରୁ ଫୋନ୍‍ ନମ୍ବର ସଂଗ୍ରହ କଲେ । ପ୍ରଥମେ ୨୪ଘଣ୍ଟିଆ କାର୍ଯ୍ୟ କରୁଛି ବୋଲି ଦର୍ଶାଯାଇଥିବା ନମ୍ବର ୦୬୭୪-୨୫୪୮୨୯୫କୁ ଲଗାଇଲେ । ସେଠାରୁ କୌଣସି ଉତ୍ତର ନମିଳିବାରୁ ଟୋଲ ଫ୍ରି ନମ୍ବର ୧୮୦୦୩୪୫୦୦୬୧କୁ କଲ୍‍ କରିଥିଲେ । ଏହି ନମ୍ବରରେ ହୋଇଥିବା ଫୋନ୍‍କୁ ସ୍ମାର୍ଟସିଟି ଅଭିଯୋଗ ପ୍ରକୋଷ୍ଠ ଗ୍ରହଣ କରିବା ସହିତ ସମସ୍ତ ବିଷୟ ଶୁଣିବାପରେ ଅଭିଯୋଗ ଦରଜ କରିବା ବଦଳରେ ବିଏମ୍‍ସିର ୦୬୭୪-୨୪୩୧୨୫୩କୁ ଫୋନ୍‍ କରିବାକୁ ପରାମର୍ଶ ଦେଇଥିଲେ ।

ବ୍ୟକ୍ତି ଜଣଙ୍କ ଏହି ନମ୍ବର ଲଗାଇଲା ପରେ ତୁରନ୍ତ ବିଏମ୍‍ସି କର୍ତ୍ତୃପକ୍ଷ ଫୋନ୍‍ ଗ୍ରହଣ କରିବା ସହିତ ସମସ୍ତ କଥା ଶୁଣିଥିଲେ । ସବୁକିଛି ଶୁଣିବାପରେ ଏହି କାମ ବିଏମ୍‍ସିର ସ୍ୱାସ୍ଥ୍ୟ ବିଭାଗର ବୋଲି କହିବା ସହିତ ୦୬୭୪-୨୩୯୨୮୯୪ ନମ୍ବରଟି ଧରାଇ ସେଠାକୁ ଫୋନ୍‍ କରିବାକୁ ପରାମର୍ଶ ଦେଲେ । ହେଲେ ବିଏମ୍‍ସି ସ୍ୱାସ୍ଥ୍ୟ ପ୍ରଶାସନର ଏହି ନମ୍ବରକୁ ବାରମ୍ବାର ଫୋନ୍‍ କଲେ ମଧ୍ୟ କେହି ଧରୁନଥିବା ଅଭିଯୋଗ ହୋଇଛି ।

ପୌରସଂସ୍ଥାରୁ ମହାନଗରନିଗମ ଓ ଏବେ ସ୍ମାର୍ଟସିଟିର ମାନ୍ୟତା ଲାଭ କରିଥିବା ରାଜଧାନୀରେ ଅଭିଯୋଗ ଗ୍ରହଣ ଓ ସମାଧାନର ଏଭଳି ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନଟ ଲାଗିଯାଇଛି । ଦାୟିତ୍ୱ ମୁଣ୍ଡାଇବାକୁ ସମସ୍ତେ ନାରାଜ । ସମାଧାନ ତ ଦୂରରକଥା, ଅଭିଯୋଗ ଦରଜ କରି ନାଗରିକମାନଙ୍କୁ ଗୋଟିଏ ନମ୍ବର ଦେବାପାଇଁ ବି କୁନ୍ଥୁ କୁନ୍ଥୁ ହେଉଛନ୍ତି । ଏହା ହେଉଛି ତାହାର ଗୋଟିଏ ଉଦାହରଣ ମାତ୍ର ।

ଅନ୍ୟ ପକ୍ଷରେ ସବୁ ୱାର୍ଡରେ ୱାର୍ଡ ଅଫିସରମାନେ ଥିବାବେଳେ ଏବେ ୱାର୍ଡକୁ ପରିଷ୍କାର ପରିଚ୍ଛନ୍ନ ରଖିବାପାଇଁ ଘରକୁ ଘର ବୁଲି ପ୍ରଚାର କରାଯାଉଛି । ହେଲେ ମେଲା ମୁକୁଳା ଡ୍ରେନ କିଭଳି କାହା ନଜରରେ ପଡୁନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଅନ୍ୟ ପକ୍ଷରେ ୱେବସାଇଟ୍‍ ଠାରୁ ଆରମ୍ଭକରି ବିଭିନ୍ନ ସ୍ଥାନରେ ବିଏମ୍‍ସି ଓ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଅଭିଯୋଗ ଦରଜ ପାଇଁ ଦେଇଥିବା ନମ୍ବର ମଧ୍ୟରୁ ଅଧିକାଂଶ ଅଚଳ ଥିବାବେଳେ ଯେଉଁଗୁଡିକ କାର୍ଯ୍ୟକ୍ଷମ ରହିଛି ସେଠାରେ ଦାୟିତ୍ୱରେ ଥିବା ଲୋକେ ଅଭିଯୋଗ ଦରଜ କରିବାକୁ ରାଜି ହେଉନାହାନ୍ତି । କରୋନା ମହାମାରୀ ସମୟରେ ଲୋକଙ୍କୁ ଯଥାସମ୍ଭବ ଘରେ ରହିବାପାଇଁ ବିଏମ୍‍ସି ପରାମର୍ଶ ଦେଉଥିବାବେଳେ ଅଭିଯୋଗ ପାଇଁ ଥିବା ଟେଲିଫୋନ୍‍ଗୁଡିକ କାମ ନକରିବା ଏବେ ସ୍ମାର୍ଟସିଟି ଓ ବିଏମ୍‍ସିର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଲଗାଇଲାଣି ।