Home Environment ଅଙ୍ଗନବାଡ଼ିରେ ଦିଆଯିବ ଚୂନା ମାଛ

ଅଙ୍ଗନବାଡ଼ିରେ ଦିଆଯିବ ଚୂନା ମାଛ

ଅଙ୍ଗନବାଡ଼ି କେନ୍ଦ୍ରରେ ୩ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମହିଳା ଏବଂ କିଶୋରୀମାନଙ୍କୁ ଯୋଗାଇ ଦିଆଯାଉଥିବା ପରିପୂରକ ପୁଷ୍ଟିସାଧନ ଖାଦ୍ୟ ତାଲିକାରେ ଚୂନା ମାଛକୁ ସାମିଲ କରାଯିବ । ପାଇଲଟ୍‌ ପ୍ରକଳ୍ପ ଭାବେ ମୟୂରଭଞ୍ଜ ଜିଲ୍ଲାର ୫୦ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଯୋଜନା ଆରମ୍ଭ କରାଯିବ ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଭର୍ଚୁଆଲ୍‌ ବୈଠକରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଏବଂ ମତ୍ସ୍ୟ ଉତ୍ପାଦନ, ଗବେଷଣା ଏଥିପାଇଁ ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦେଉଥିବା ଅନ୍ତର୍ଜାତୀୟ ସଂସ୍ଥା ୱାଲର୍ଡ ଫିସ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି ।

ପୁଷ୍ଟିସାଧନ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି ସଂପର୍କରେ ସିଏନ୍‌ଏନ୍‌, ନିତି ଆୟୋଗ, ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (ଆଇଏଫ୍‌ପିଆର୍‌ଆଇ) ପ୍ରଭୃତି ଅନୁଷ୍ଠାନର ସକରାତ୍ମକ ରିପୋର୍ଟ ମିଳିଥିବାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ୫‘ଟି’ ପଦକ୍ଷେପ ସ୍ୱରୂପ ନୂତନ ଏବଂ ଅଭିନବ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାକୁ ସାରା ଦେଶରେ ପୁଷ୍ଟିସାଧନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟର ପରିଣତ କରିବା ନିମନ୍ତେ ପ୍ରୟାସ ଜାରି ରହିଛି ।

ନ୍ୟାସନାଲ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ନୁ୍ୟଟି୍ରସନ୍‌, ସିଏଫ୍‌ଟିଆର୍‌ଆଇ, ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସିର ବିଶେଷଜ୍ଞମାନଙ୍କୁ ନେଇ ଗଠିତ ବୈଷୟିକ ଉପଦେଷ୍ଟା ଦଳଙ୍କ ପରାମର୍ଶ କ୍ରମେ ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ମାଛକୁ ସାମିଲ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପାଇଲଟ୍‌ ପ୍ରକଳ୍ପ ସଫଳ ହେଲେ ଏହି କାର୍ଯ୍ୟକ୍ରମ ଜିଲ୍ଲାର ଅନ୍ୟ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ପ୍ରସାରିତ କରାଯିବ ।

ଏହି ବୁଝାମଣାପତ୍ର ସ୍ୱାକ୍ଷରର ଉଦ୍ଦେଶ୍ୟ ହେଉଛି, ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ କରୁଥିବା ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରଶିକ୍ଷଣ ଦେଇ ସକି୍ରୟ କରିବା, ମାଛ ପ୍ରକ୍ରିୟାକରଣ ଏବଂ ବଜାର ସଂଯୋଗୀକରଣ ଯୋଗାଇବା, ପୁଷ୍ଟିସାଧନ କ୍ଷେତ୍ରରେ ମାଛର ଉପାଦେୟତା ସଂପର୍କରେ ସାମାଜିକ ଏବଂ ବ୍ୟବହାରିକ ସଚେତନତା ସୃଷ୍ଟି କରିବା, ବିଭାଗର ପୁଷ୍ଟିସାଧନ ପ୍ରବକ୍ତା ଟିକି ମାଉସୀର ସହଯୋଗରେ ବ୍ୟାପକ ପ୍ରଚାରପ୍ରସାର କରିବା ଏବଂ କାର୍ଯ୍ୟକ୍ରମରେ ସଂପୃକ୍ତ ସମସ୍ତଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବୈଷୟିକ ଶିକ୍ଷାକୁ ନଥିକରଣ କରିବା ।

ଅଧିକ ମାଛ ଉତ୍ପାଦନ ହେଉଥିବା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆଧୁନିକ ସୌର ଶକ୍ତି ଚାଳିତ ବୈଷୟିକ ଜ୍ଞାନକୌଶଳରେ ମାଛ ଶୁଖାଇବା ଏବଂ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍‌ଏସ୍‌ଏସ୍‌ଏଆଇ)ଙ୍କ ମାନ ଅନୁସାରେ ମାଛଗୁଣ୍ଡ ପ୍ରସ୍ତୁତି ସଂପର୍କରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ଏହି କାର୍ଯ୍ୟକ୍ରମ ପାଇଁ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଏବଂ ୱାଲର୍ଡ ଫିସ୍‌କୁ ଅଭିନନ୍ଦନ ଜଣାଇ ଉନ୍ନୟନ କମିଶନର ଶ୍ରୀ ମହାପାତ୍ର କହିଲେ ଏଭଳି ଏକ ୫ ବର୍ଷିଆ ବୈଷୟିକ ସହଯୋଗଭିତ୍ତିକ କାର୍ଯ୍ୟକ୍ରମ ରାଜ୍ୟର ପୁଷ୍ଟିସାଧନ କାର୍ଯ୍ୟକ୍ରମକୁ ଆହୁରି ଦୃଢ଼ୀଭୂତ କରିବ । ଏହା ଦ୍ୱାରା ସ୍ଥାନୀୟ ସମ୍ବଳ ଭାବେ ଉପଲବ୍ଧ ଥିବା ମାଛର ଉତ୍ତମ ଉପଯୋଗ ହେବା ସହ ଭବିଷ୍ୟତରେ ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ମଧ୍ୟ ସଶକ୍ତ କରିବ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ମାଛରେ ପ୍ରଚରୁ ପରିମାଣରେ ଲେ òହ, ଜିଙ୍କ୍‌, କ୍ୟାଲସିୟମ୍‌, ଭିଟାମିନ୍‌ (ଏ, ବି, ଡି, ଇ) ଏବଂ ଓମେଗା-୩ ଫ୍ୟାଟି ଏସିଡ୍‌ ମହଜୁଦ ଥାଏ । ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ମାଛକୁ ସାମିଲ କରିବା ଦ୍ୱାରା ପୁଷ୍ଟିସାଧନ କ୍ଷେତ୍ରରେ ଏହା ଏକ ସଂପୂର୍ଣ୍ଣ ରୂପାନ୍ତର ଆଣିପାରିବ । ୩ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମହିଳା ଏବଂ କିଶୋରୀମାନଙ୍କ ଅତିରିକ୍ତ ପୁଷ୍ଟିସାଧନ ସହିତ ଏହା ମଧ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ବ୍ୟବସାୟ ପାଇଁ ସୁଯୋଗ ସୃଷ୍ଟି କରିବ ।

ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶିକା ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍‌ କହିଥିଲେ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ସହ ସମନ୍ୱୟରେ ଚୂନା ମାଛ ଉତ୍ପାଦନ ଏବଂ ଶୁଖିଲା ମାଛ ପ୍ରସ୍ତୁତିରେ ନିୟୋଜିତ ଅଛନ୍ତି । ପର୍ଯ୍ୟାପ୍ତ ପୁଷ୍ଟିସାଧନ ସହ ଅର୍ଥନୈତିକ ସୁଯୋଗ ସୃଷ୍ଟି ନିମନ୍ତେ ଏହି କାର୍ଯ୍ୟକ୍ରମ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ ।

ୱାଲର୍ଡ ଫିସ୍‌ର ମହାନିର୍ଦ୍ଦେଶକ ଡ. ଗରେଥ୍‌ ଜନଷ୍ଟୋନ୍‌ ସଂସ୍ଥାର ବୈଷୟିକ ବିଶେଷଜ୍ଞମାନେ ୬ ମାସ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସ୍ୱଚ୍ଛ ଏବଂ ସ୍ୱାସ୍ଥ୍ୟକର ପରିବେଶରେ ସୌରଚାଳିତ ମାଛ ଶୁଖା ଯନ୍ତ୍ର ସାହାଯ୍ୟରେ ମାଛ ଶୁଖାଇବା ସଂପର୍କରେ ଜ୍ଞାନକୌଶଳ ଯୋଗାଇଦେବେ ବୋଲି ସୂଚନା ଦେଇଥିଲେ । କୋଚି ସ୍ଥିତ ସେଣ୍ଟ୍ରାଲ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ଫିସରୀ ଟେକ୍‌ନୋଲୋଜି, ଯିଏକି ଭାରତରେ ୱାଲର୍ଡ ଫିସ୍‌ର ଗବେଷଣା ସହଯୋଗୀ, ସେମାନଙ୍କ ଦ୍ୱାରା ସ୍ୱଳ୍ପ ମୂଲ୍ୟର ପଲିହାଉସ୍‌ ସୌରଚାଳିତ ମାଛ ଶୁଖା ଯନ୍ତ୍ର ଯୋଗାଇ ଦିଆଯିବ ।