ଭୁବନେଶ୍ୱର : ଦେଶର ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଚୋରା ଓ ଲାଇସେନ୍ସପ୍ରାପ୍ତ ନିଶା କାରବାର ବଢ଼ୁଥିବା ବେଳେ ଅବକାରୀ ବିଭାଗରେ ଶହ ଶହ ସଂଖ୍ୟାରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀମାନ ବର୍ଷ ବର୍ଷ ଧରି ଖାଲି ପଡୁଥିବା ଯୋଗୁଁ ନିଶା କାରବାରକୁ ନିୟନ୍ତ୍ରଣ କରିବା ଏବଂ ଅବକାରୀ ମାମଲା ପରିଚାଳନା କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି ।
ଏବେ ଆମ ରାଜ୍ୟ ପାଇଁ ୪୫ଟି ମଞ୍ଜୁରୀପ୍ରାପ୍ତ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ପଦବୀ ଥିବାବେଳେ ସେଥିରୁ ୩୦ଟି ଖାଲି ପଡିଛି । ସେହିପରି ୭୦ଟି ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ପଦବୀ ମଧ୍ୟରୁ ୩୦ଟି ଖାଲି । କେବଳ ସେତିକି ନୁହେଁ, ସରକାରୀ ତଥ୍ୟ ମୁତାବକ ଅବକାରୀ ଇନ୍ସପେକ୍ଟର ପାହ୍ୟାରେ ୪୫ଟି ଓ ସବଇନ୍ସପେକ୍ଟର ପାହ୍ୟାରେ ୧୨୧ ପଦବୀ ଖାଲି ପଡିଥିବା ବେଳେ ୩୫ଟି ଅବକାରୀ ଏଏସଆଇ ଓ ୩୯୮ଟି ଅବକାରୀ କନଷ୍ଟେବଳ ପଦବୀ ମଧ୍ୟ ଦୀର୍ଘବର୍ଷ ଧରି ଖାଲି ରହିଛି ।
ଗତ ମାସ ସୁଦ୍ଧା ଅବକାରୀ ବିଭାଗର କ୍ଷେତ୍ର ଦପ୍ତରଗୁଡିକରେ ୧୨ଟି ସେକ୍ସନ ଅଫିସର, ୮ଟି ବରିଷ୍ଠ ସହାୟକ ଓ ୨୩ଟି କନିଷ୍ଠ ସହାୟକ ପଦବୀ ମଧ୍ୟ ଖାଲି ପଡିଛି । ଏଠାରେ ଉଲ୍ଲେଖନୀୟ, ଏହି ଦୁଇଟି ପାହ୍ୟାରେ ୬୪ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ସେଥିମଧ୍ୟରୁ ୩୧ଟି ଖାଲି ପଡିଥିଲା । ଏହାଛଡା ଅବକାରୀ ବିଭାଗର କ୍ଷେତ୍ର ଦପ୍ତରଗୁଡିକ ପାଇଁ ଥିବା ୩୦ଟି ମଞ୍ଜୁରୀପ୍ରାପ୍ତ ଗାଡି ଚାଳକ ପଦବୀ ମଧ୍ୟରୁ ୧୮ଟି, ୧୦ଟି ପିଅନ ପଦବୀରୁ ୭ଟି ମଧ୍ୟ ଖାଲି ପଡିଛି ।
ଖାଲି ପଡିଥିବା ପଦବୀଗୁଡିକ ମଧ୍ୟରୁ ୨୮ଟି ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଚାକିରି ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ପୂରଣ କରାଯିବ । ଏହାଛଡା ବିଭାଗୀୟ ଏସଆଇ, କନଷ୍ଟେବଳ ଓ କନିଷ୍ଠ ସହକାରୀ ପଦବୀରୁ କେତେକ ମଧ୍ୟ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି ଏବଂ ଏଥିପାଇଁ ଉଚ୍ଚ କ୍ଷମତା ସଂପନ୍ନ କମିଟି ଅନୁମୋଦନ ଦେଇଥିବା ଜଣାପଡିଛି । ଡେପୁଟି କମିଶନର, ସୁପରିଣ୍ଟେଣ୍ଡେଣ୍ଟ, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଓ ଇନ୍ସପେକ୍ଟର ପାହ୍ୟାର ଆଉ କେତେକ ପଦବୀ ପଦୋନ୍ନତି ଭିତ୍ତିରେ ପୂରଣ କରାଯାଉଥିବା ଘେନି ବିଭାଗୀୟ କର୍ତ୍ତୃପକ୍ଷ କହୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ଏନଡିପିଏସ୍ ଆଇନ ଆଧାରରେ ୨୦୧୭-୧୮ ବର୍ଷରେ ୩୦୭ଟି ମାମଲା ରୁଜୁ କରାଯାଇ ୩୮୪ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୦୨୧-୨୨ ବର୍ଷରେ ୬୮୬ଟି ମାମଲା ରୁଜୁ କରାଯାଇ ୭୬୯ଜଣଙ୍କୁ ଗିରଫ କରାଯାଇଛି । ଏହି ସମୟରେ ୧୧ କିଲୋରୁ ଅଧିକ ବ୍ରାଉନସୁଗାର ଓ ୩୦୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ମଧ୍ୟ ଏନଡିପିଏସ୍ ଆଇନ ଆଧାରରେ ଜବତ ହୋଇଛି । ଏହାଛଡା ଗତବର୍ଷ ରାଜ୍ୟରେ ୩ କୋଟିରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ଏବଂ ୧ଲକ୍ଷ ୬୦ ହଜାର ଲିଟରରୁ ଅଧିକ ଚୋରା ମଦ ଜବତ କରାଯିବା ସହ ପାଖାପାଖି ୪୦ ହଜାର ମାମଲା ରୁଜୁ କରାଯାଇ ୩୨ ହଜାରରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ରାଜଧାନୀ ଭୁବନେଶ୍ୱରଠାରୁ ଗାଁ ଗହଳ ପର୍ଯ୍ୟନ୍ତ ଏବେ ଚୋରା ମଦ, ଗଞ୍ଜେଇ, ବ୍ରାଉନସୁଗାର ସମେତ ଅନ୍ୟାନ୍ୟ ନିଷିଦ୍ଧ ନିଶା ସାମଗ୍ରୀର ବ୍ୟାପକ କାରବାର ହେଉଛି ଓ ପ୍ରାୟ ପ୍ରତିଦିନ ଗଣମାଧ୍ୟମରେ କେଉଁଠି ନା କେଉଁଠି ଚୋରା ନିଶା ସାମଗ୍ରୀ ଜବତ ହେଉଥିବା ଘେନି ଖବର ମଧ୍ୟ ପ୍ରକାଶ ପାଉଛି । ତେବେ ଅବକାରୀ ମାମଲାଗୁଡିକର ଫଏସଲା ହାର ଢ଼େର କମ୍ ଥିବାବେଳେ ଦଣ୍ଡ ବିଧାନ ହାର ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ପୂର୍ବରୁ ରାଜ୍ୟ ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରେ ସ୍ୱୀକାର କରାଯାଇଛି ।
ରାଜ୍ୟରେ ଯେଉଁ ହାରରେ ନିଶାଡିଙ୍କ ସଂଖ୍ୟା ବୃଦ୍ଧି ସହିତ ନିଶା ବେପାରୀମାନଙ୍କ ବେପାର ବଢ଼ୁଛି ତାହାକୁ ନିୟନ୍ତ୍ରଣ କରିବା ଲାଗି ଅବକାରୀ ବିଭାଗ ନିକଟରେ ପର୍ଯ୍ୟାପ୍ତ ସଂଖ୍ୟକ ଲୋକ ବଳ ଓ ଭିତ୍ତିଭୂମି ନଥିବାରୁ ସଂଖ୍ୟାଧିକ ମାମଲାରେ ଅବିଯୁକ୍ତମାନେ ଖସି ଯାଉଥିବା କୁହାଯାଉଛି । (ତଥ୍ୟ)