ଭୁବନେଶ୍ୱର : ରାଜ୍ୟ ଅବକାରୀ ବିଭାଗର ଜୋରଦାର ଧରପଗଡ ଫଳରେ ଚଳିତ ଆର୍ଥିକ ବର୍ଷର ୫ମାସ ମଧ୍ୟରେ ୨୩ ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ୧୯ହଜାରରୁ ଅଧିକ ଲୋକ ଗିରଫ ହେଲେଣି । ଗତବର୍ଷ ତୁଳନାରେ ମାମଲା ରୁଜୁ ଓ ଗିରଫଦାରୀ ସଂଖ୍ୟାରେ ପ୍ରାୟ ୬୦ ପ୍ରତିଶତ ବୃଦ୍ଧି ଘଟିଛି ।
ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହ ଆଜି କରିଥିବା ସମୀକ୍ଷାରୁ ଏହା ଜଣାଯାଇଛି । ଶ୍ରୀ ସିଂହ ଭର୍ଚୁଆଲ ମୋଡରେ କରିଥିବା ଏହି ସମୀକ୍ଷାରେ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସମୀକ୍ଷାରୁ ଜଣାଯାଇଛି ଯେ ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ସୁଦ୍ଧା ବେଆଇନ୍ ଅବକାରୀ ଘଟଣାରେ ମୋଟ୍ ୨୩,୯୧୭ ମାମଲା ରୁଜୁ ହୋଇଥିବାବେଳେ ଏଥିରେ ୧୯,୨୭୮ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ଗତ ଆର୍ଥିକ ବର୍ଷର ଏହି ସମୟ ତୁଳନାରେ ମାମଲା ରୁଜୁ କ୍ଷେତ୍ରରେ ୬୧ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଗିରଫଦାରୀ କ୍ଷେତ୍ରରେ ୫୯ ପ୍ରତିଶତ ବୃଦ୍ଧି ହୋଇଛି ।
ସେହିଭଳି ଏହି ସମୟ ମଧ୍ୟରେ ୬୭୯୧ କିଲୋ ଭାଙ୍ଗ ଜବତ ହୋଇଛି ଯାହାକି ଗତବର୍ଷର ଏହି ସମୟ ତୁଳନାରେ ୧୫୬ ପ୍ରତିଶତ ଅଧିକ ରହିଛି । ଗତବର୍ଷ ଏହି ସମୟରେ ଅବକାରୀ ଚଢଉବେଳେ ୨୬୪୫ କିଲୋ ଭାଙ୍ଗ ଜବତ ହୋଇଥିଲା । ସେହିଭଳି ଚଳିତ ଆର୍ଥିକ ବର୍ଷର ଏହି ୫ମାସ ମଧ୍ୟରେ ୭,୩୩,୧୬୫ ଲିଟର କାରଖାନା ପ୍ରସ୍ତୁତ ଦେଶୀ ମଦ, ୮୨,୧୯,୭୨୬ ଲିଟର ମଦ ପ୍ରସ୍ତୁତ ସାମଗ୍ରୀ, ୧୨,୪୮୩ ଲିଟର ଭାଟି ମଦ, ୬୨୦୨ ଲିଟର ଦେଶୀ ମଦ ଓ ଟିକସ ଫାଙ୍କିଥିବା ୩୦୦ ଲିଟର ଭାରତ ତିଆରି ବିଦେଶୀ ମଦ ଜବତ ହୋଇଛି । ଏହି ସମୟରେ ଦେଶୀମଦ, ମଦପ୍ରସ୍ତୁତ ସାମଗ୍ରୀ ସହିତ ୧୧୧୭ଟି ଦୁଇ ଓ ଚାରି ଚକିଆ ଯାନ ଜବତ ହୋଇଛି ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ ରହିଛି ।
ସେହିଭଳି ଗୁଇନ୍ଦା ସୂଚନା ଆଧାରରେ ଅବକାରୀ ଚଢଉକୁ ଜୋରଦାର କରାଯିବା ଫଳରେ ଚଳିତ ଆର୍ଥିକ ବର୍ଷର ଜୁଲାଇ ଶେଷସୁଦ୍ଧା ୭୩୯ଟି ଏନଡିପିଏସ୍ ମାମଲା ରୁଜୁ ହୋଇଥିବାବେଳେ ଏଥିରେ ୮୬୫ ଜଣ ଗିରଫ ହୋଇଛନ୍ତି । ରୁଜୁ ହୋଇଥିବା ମାମଲା ଓ ଗିରଫଦାରୀ ଗତବର୍ଷ ତୁଳନାରେ ଯଥାକ୍ରମେ ୨୦୪ ଓ ୧୯୩ ପ୍ରତିଶତ ବଢିଛି । ଏହି ସମୟରେ ରାଜ୍ୟରୁ ୨୧,୬୯୦ କିଲୋ ଗଞ୍ଜେଇ, ୯୮୭୪ ଗ୍ରାମ ବ୍ରାଉନସୁଗାର ଓ ୪୧୦ ଲିଟର କଫସିରପ ଜବତ ହୋଇଛି । ଚଳିତ ଆର୍ଥିକ ବର୍ଷରେ ୪୦୦୦ ନାଇଟ୍ରାଜେପାମ ବଟିକା ଜବତରେ ଅବକାରୀ ବିଭାଗ ସଫଳ ହୋଇଛି । ଚଳିତ ଆର୍ଥିକ ବର୍ଷରେ ଜବତ ଏନ୍ଡିପିଏସ୍ ସାମଗ୍ରୀର ମୂଲ୍ୟ ୮୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି ।
ରାଜ୍ୟରେ ଥିବା ମଦ ଦୋକାନ ଗୁଡିକରେ ଅନିୟମିତତା ଦୃଷ୍ଟିକୁ ଆସିବା ପରେ ୫-ଟି ଆଧାରରେ ଏମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅବକାରୀ ଦୋକାନ ବିରୁଦ୍ଧରେ ୬୪୦ଟି ଅଭିଯୋଗ ଦାଖଲ ହେବା ସହିତ ସେମାନଙ୍କ ଠାରୁ ୭୦ଲକ୍ଷରୁ ଅଧିକ ଅର୍ଥ ଆଦାୟ ହୋଇଛି । ଓକାକ ସହାୟତାରେ ଗତ ଦଶବର୍ଷର ଅବକାରୀ ତଥ୍ୟର ଚାଲିଥିବା ଡିଜିଟାଇଜେସନ କାର୍ଯ୍ୟକୁ ତ୍ୱରାନ୍ୱିତ ଲାଗି ଅବକାରୀ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି ।
ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଅବକାରୀ ମାମଲା ପରିଚାଳନା ଓ ଅବକାରୀ କାରବାରରେ ଲିପ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୁଲିସ୍ ସହାୟତାରେ ସହଜରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ । ଚଳିତ ଆର୍ଥିକ ବର୍ଷରେ ଅବକାରୀ ଚଢଉକୁ ନେଇ କମିଶନର ଶ୍ରୀ ସିଂହ ସନ୍ତୋଷ ପ୍ରକଟ କରିବା ସହିତ ବେଆଇନ୍ ନିଶା କାରବାର ବିରୁଦ୍ଧରେ ଏହାକୁ ଆହୁରି ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । (ତଥ୍ୟ)