ଭୁବନେଶ୍ୱର : ବିଜୁଳି ଦରବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ ଏଟି ଆଣ୍ଡି ସି କ୍ଷତି ହୋଇଥିବାବେଳେ ଏହାକୁ ହ୍ରାସ କରାଯାଉନାହିଁ । କ୍ଷତି ହ୍ରାସପାଇଁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପରେ ମାଳ ମାଳ ଅପାରଗତାକୁ ଏଜି ଧରିବାପରେ ଏହା ପଦାକୁ ଆସିଛି ।
ଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଏଟିଆଣ୍ଡସି କ୍ଷତି ହ୍ରାସ ସହିତ ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ମାନର ଓ ୨୪ଘଣ୍ଟିଆ ନିରବଚ୍ଛିନ୍ନ ବିଜୁଳି ଯୋଗାଇବାକୁ ଭିତ୍ତିଭୂମି ବିକାଶ ଲାଗି ଓଡିଏସ୍ଏସ୍ପିର ପରିକଳ୍ପନା କରାଯାଇଥିଲା । ପ୍ରକଳ୍ପ ଯୋଜନାରେ ଅପାରଗତା ହେତୁ ଏଥିରେ ବିଳମ୍ବ ହେଲା ଏବଂ ଏଥିରୁ ସୁଫଳ ମିଳିଲା ନାହିଁ । ପ୍ରକଳ୍ପ ପାଇଁ ଜମି ହସ୍ତାନ୍ତରରେ ବିଳମ୍ବ ଏବଂ ବିତରଣ କମ୍ପାନୀମାନଙ୍କ ସହିତ ସମନ୍ୱୟରେ ଅଭାବ ଯୋଗୁଁ ପ୍ରକଳ୍ପ ପ୍ରଭାବିତ ହେଲା । କେତେକ ସ୍ଥାନରେ ତ୍ରୁଟିପୂର୍ଣ୍ଣ ଟ୍ରାନ୍ସଫର୍ମର ସ୍ଥାପନ ଏବଂ ମୋଟା ତାରର ବ୍ୟବହାର ଏଟିଆଣ୍ଡସି କ୍ଷତିକୁ କମାଇବା ପରିବର୍ତ୍ତେ ପୂର୍ବଭଳି ବଢାଇ ଚାଲିଲା ।
ପ୍ରକଳ୍ପ କାର୍ଯ୍ୟକାରିତାରେ ଅପାରଗତା ଯୋଗୁଁ ୮୧ ପ୍ରତିଶତ ଅର୍ଥ ଖର୍ଚ୍ଚ ପରେ ବି କେବଳ ୩୬ ପ୍ରତିଶତ ଭିତ୍ତିଭୂମି ସୁଦୃଢ ହୋଇପାରିଥିବା ଖୋଦ ଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଓପିଟିସିଏଲ୍ ଓ ବିତରଣ କମ୍ପାନୀ ମଧ୍ୟରେ ସମନ୍ୱୟର ଯଥେଷ୍ଟ ଅଭାବ ପରିଲକ୍ଷିତ ହୋଇଥିଲା । ଏଥିଯୋଗୁଁ ଅନେକ ଉପକେନ୍ଦ୍ର ବିତରଣ କମ୍ପାନୀଗୁଡିକୁ ହସ୍ତାନ୍ତର ହୋଇପାରିନଥିଲା । ଏଥିପାଇଁ ବିତରଣ କମ୍ପାନୀରେ କର୍ମଚାରୀ ଅଭାବ ଦର୍ଶାଯାଇଥିଲା ଯାହାକି ବହୁ ପୂର୍ବରୁ ସମାଧାନ ହୋଇପାରିଥାନ୍ତା ।
୨୦୧୯ ମସିହାରେ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ଏଟିଆଣ୍ଡସି କ୍ଷତି ପରିମାଣ ୫୦ରୁ ୭୪ ପ୍ରତିଶତ ବଢିବା ନେଇ ଉଦ୍ବେଗପ୍ରକାଶ କରିଥିଲେ । ପ୍ରକଳ୍ପର ବ୍ୟୟଭାର ୨୬୦୦ କୋଟିରୁ ବଢି ୩୮୪୩ କୋଟି ହୋଇଥିଲେ ମଧ୍ୟରେ କାର୍ଯ୍ୟ ନସରିବାରୁ ଶେଷ ହୋଇଥିବା ପ୍ୟାକେଜ ପାଇଁ ମଧ୍ୟ ଭରସାଯୋଗ୍ୟ ଓ ଉପଯୁକ୍ତ ମାନର ଶକ୍ତି ଯୋଗାଣର ଉନ୍ନତି ଲକ୍ଷ୍ୟ କରାଯାଇନଥିଲା ।
ଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଓପିଟିସିଏଲ୍ ପ୍ରକଳ୍ପରେ ବିଳମ୍ବ ଆଶଙ୍କା କରି ଠିକାଦାରଙ୍କ ଠାରୁ ୫୫କୋଟି ୭୦ଲକ୍ଷ ଟଙ୍କା କ୍ଷତିଭରଣା ବାବଦରେ କାଟି ରଖାଯାଇଥିଲା । ପରିଚାଳନାମଣ୍ଡଳୀ ନିଷ୍ପତ୍ତି ନେଇଥିଲେ ଯେ ଧାର୍ଯ୍ୟ ସମୟରେ କାର୍ଯ ସରିଲାପରେ ଟଙ୍କା ଫେରସ୍ତ ହେବ । ହେଲେ କାର୍ଯ୍ୟ ଶେଷ ହେବା ପୂର୍ବରୁ ନିଷ୍ପତ୍ତିରେ ପରିବର୍ତ୍ତନ କରି ଠିକାଦାରଙ୍କୁ ୪୯କୋଟି ୩୯କୋଟି ଟଙ୍କା ଫେରାଇ ଦେବାରୁ ସୁଧ ଆକାରରେ ୮କୋଟିରୁ ଅଧିକ ଟଙ୍କା କ୍ଷତି ହୋଇଥିଲା ।
ସେହିଭଳି ଚୁକ୍ତି ଭିତ୍ତିକ ସର୍ତ୍ତାବଳୀରୁ ଅହେତୁକ ବିଚ୍ୟୁତି ଯୋଗୁଁ ମଧ୍ୟ ପ୍ରକଳ୍ପରୁ ଲାଭ ମିଳିନଥିବା ଏଜି ଦର୍ଶାଇଛନ୍ତି । ଉଲ୍ଲେଖ କରାଯାଇଛି ଯେ ଇପିସି ଚୁକ୍ତିର କାର୍ଯ୍ୟକାରୀ ହେଉଥିବାବେଳେ ଓପିଟିସିଏଲ୍ ଚୁକ୍ତିନାମାଗୁଡିକର ବିଭିନ୍ନ ଧାରାଗୁଡିକୁ ପରିବର୍ତ୍ତନ କରିବାକୁ ଅନୁମତି ଦେଲା ଯାହା ପ୍ରକଳ୍ପ ମୂଲ୍ୟରେ ଠିକାଦାରମାନଙ୍କ ପାଇଁ ଲାଭଦାୟକ ହେଲା । ଏଭଳି ମାଳ ମାଳ ଅପାରଗତା ଯୋଗୁଁ ବିଦ୍ୟୁତ୍ କ୍ଷେତ୍ରରେ ଏଟି ଆଣ୍ଡ ସି କ୍ଷତି ରୋକିବାପାଇଁ ଯେଉଁ ଉଦ୍ୟମ ହୋଇଥିଲା ତାହା ସଫଳ ହୋଇପାରିଲା ନାହିଁ । (ତଥ୍ୟ)