ଭୁବନେଶ୍ୱର : ବିଶ୍ୱକପ୍ ପାଇଁ ରାଜଧାନୀ ସମେତ କଟକ, ରାଉରକେଲା ଆଦି ବିଭିନ୍ନ ସହରକୁ ଯେଭଳି ସଜେଇ ଦିଆଯାଇଛି ତାହାର ଠିକଣା ରକ୍ଷଣାବେକ୍ଷଣ କରାଯାଇ ପାରିଲେ ଏହି ସହରଗୁଡିକ ଅନ୍ୟ ରାଜ୍ୟପାଇଁ ଅନୁକରଣୀୟ ହୋଇପାରିବ ।
ଏଠାରେ ଉଲ୍ଲେଖନୀୟ ଯେ ହକି ବିଶ୍ୱକପ୍ ଲାଗି ରାଜ୍ୟ ସରକାର ୧୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ କରୁଛନ୍ତି । ଏହାଛଡା ବିଭିନ୍ନ ବିଭାଗ ମଧ୍ୟ ହକି ମ୍ୟାଚ୍ ହେଉଥିବା ସହରଗୁଡିକର ସୌନ୍ଦର୍ଯ୍ୟକରଣ ବୃଦ୍ଧି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଇତି ମଧ୍ୟରେ ରାଜଧାନୀର ଅନେକ ଗୁରୁତ୍ୱପୂର୍ଣ୍ଣ ରାସ୍ତାକଡରେ ଲକ୍ଷ ଲକ୍ଷ ସଂଖ୍ୟାରେ ଗଛ ଲଗାଯାଇଛି । ଖରାଦିନେ ଏହି ଗଛଗୁଡିକୁ ଠିକଣା ଭାବେ ପାଣି, ମାଟି ଓ ଜୈବିକ ସାର ଦେଇ ରକ୍ଷଣା ବେକ୍ଷଣ କରାଯାଇ ପାରିଲେ ବର୍ଷ ତମାମ ରାସ୍ତାଗୁଡିକ ସବୁଜିମାମୟ ଦେଖାଯିବ ।
ଏହାଛଡା ଶିଳ୍ପୀମାନଙ୍କୁ ନେଇ ଭୁବନେଶ୍ୱର, କଟକ, ରାଉରକେଲା ଆଦି ସହରରେ ରାସ୍ତାକଡରେ ଥିବା ପାଚେରୀଗୁଡିକରେ ସୁଦୃଶ୍ୟ ଛବିମାନ ଅଙ୍କା ଯାଇଛି । ଯେଉଁଥିରେ ରାଜ୍ୟର ବହୁ ପ୍ରାତଃସ୍ମରଣୀୟ ନେତା ଓ ନେତ୍ରୀଙ୍କ ସମେତ କଳା, ଭାଷ୍କର୍ଯ୍ୟ, ସାହିତ୍ୟ, ସଂସ୍କୃତି ଆଦି କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କର ଛବି ମଧ୍ୟ ପ୍ରଦର୍ଶିତ ହୋଇଛି । କେବଳ ସେତିକି ନୁହେଁ, ରାଜ୍ୟର କଳା, ସଂସ୍କୃତିର ଛାପ ବହନ କରୁଥିବା ଅନେକ ଛବି ବି ଇତି ମଧ୍ୟରେ ତିଆରି କରାଯାଇଛି ।
ଏହାଛଡା ରାଜଧାନୀର ଗଛଗୁଡିକରେ ଲାଗିଥିବା ପରସ୍ତ ପରସ୍ତ ଧୂଳିକୁ ଅଗ୍ନିଶମ ଗାଡିରୁ ପାଣି ସ୍ପ୍ରେ କରି ସଫା କରାଯିବା ସଂଗେ ସଂଗେ ଚାନ୍ଦୁଆ ଓ ଆଲୋକମାଳାରେ ମଧ୍ୟ ସଜା ଚାଲିଛି । ପ୍ରମୁଖ ରାସ୍ତାଘାଟ କଡରୁ ଉଠା ଦୋକାନୀମାନଙ୍କୁ ହଟାଇବା ସଂଗେ ସଂଗେ ରାସ୍ତାକଡରେ କେହି ଗାଡିମୋଟର ରଖିଲେ ତାକୁ ବି ଉଠାଇ ନିଆଯାଉଛି । ଅନେକ ରାସ୍ତାର ମରାମତି କରାଯାଇ ଚିକିମିକ୍ କରାଯାଇଛି । ଟ୍ରାଫିକ ଷ୍ଟାଣ୍ଡଗୁଡିକୁ ମଧ୍ୟ ନବୀକରଣ କରାଯାଇଛି । ଏହିଭଳି ଅନେକ କାମର ଝଲକ ରାଜଧାନୀରେ ଦେଖିବାକୁ ମିଳୁଛି ।
ରାଉରକେଲାରେ ନୂଆ ହକି ଷ୍ଟାଡିଅମ ଉଦଘାଟନ ସହ କଳିଙ୍ଗ ଷ୍ଟାଡିଅମ ଓ ବାରବାଟୀ ଷ୍ଟାଡିଅମ ଆଦିକୁ ନୂଆ ଢାଞ୍ଚା ଦିଆଯାଇଛି । ସହର ଯୋଜନା ସହ ସମ୍ପୃକ୍ତ ବିଶେଷଜ୍ଞମାନେ ଏସବୁ କାମକୁ ତାରିଫ କରିବା ସହିତ ହକି ବିଶ୍ୱକପ୍ ଲାଗି ଯେତେସବୁ କାମ ହୋଇଛି ସେଗୁଡିକର ରକ୍ଷଣା ବେକ୍ଷଣ ଦୀର୍ଘକାଳୀନ ଭିତ୍ତିରେ କରାଗଲେ ତାହା ଆକର୍ଷଣୀୟ ହୋଇ ରହିବ ବୋଲି କୁହାଯାଉଛି ।
ବିଶ୍ୱକପ୍ ଅବସରରେ ଆଇନ୍ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ ଦିଆଯିବା ସହ ନିଶାଡିଙ୍କୁ ଗୋଡେଇ ଗୋଡେଇ ଧରାଯାଉଛି ଏବଂ ପେଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ ବ୍ୟାପକ କରାହୋଇଛି । ବିଶ୍ୱକପ୍ବେଳେ ବହିରାଗତ ଅତିଥିମାନଙ୍କୁ ଭଦ୍ର ବ୍ୟବହାର ପ୍ରଦର୍ଶନ ଲାଗି ଆରକ୍ଷୀମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବା ସହିତ ହୋଟେଲଗୁଡିକ ମଧ୍ୟ ଏ ଦିଗରେ ଦୃଷ୍ଟି ଦେବାବାପାଇଁ କୁହାଯାଇଛି ।
ଏହି ଧାରା ଜାରି ରହିଲେ ଆଇନ୍ଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ ସମସ୍ୟା ବହୁ ପରିମାଣରେ ନିୟନ୍ତ୍ରିତ ହେବା ସହିତ ଓଡିଶାର ଆତିଥ୍ୟ ପର୍ଯ୍ୟଟକମାନଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି କୁହାଯାଉଛି । ଏଠାରେ ଉଲ୍ଲେଖନୀୟ ଯେ ବିଶ୍ୱକପ୍ ହକି ଅବସରରେ ଭୁବନେଶ୍ୱରରୁ ରାଜ୍ୟ ଏବଂ ଦେଶ ତଥା ଦେଶ ବାହାରର ବିଭିନ୍ନ ସ୍ଥାନକୁ ବିମାନ ଚଳାଚଳପାଇଁ ଯେଉଁ ବ୍ୟବସ୍ଥା ହୋଇଛି ତାହା ଆଗାମୀ ଦିନରେ ବଜାୟ ରହିଲେ ଏଥିରେ ବି ରାଜ୍ୟପାଇଁ ସମୃଦ୍ଧି ଆସିବ ବୋଲି ଅର୍ଥନୀତି ବିଶାରଦମାନେ କହୁଛନ୍ତି । (ତଥ୍ୟ)