Home Judiciary ଅନୁକମ୍ପା ନିଯୁକ୍ତି ନେଇ ହାଇକୋର୍ଟ ଅସନ୍ତୁଷ୍ଟ

ଅନୁକମ୍ପା ନିଯୁକ୍ତି ନେଇ ହାଇକୋର୍ଟ ଅସନ୍ତୁଷ୍ଟ

ଭୁବନେଶ୍ୱର : ସରକାରୀ କର୍ମଚାରୀ ଚାକିରିରେ ଥାଇ ମୃତ୍ୟୁବରଣ କଲେ ତାଙ୍କ ପରିବାରର ଆର୍ôଥକ ଦୁସ୍ଥିତିକୁ ବିଚାରକୁ ନେଇ ଜଣେ ଉତ୍ତରାଧିକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଦେବା ଲାଗି ଆଇନ୍‍ରେ ବ୍ୟବସ୍ଥା ଥିବାବେଳେ ଏହାର ଅଣଦେଖା କରାଯାଉଥିବାରୁ ଓଡ଼ିଶା ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଭଳି ଏକ ଘଟଣାରେ ସଂପୃକ୍ତ କର୍ମଚାରୀଙ୍କ ମୃତ୍ୟୁର ୧୩ବର୍ଷ ପରେ ତାଙ୍କ ଦାୟଦଙ୍କୁ ସେତେବେଳର ଆଇନ୍‍ ଅନୁଯାୟୀ ଦୁଇମାସ ମଧ୍ୟରେ ନିଯୁକ୍ତି ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ରବି ନାରାୟଣ ଆଚାରୀଙ୍କ ବାପା ଭୁବନେଶ୍ୱରର ସତ୍ୟନଗରରେ ଥିବା କୃଷି ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ୨୦୧୧ ଜୁଲାଇ ମାସରେ ମୃତ୍ୟୁବରଣ କରିଥିଲେ । ସେତେବେଳକୁ ଉକ୍ତ କର୍ମଚାରୀଙ୍କ ବିଧବା ପତ୍ନୀ ରୋଗାକ୍ରାନ୍ତ ଥିଲେ । ପରିବାରର ସହମତିକ୍ରମେ ମୃତ କର୍ମଚାରୀଙ୍କ ପୁଅ ରବି ନାରାୟଣ ଆଚାରୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅନୁକମ୍ପାମୂଳକ ନିଯୁକ୍ତି ଲାଗି ଆବେଦନ କରିଥିଲେ । ଏ ସଂକ୍ରାନ୍ତରେ ଆବଶ୍ୟକୀୟ ଦସ୍ତାବିଜ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିଲା ।

ଆବେଦନକାରୀଙ୍କ ଯୋଗ୍ୟତା ଭିତ୍ତିରେ ତାଙ୍କୁ ଉକ୍ତ ଦପ୍ତରରେ ଖାଲି ପଡିଥିବା ଏକ ତୃତୀୟ ଶ୍ରେଣୀ ପଦବୀରେ ନିଯୁକ୍ତି ଦେବା ଲାଗି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅନୁମୋଦନ ଲୋଡ଼ା ଯାଇଥିଲା । ଏ ସଂକ୍ରାନ୍ତରେ କାଗଜପତ୍ର ତନଖି ପରେ ମୃତ କର୍ମଚାରୀଙ୍କ ବିଧବା ପତ୍ନୀଙ୍କୁ ମେଡିକାଲ୍‍ ବୋର୍ଡରେ ହାଜର କରାଯାଇଥିଲା ଏବଂ ସେ ସରକାରୀ ଚାକିରି ପାଇଁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅନୁପଯୁକ୍ତ ବୋଲି ବୋର୍ଡ ମତ ଦେଇଥିଲେ ।

ଏ ସଂକ୍ରାନ୍ତରେ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିଲା । ତେବେ ମୃତ କର୍ମଚାରୀଙ୍କ ବିଧବା ପତ୍ନୀ ବଞ୍ôଚଥିବା ବେଳେ ତାଙ୍କ ପୁଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି ଦର୍ଶାଇ ସରକାର ଆବେଦନ ପତ୍ରଟିକୁ ନାକଚ କରିଦେଇଥିଲେ । ଏହାପରେ ଆବେଦନକାରୀ ଶ୍ରୀ ଆଚାରୀ ସ୍ୟାଟ୍‍ରେ ଏକ ମାମଲା ରୁଜୁ କରିଥିଲେ । ସ୍ୟାଟ୍‍ ଉଚ୍ଛେଦ ହେବା ପରେ ଏହି ମାମଲାଟି ବିଚାର ପାଇଁ ହାଇକୋର୍ଟରେ ପଡ଼ିରହିଥିଲା ।

ଓଡ଼ିଶାର ହାଇକୋର୍ଟର ଅନ୍ୟତମ ବିଚାରପତି ବିରଜା ପ୍ରସନ୍ନ ଶତପଥି ଏହି ମାମଲାର ବିସ୍ତୃତ ଶୁଣାଣି କରିବା ସହ ଆଇନ୍‍ଗତ ବ୍ୟବସ୍ଥା ଏବଂ ଅନୁରୂପ ମାମଲାରେ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ରାୟଗୁଡ଼ିକର ନଜିର ଆଧାରରେ ଆବେଦନକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଦରଖାସ୍ତକୁ ନାକଚ କରାଯିବା ବେଆଇନ୍‍ ବୋଲି ଉଲ୍ଲେଖ କରିବା ସହ ଏହାକୁ ବାତିଲ କରିଦେଇଛନ୍ତି ।

ଓଡ଼ିଶା ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ ଆବେଦନକାରୀ ମୃତ କର୍ମଚାରୀଙ୍କ ପୁଅ ଏବଂ ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍‍ ଅନୁଯାୟୀ ତାଙ୍କ ଆବେଦନର ବିଚାର କରାଯିବା ଉଚିତ୍‍ ଥିଲା । ଏ ପରିପ୍ରେକ୍ଷୀରେ ୨୦୧୧ ମସିହାରେ ଆବେଦନକାରୀଙ୍କ ପିତାଙ୍କ ମୃତ୍ୟୁ ବେଳକୁ ଯେଉଁ ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍‍ ପ୍ରଚଳିତ ଥିଲା ସେହି ଆଧାରରେ କୃଷି ବିଭାଗର ଶାସନ ସଚିବ ଦୁଇ ମାସ ମଧ୍ୟରେ ଆବେଦନକାରୀଙ୍କୁ ନିଯୁକ୍ତି ଦେବା ସଂକ୍ରାନ୍ତରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଅନ୍ୟତମ ଆଇନ୍‍ଜୀବୀ ପ୍ରହଲ୍ଲାଦ କୁମାର ସିଂହ ଓ ଅମୀୟ କୁମାର ଛାଟୋଇ ଏହି ମାମଲା ଲଢ଼ୁଥିଲେ ।

କେବଳ ରବି ନାରାୟଣ ଆଚାରୀ ନୁହଁନ୍ତି, ତାଙ୍କ ଭଳି ଆଉ କେତେଜଣଙ୍କ ଅନୁରୂପ ଆବେଦନ ମଧ୍ୟ ପୂର୍ବରୁ ନାକଚ କରିଦିଆଯାଇଛି ଏବଂ ଯେଉଁମାନେ ଅଦାଲତରୁ ନିର୍ଦ୍ଦେଶନାମା ଆଣୁଛନ୍ତି କେବଳ ସେହିମାନଙ୍କୁ ଚାକିରି ଦିଆଯିବା ଘଟଣା ରାଜ୍ୟ ସରକାରଙ୍କ ମାମଲା ନୀତିର ବିରୁଦ୍ଧାଚରଣ କରୁଛି ଏବଂ ଏହାଫଳରେ ଅଯଥାରେ ମାମଲା ସଂଖ୍ୟା ବଢ଼ିବା ସହିତ ମୃତ କର୍ମଚାରୀଙ୍କ ପରିବାର ବର୍ଷବର୍ଷ ଧରି ହଇରାଣ ହରକତ ହେବା ସଙ୍ଗେ ସଙ୍ଗେ ସରକାରୀ କଳର ମଧ୍ୟ ବ୍ୟାପକ ସମ୍ବଳ, ସମୟ ଓ ଶକ୍ତି ବରବାଦ ହେଉଛି ବୋଲି ଆଇନଜ୍ଞମାନେ ମତ ଦେଇଛନ୍ତି । (ତଥ୍ୟ)