Home News in Odia ଅନାସ୍ଥାକୁ ବିରୋଧ କରିବ ବିଜେଡି

ଅନାସ୍ଥାକୁ ବିରୋଧ କରିବ ବିଜେଡି

ଭୁବନେଶ୍ୱର : ମୋଦି ସରକାର ବିରୁଦ୍ଧରେ ମିଳିତ ବିରୋଧିଦଳ ସଂସଦରେ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବିଜୁ ଜନତାଦଳ ବିରୋଧ କରିବ । କେବଳ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ନାହିଁ, ମୋଦି ସରକାର ସଂସଦରେ ଆଣିଥିବା ଦିଲ୍ଲୀ ଅଧ୍ୟାଦେଶ ବିଲ୍‍କୁ ମଧ୍ୟ ସମର୍ଥନ କରିବ ବୋଲି ଆଜି ଘୋଷଣା କରିଛି ।

ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ଏହି ସୂଚନା ଦେବା ସହିତ ଅନାସ୍ଥା ଆଲୋଚନା ଓ ଅଧ୍ୟାଦେଶ ବିଲ୍‍ ପାଶ୍‍ ସମୟରେ ଲୋକସଭା ଓ ରାଜ୍ୟସଭାରେ ବିଜେଡିର ସମସ୍ତ ସାଂସଦମାନେ ଉପସ୍ଥିତ ରହିବାପାଇଁ ଦଳ ହୁଇପ୍‍ ଜାରି କରିଥିବା କହିଛନ୍ତି ।

ଉଲ୍ଲେଖନୀୟ ଯେ ମଣିପୁରରେ ଲଜ୍ଜାଜନକ ତଥା ବର୍ବର ଘଟଣା ପରେ ମିଳିତ ବିରୋଧିଦଳ (ଇନ୍‍ଡିଆ) ପକ୍ଷରୁ ମୋଦି ସରକାରଙ୍କ ବିରୁଦ୍ଧରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । ବାଚସ୍ପତି ଏହାକୁ ଗ୍ରହଣ କରିବା ସହିତ ଏହା ଉପରେ ଆସନ୍ତା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ଆଲୋଚନା କାଳରେ ବିଶେଷ ଭାବରେ ମଣିପୁର ହିଂସା ସମୟରେ ମହିଳାଙ୍କୁ ସର୍ବ ସମ୍ମୁଖରେ ଧର୍ଷଣ, ଉଲଗ୍ନ କରି ଚଲାଇବା ସହିତ ଆଇନ୍‍ ଶୃଙ୍ଖଳା ପରିସ୍ଥିତି ଉପରେ ସରଗରମ ଆଲୋଚନା ହେବ ।

ତେବେ ଅନାସ୍ଥା ଆଲୋଚନା ସମୟରେ ଏନ୍‍ଡିଏ ଓ ଇନ୍‍ଡିଆ ଠାରୁ ଦୂରେଇ ରହୁଥିବା ବିଜେଡିର ଆଭିମୁଖ୍ୟ ସଂସଦରେ କିଭଳି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା । ହେଲେ ଏହି ଦ୍ୱନ୍ଦ ଆଜି ଦୂର ହୋଇଛି । ଆଲୋଚନା ସମୟରେ ବିଜେଡି ସଂସଦରେ ଉପସ୍ଥିତ ରହିବା ସଂଗେ ସଂଗେ ଇନ୍‍ଡିଆର ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବୋଲି ଘୋଷଣା କରିଛି ।

ସେହିଭଳି ଦିଲ୍ଲୀ ଅଧ୍ୟାଦେଶ ସଂଶୋଧନ ବିଲ୍‍ ପାରିତ ପାଇଁ ମୋଦି ସରକାର ଲୋକସଭାରେ ଆଗତ କରିଛନ୍ତି । ସଂଘୀୟ ଗଣତନ୍ତ୍ର ପ୍ରତି ଏହା ବିପଦ ବୋଲି ଦର୍ଶାଇ ଦିଲ୍ଲୀରେ କ୍ଷମତାରେ ଥିବା ଆପ୍‍ ଏହା ବିରୁଦ୍ଧରେ ବିରୋଧିମାନଙ୍କୁ ଏକଜୁଟ କରିବାରେ ଲାଗିଛି ।

ଅନାସ୍ଥା ପ୍ରସ୍ତାବ ଭଳି ଏହି ବିଲ୍‍ ସଂକ୍ରାନ୍ତରେ ବିଜେଡିର ଆଭିମୁଖ୍ୟ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଥିଲା । ହେଲେ ତାହା ମଧ୍ୟ ଆଜି ଦୂର ହୋଇଛି । ଏହି ବିଲ୍‍ ସପକ୍ଷରେ ବିଜେଡି ଯିବ ବୋଲି ଦଳୀୟ ମୁଖପାତ୍ର ଡକ୍ଟର ପାତ୍ର ସ୍ପଷ୍ଟ କରିଦେଇଛନ୍ତି ।