Home Education ଅଧ୍ୟାପକଙ୍କ ଅବସର ବୟସ ବୃଦ୍ଧି ପ୍ରସ୍ତାବ

ଅଧ୍ୟାପକଙ୍କ ଅବସର ବୟସ ବୃଦ୍ଧି ପ୍ରସ୍ତାବ

ଭୁବନେଶ୍ୱର : ଓଡିଶାର କଲେଜଗୁଡିକରେ ବହୁ ସଂଖ୍ୟକ ଅଧ୍ୟାପକ ପଦବୀ ଖାଲି ପଡିଥିବାରୁ ଏହି ସମସ୍ୟାର ସମାଧାନ ପାଇଁ ଅଧ୍ୟାପକମାନଙ୍କ ଅବସର ବୟସସୀମା ୬୨ବର୍ଷ ବୟସକୁ ବଢାଇବାପାଇଁ ବିଧାନସଭାର ଷ୍ଟାଣ୍ଡିଂ କମିଟି ସୁପାରିଶ୍‍ କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ସରକାରୀ କଲେଜକୁ ସରକାର ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇ ଚାଲିଛନ୍ତି । ଏହି କ୍ରମରେ ରମାଦେବୀ ସ୍ୱୟଂଶାସିତ ମହିଳା କଲେଜ ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିବାବେଳେ ରେଭେନ୍ସା, ଖଲ୍ଲିକୋଟ, ଗଙ୍ଗାଧର ମେହେର, ରାଜେନ୍ଦ୍ର, ବିକ୍ରମ ଦେବ, ଧରଣୀଧର ମହାବିଦ୍ୟାଳୟ ଆଦି ବିଶ୍ୱବିଦ୍ୟାଳୟକୁ ଉନ୍ନୀତ ହୋଇଛନ୍ତି । ଭବାନୀପାଟଣାରେ ବି ନୂଆ ବିଶ୍ୱବିଦ୍ୟାଳୟ ଖୋଲିଛି ।

ଯେଉଁସବୁ କଲେଜଗୁଡିକୁ ବିଶ୍ୱବିଦ୍ୟାଳୟ କରାଯାଇଛି ସେଗୁଡିକ ମଧ୍ୟରୁ କେତେକରେ ଏଯାବତ୍‍ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ସୃଷ୍ଟି କରାଯାଇ ନାହିଁ । ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିବା ଏହି କଲେଜଗୁଡିକର ମଧ୍ୟ ବ୍ୟାପକ ସଂଖ୍ୟକ ଅଧ୍ୟାପକ ପଦବୀ ଖାଲି ରହିଛି । ମୋଟାମୋଟି ଭାବେ ସଂଖ୍ୟାଧିକ ସରକାରୀ ଡିଗ୍ରୀ ଓ ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନରେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ଅନୁଦାନପ୍ରାପ୍ତ କଲେଜଗୁଡିକରୁ ଅଧିକାଂଶ ବି ଭାରପ୍ରାପ୍ତ ଅଧ୍ୟକ୍ଷରେ ଚାଲିଛି ।

ଓଡିଶା ବିଶ୍ୱବିଦ୍ୟାଳୟ ଆଇନ୍‍ରେ ରାଜ୍ୟ ସରକାର ସଂଶୋଧନ ଆଣି ଓଡିଶା ଲୋକସେବା ଆୟୋଗ ମାଧ୍ୟମରେ ବିଶ୍ୱବିଦ୍ୟାଳୟଗୁଡିକର ସହକାରୀ, ସହଯୋଗୀ ଓ ଅନ୍ୟ ପ୍ରଫେସର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଏହି ମାମଲା ଏବେ ସୁପ୍ରିମ୍‍କୋର୍ଟରେ ବିଚାରାଧିନ ଥିବାରୁ ନିଯୁକ୍ତି ପ୍ରକ୍ରିୟା ଆଗେଇ ପାରୁନାହିଁ । ଅନ୍ୟ ପକ୍ଷରେ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଗୁଡିକରୁ ପ୍ରତିବର୍ଷ ଅବସର ଓ ଅନ୍ୟାନ୍ୟ କାରଣରୁ ଯେତେ ସଂଖ୍ୟକ ପଦବୀ ଖାଲି ହେଉଛି ତାହା ତୁରନ୍ତ ପୂରଣ କରାଯାଇ ପାରୁନାହିଁ । ଅବଶ୍ୟ ଲୋକସେବା ଆୟୋଗ ମାଧ୍ୟମରେ କଲେଜଗୁଡିକର ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ।

ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରେ ଶିକ୍ଷକ ମରୁଡି ଅବସ୍ଥା ଲାଗି ରହିବାରୁ ଶିକ୍ଷାଦାନ, ଗବେଷଣା ଓ ପ୍ରଶାସନିକ କାର୍ଯ୍ୟ ଗୁରୁତରଭାବେ ବ୍ୟାହତ ହେଉଛି । ସମସ୍ୟା ଟାଳିବାପାଇଁ କଲେଜ କର୍ତ୍ତୃପକ୍ଷ ଅତିଥି ଅଧ୍ୟାପକ ମୁତୟନ କରୁଛନ୍ତି ଯେଉଁମାନଙ୍କୁ ଶ୍ରେଣୀ ପିଛା ପାରିଶ୍ରମିକ ଦିଆଯାଉଛି ।

ବରିଷ୍ଠ ବିଧାୟକ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚଶିକ୍ଷା ବିଭାଗର ଷ୍ଟାଣ୍ଡିଂ କମିଟି ବିଧାନସଭାରେ ନିକଟରେ ଯେଉଁ ରିପୋର୍ଟ ଉପସ୍ଥାପନ କରିଛନ୍ତି ସେଥିରେ ବହୁ ସଂଖ୍ୟକ ଶିକ୍ଷକ ପଦବୀ କଲେଜଗୁଡିକରେ ଖାଲି ରହୁଥିବା ଦୃଷ୍ଟିରୁ ଅବସରକାଳୀନ ବୟସସୀମା ୬୨ବର୍ଷକୁ ବଢାଇବାପାଇଁ ସୁପାରିଶ୍‍ କରିଛନ୍ତି ।

ଏହାଛଡା ବିଜ୍ଞାନ ଶିକ୍ଷାକୁ ଗୁରୁତ୍ୱ ଦେଇ ଯେଉଁ ବ୍ଲକଗୁଡିକରେ ବିଜ୍ଞାନ କଲେଜ ନାହିଁ ସେଠାରେ ଅନ୍ତତଃ ପକ୍ଷେ ଗୋଟିଏ କରି ବିଜ୍ଞାନ କଲେଜ ଖୋଲିବା, କଲେଜଗୁଡିକର ଭିତ୍ତିଭୂମି ବିକାଶ ପାଇଁ ଅଧିକ ଅର୍ଥ ବରାଦ କରିବା, ସରକାରୀ ଓ ସାହାଯ୍ୟପ୍ରାପ୍ତ କଲେଜଗୁଡିକରେ ନିୟମିତ ପ୍ରିନ୍ସିପାଲ କ୍ୟାଡର ରଖିବା, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ବଦଳି ସଂକ୍ରାନ୍ତୀୟ ନୀତି ପ୍ରଣୟନ, ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶ୍ରେଣୀକୁ ସୀମିତ ସମୟ ମଧ୍ୟରେ ପୃଥକ କରିବା ଏବଂ ସର୍ବୋପରି ନୂଆ ବିଶ୍ୱବିଦ୍ୟାଳୟମାନ ଖୋଲିବା ଲାଗି ଅଧିକ ଅର୍ଥ ବରାଦ ସମେତ ୨୧ଟି ପ୍ରସ୍ତାବ ଏହି କମିଟି ସୁପାରିଶ୍‍ କରିଛନ୍ତି ।(ତଥ୍ୟ)