ଭୁବନେଶ୍ୱର : ବିଭିନ୍ନ ଉନ୍ନୟନମୂଳକ କାମ ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମକୁ ଚଳାଇ ରଖିବାପାଇଁ ଓଡିଶା ସରକାରଙ୍କୁ ଆଗାମୀ ଆର୍ଥିକ ବର୍ଷରେ ଅଧିକ ଋଣ କରିବାକୁ ପଡିପାରେ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି ।
ଗତ ଜୁଲାଇ ସୁଦ୍ଧା ଓଡିଶାର ଋଣ ବୋଝ ଏକ ଲକ୍ଷ କୋଟି ଟଙ୍କାକୁ ଟପିଥିଲା । ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ଏହାର ପରିମାଣ ପ୍ରାୟ ୧ଲକ୍ଷ ୨୨ହଜାର କୋଟି ଟଙ୍କାରୁ ଅଧିକ ହେବବୋଲି ଆକଳନ କରାଯାଇଥିଲା । ବିଶେଷକରି କେନ୍ଦ୍ର ସରକାର ଅନେକଗୁଡିଏ ଯୋଜନା ବନ୍ଦ କରିଦେବା ଏବଂ କେତେକ ଯୋଜନାରେ କେନ୍ଦ୍ରୀୟ ଅଂଶ ହ୍ରାସ କରିବା ଫଳରେ ରାଜ୍ୟ ରାଜକୋଷ ଉପରେ ଆର୍ଥିକ ଚାପ ବୃଦ୍ଧି ପାଉଛି ।
ତେବେ ଅର୍ଥନୀତି ବିଶାରଦମାନେ କହୁଛନ୍ତି ଯେ ରାଜ୍ୟର ସାମଗ୍ରିକ ଉତ୍ପାଦନର ୨୫ ପ୍ରତିଶତ ପର୍ଯ୍ୟନ୍ତ ଋଣ କରାଯାଇ ପାରିବ । ତେବେ ଏଯାବତ୍ ରାଜ୍ୟ ସରକାରଙ୍କ ଋଣର ପରିମାଣ ଜିଏସ୍ଡିପିର ୧୮ ପ୍ରତିଶତରୁ କମ୍ ରହିଛି । ୧୯୯୦ ମାର୍ଚ୍ଚ ସୁଦ୍ଧା ଓଡିଶାର ମୋଟ୍ ଋଣ ପରିମାଣ ୩୮୭୦ କୋଟି ୮୪ଲକ୍ଷ ଟଙ୍କା ଥିବାବେଳେ ୧୯୯୫ ମାର୍ଚ୍ଚ ବେଳକୁ ଏହା ପାଖାପାଖି ୭୯୫୮କୋଟି ଟଙ୍କାରେ ପହଞ୍ଚିଥିଲା । ଏହା ବଢି ବଢି ୨୦୦୦ ମାର୍ଚ୍ଚ ବେଳକୁ ୧୮,୧୦୦ କୋଟି ଟଙ୍କାକୁ ଟପିଥିବାବେଳେ ୨୦୧୫ ମାର୍ଚ୍ଚ ବେଳକୁ ୪୩,୨୭୩ କୋଟି ଟଙ୍କାରେ ଥିଲା । ଚଳିତ ଆର୍ଥିକ ବର୍ଷ ଶେଷ ବେଳକୁ ରାଜ୍ୟ ସରକାରଙ୍କ ଋଣ ବୋଝ ୧ଲକ୍ଷ ୨୫ହଜାର କୋଟି ଟଙ୍କା ହେବାର ଆଶଙ୍କା ରହିଛି ଯାହାକି ଜିଏସ୍ଡିପିର ପ୍ରାୟ ୨୧ ପ୍ରତିଶତ । ଏହି ଧାରା ଅବ୍ୟାହତ ରହିଲେ ୨୦୨୩-୨୪ ଆର୍ଥିକବର୍ଷ ଶେଷ ସୁଦ୍ଧା ଋଣ ପରିମାଣ ଜିଏସ୍ଡିପିର ୨୨.୪୬ ପ୍ରତିଶତ ହେବ ବୋଲି ଆଶଙ୍କା କରାଯାଉଛି ।
ମୋଟାମୋଟି ଭାବେ ସରକାରୀ ହିସାବ ମୁତାବକ ୨୦୧୧-୧୨ ଆର୍ଥିକବର୍ଷ ବେଳକୁ ଓଡିଶାରେ ମୁଣ୍ଡପିଛା ହାରାହାରି ଋଣ ପରିମାଣ ୯୧୪୪ ଟଙ୍କା ଥିବାବେଳେ ୨୦୨୦-୨୧ ବର୍ଷ ବେଳକୁ ତାହା ୨୩,୭୬୧ଟଙ୍କାକୁ ଟପିଛି । ଦୁଇବର୍ଷ ଭିତରେ ଓଡିଶାର ମୁଣ୍ଡପିଛା ହାରାହାରି ଋଣ ବୋଝ ୨୫ହଜାର ଟଙ୍କାକୁ ଟପିପାରେ ।
ଅର୍ଥନୀତି ବିଶାରଦମାନେ କହୁଛନ୍ତି ଯେ କେନ୍ଦ୍ର ସରକାରଙ୍କ ଋଣ ବୋଝ ଏବେ ୧୩୫ଲକ୍ଷ କୋଟି ଟଙ୍କାକୁ ଟପିଥିବାବେଳେ ଆଗାମୀ ଆର୍ଥିକବର୍ଷ ଶେଷ ସୁଦ୍ଧା ଏହା ୧୫୦ଲକ୍ଷ କୋଟି ଟଙ୍କାକୁ ଡେଇଁପାରେ । ଏହା ମଧ୍ୟରେ ବିପୁଳ ପରିମାଣର ବୈଦେଶିକ ଋଣ ରହିଛି । ଆମ ଦେଶର କେନ୍ଦ୍ରୀୟ ବ୍ୟବସ୍ଥାରେ ଅର୍ଥନୀତିର ଯେଉଁ ପରିଚାଳନା ହେଉଛି ତାହାର ଛାପ ରାଜ୍ୟଗୁଡିକ ଉପରେ ପଡୁଛି ଏବଂ ସେହି କାରଣରୁ ଅଧିକାଂଶ ରାଜ୍ୟ ଋଣ କରିବାକୁ ବାଧ୍ୟ ହେଉଛନ୍ତି ।
ଏବେ କେନ୍ଦ୍ର ବଜେଟ୍ର ପ୍ରାୟ ୩୫ ପ୍ରତିଶତ ଋଣ ସୂତ୍ରରୁ ଆସୁଛି । ପଞ୍ଜାବ ଭଳି ରାଜ୍ୟରେ ଋଣ ପରିମାଣ ମୁଣ୍ଡପିଛା ସର୍ବାଧିକ ରହୁଛି । ଗୋଟିଏ ପଟେ ଋଣ ବୋଝ ଓ ଅନ୍ୟାନ୍ୟ କାରଣ ଯୋଗୁଁ କେନ୍ଦ୍ର ସରକାର ଆର୍ଥିକ ମିତବ୍ୟୟିତା ଅବଲମ୍ବନ କରି ଲକ୍ଷ ଲକ୍ଷ ସରକାରୀ ଚାକିରି ଖାଲି ରଖିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟ ପକ୍ଷରେ ଦୁଇବର୍ଷ ଧରି କୋଭିଡ ମହାମାରୀ ସାରା ଦେଶର ଆର୍ଥିକ ବ୍ୟବସ୍ଥା ପ୍ରତି ଶକ୍ତ ଧକ୍କା ପହଞ୍ଚାଇଥିବାରୁ ତାହାର ମୁକାବିଲା ଲାଗି ମଧ୍ୟ ନୀତି ଆୟୋଗ ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା ତତ୍ପରତା ପ୍ରକାଶ କରୁଛନ୍ତି । କେନ୍ଦ୍ରରେ ଏଭଳି ଅବସ୍ଥା ଲାଗି ରହିଥିବାବେଳେ ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟ ସରକାରମାନେ ମଧ୍ୟ ଅଧିକରୁ ଅଧିକ ପରିମାଣର ଋଣ ଉଠାଇବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି । (ତଥ୍ୟ)