ଭୁବନେଶ୍ୱର : ରାଜ୍ୟର ଦୁଇ ଜିଲ୍ଲା କଟକ ଓ ବଲାଙ୍ଗିରରେ ଶତ ପ୍ରତିଶତ ଡିଜିଟାଲ କାରବାର ପାଇଁ ପ୍ରାୟ ଦେଢବର୍ଷ ତଳେ ନିଷ୍ପତ୍ତି ହୋଇଥିବାବେଳେ ତାହା ଏକ ପ୍ରକାର ଅଧାବାଟରେ ଅଟକିଛି । ଏହି ଦୁଇ ଜିଲ୍ଲାରେ ଲୋକଙ୍କ ମଧ୍ୟରେ ନେଟ୍ ବ୍ୟାଙ୍କିଙ୍ଗ୍ କାରବାର ପାଇଁ ବି ସେଭଳି ଆଗ୍ରହ ନାହିଁ ।
କଟକ ଭଳି ସହରରେ ନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରୁଥିବା ହିତାଧିକାରୀଙ୍କ ସଂଖ୍ୟା ୪୨.୬୦ ପ୍ରତିଶତ ରହିଥିବାବେଳେ ବଲାଙ୍ଗିର ଜିଲ୍ଲାରେ ଏହା ୨୦ ପ୍ରତିଶତରୁ କମ୍ ରହିଛି । ଏଭଳି ସ୍ଥିତିରେ ଶତ ପ୍ରତିଶତ ଡିଜିଟାଲ କାରବାର ଅସମ୍ଭବ ହୋଇପଡିଛି । ତେବେ ଉପକୂଳ ଓ ପଶ୍ଚିମଓଡିଶାର ଏହି ଦୁଇ ଜିଲ୍ଲାରେ ଡିଜିଟାଲ କାରବାର ଏକ ପ୍ରକାର ଆଣ୍ଠେଇ ଥିବାବେଳେ ଅନ୍ୟ ଜିଲ୍ଲାରେ ବି ଏହା ଆଗକୁ ବଢିପାରୁନାହିଁ ।
ନେଟ୍ ବ୍ୟାଙ୍କିଙ୍ଗ ବ୍ୟବହାର କ୍ଷେତ୍ରରେ ଏଭଳି ଅନାଗ୍ରହ ପାଇଁ ଭିତ୍ତିଭୂମି ଓ ସଚେତନତାର ଅଭାବକୁ ଦାୟୀ କରାଯାଉଛି । ସବୁ ଲୋକଙ୍କ ପାଖରେ ବେଗଗାମୀ ଇଣ୍ଟରନେଟ୍ ଉପଲବ୍ଧ ନହେବା ଓ ନେଟ୍ ବ୍ୟାଙ୍କିଙ୍ଗ ସଂକ୍ରାନ୍ତରେ ଲୋକେ ସଚେତନ ହେଉନଥିବାରୁ ସେମାନେ ଏଥିପ୍ରତି ଡରୁଛନ୍ତି । ବିଶେଷକରି ସାଇବର ଅପରାଧିମାନେ ଯେଭଳି ପ୍ରତିଦିନ ଲୋକଙ୍କ ବ୍ୟାଙ୍କ୍ ଖାତାରୁ ଟଙ୍କା ଉଡାଉଛନ୍ତି ସେହି ଭୟରେ ଲୋକେ ମୋବାଇଲ ହେଉ କିମ୍ବା ଡେକ୍ସଟପ୍ କମ୍ପ୍ୟୁଟର ଡିଜିଟାଲ କାରବାର କରିବାକୁ ପଛଘୁଞ୍ଚା ଦେଉଛନ୍ତି ।
ତେଣେ ଡିଜିଟାଲ କାରବାର ଶତପ୍ରତିଶତ କରିବାପାଇଁ ସମସ୍ତ ବ୍ୟବସାୟୀ ଓ ସରକାରୀ ସଂସ୍ଥାରେ ପିଓଏସ୍ ମେସିନ ରଖିବା ପାଇଁ କୁହାଯିବା ସହିତ ସ୍କୁଲ କଲେଜର ଫି ମଧ୍ୟ ଡିଜିଟାଲ ମୋଡ୍ରେ ପ୍ରଦାନ ପାଇଁ କୁହାଯାଇଛି । ହେଲେ ଲୋକଙ୍କ ମଧ୍ୟରେ ସାଇବର ଭୟ ଯୋଗୁଁ ସେମାନେ ନଗଦ ଦେବାକୁ ଉଚିତ୍ ମଣୁଛନ୍ତି ।
ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ମତରେ ଯଦି କଟକ ଭଳି ଜିଲ୍ଲାରେ ଲୋକେ ସଚେତନ ହୋଇପାରୁ ନାହାନ୍ତି ତେବେ ରାଜ୍ୟର ଅନ୍ୟ ଜିଲ୍ଲାର ଅବସ୍ଥା କିପରି ହୋଇଥିବ ତାହା ସହଜରେ ଅନୁମେୟ । କାରଣ କଟକରେ ଇଣ୍ଟରନେଟ୍ ଉପଲବ୍ଧତା ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ଉନ୍ନତ ହୋଇଥିବାବେଳେ ଏଠାରେ ଶିକ୍ଷିତ ଲୋକ ବିଶେଷକରି ବ୍ୟାଙ୍କ୍ ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ ଥିବା ଲୋକଙ୍କ ସଂଖ୍ୟା ବି ଅଧିକ ।
ହେଲେ ଏଠାରେ ନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାରକାରୀଙ୍କ ସଂଖ୍ୟା ୪୩ ପ୍ରତିଶତରୁ କମ୍ ଥିବାବେଳେ ବ୍ୟବସାୟୀମାନଙ୍କ ନିକଟରେ ପିଓଏସ୍ / କ୍ୟୁଆର ବ୍ୟବସ୍ଥାର ଉପଲବ୍ଧତା ୫୦ ପ୍ରତିଶତରୁ କମ୍ ରହିଛି । ତେବେ ବଲାଙ୍ଗିର ଜିଲ୍ଲାରେ ଏହି ମେସିନ୍ ଉପଲବ୍ଧତା କଟକ ତୁଳନାରେ ସାମାନ୍ୟ ଅଧିକ ରହିଛି । (ତଥ୍ୟ)