Home General ଅଦ୍ୱିକା ଆପ୍‌ ଉନ୍ମୋଚିତ

ଅଦ୍ୱିକା ଆପ୍‌ ଉନ୍ମୋଚିତ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ‘ଅଦ୍ୱିକା’ କାର୍ଯ୍ୟକ୍ରମକୁ ଅଧିକ ସୁଗମ ଓ ସାର୍ବଜନୀନ କରିବା ଲକ୍ଷ୍ୟ ନେଇ ଆଜି ପୂର୍ବାହ୍ନରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ‘ଅଦ୍ୱିକା ଆପ୍‌’ର ଶୁଭ ଉନ୍ମୋଚନ କରିଛନ୍ତି ।

ଅକେଫାବର ୨୦୨୦ ମସିହାରେ ଆରମ୍ଭ ହୋଇଥିବା ଅଦ୍ୱିକା କାର୍ଯ୍ୟକ୍ରମ ଅଦ୍ୟାବଧି ରାଜ୍ୟର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିପାରିଛି । ବର୍ତ୍ତମାନ ସୁଦ୍ଧା ୧୨ ଲକ୍ଷ କିଶୋରୀକିଶୋର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିଛନ୍ତି । ଏହା ମାଧ୍ୟମରେ କିଶୋରୀକିଶୋରମାନଙ୍କର ଦକ୍ଷତା ଶିକ୍ଷା, ଜୀବନକୌଶଳ ଆଦିରେ ଉନ୍ନତି ଆସିବା ସଙ୍ଗେ ସଙ୍ଗେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିଛି । ପିଲାମାନେ ଏହି ବୈଷୟିକ ଜ୍ଞାନକୌଶଳସମ୍ମତ ଆପ୍‌ ମାଧ୍ୟମରେ ଜୀବନକୌଶଳ ଲାଭ କରିବା ସହିତ ବ୍ୟକ୍ତିତ୍ୱକୁ ପ୍ରସ୍ପୁଟିତ କରିବେ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି ।

ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଅଧିକ ସଶକ୍ତ ଓ ସୁଦୃଢ଼ କରିବା ସହିତ କିଶୋରୀକିଶୋରମାନଙ୍କ ନେତୃତ୍ୱ ବିକାଶ ପାଇଁ ବିବିଧ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ବିଭାଗ ଏବଂ ଆମ ସମସ୍ତଙ୍କର ମିଳିତ ସହଯୋଗରେ ରାଜ୍ୟକୁ ୨୦୩୦ ସୁଦ୍ଧା ବାଲ୍ୟବିବାହମୁକ୍ତ କରିବାରେ ସଫଳ ହୋଇପାରିବା ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ଆଶାବ୍ୟକ୍ତ କରିଛନ୍ତି ।

କିଶୋରୀକିଶୋରମାନେ ହେଉଛନ୍ତି ସମାଜର ସର୍ବୋତ୍କୃଷ୍ଟ ସମ୍ବଳ । ସେମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ବଦ୍ଧ ପରିକର । ମିଶନ ପୋଷଣ, ମିଶନ ଶକ୍ତି ଓ ମିଶନ ବାତ୍ସଲ୍ୟ ଭଳି ଅଭିନବ ଯୋଜନାର ବହୁମୁଖୀ କାର୍ଯ୍ୟକାରିତା ତା’ର ଜ୍ୱଳନ୍ତ ଉଦାହରଣ ବୋଲି ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା କହିଛନ୍ତି ।

ଏକବିଂଶ ଶତବ୍ଦୀରେ କିଶୋରୀକିଶୋରମାନଙ୍କର ସମୃଦ୍ଧ ସ୍ୱାସ୍ଥ୍ୟ ଓ ଅଧିକାର ସହିତ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ସେମାନଙ୍କର ଜୀବନକୌଶଳ ଓ ଜୀବିକା ସୁଯୋଗ ବୃଦ୍ଧି କରାଯାଇପାରିଲେ ରାଜ୍ୟର କିଶୋରୀକିଶୋରମାନେ ସାମାଜିକ-ଅର୍ଥନୈତିକ ଦୃଷ୍ଟିରୁ ସମୃଦ୍ଧ ହୋଇପାରିବେ ବୋଲି ୟୁନିସେଫ୍‌ ଭାରତର ୟୁୱାହ ମୁଖ୍ୟ ଧୂୱାରାଖା ଶ୍ରୀରାମ ପ୍ରକାଶ କରିଛନ୍ତି ।

ଓଡ଼ିଶାର କିଶୋରୀକିଶୋରମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ହେଲେ ସେମାନଙ୍କୁ ବୈଷୟିକ ଜ୍ଞାନକୌଶଳରେ ପାରଙ୍ଗମ କରିବାକୁ ପଡ଼ିବ ବୋଲି ମାଇକ୍ରୋସଫଫ ଫିଲାନ୍‌ଥ୍ରୋପିସ୍‌ର ନିର୍ଦ୍ଦେଶକ ମଞ୍ଜୁ ଦାସମାନା ପ୍ରକାଶ କରିଛନ୍ତି । ଏହି ଆପ୍‌କୁ ୟୁନିସେଫ୍‌, ୟୁୱାହ ଓ ମାଇକ୍ରୋସଫଫ ମିଳିତ ଭାବରେ ପ୍ରସ୍ତୁତ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଅଦ୍ୱିକା କାର୍ଯ୍ୟକ୍ରମ ଜରିଆରେ ୨୦୨୧-୨୨ ବର୍ଷରେ ୧୭୩୭ଟି ବାଲ୍ୟବିବାହକୁ ରୋକାଯିବା ସହ ପାଖାପାଖି ୧୨ ହଜାର ଗ୍ରାମକୁ ବାଲ୍ୟବିବାହମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି । ଅଦ୍ୟାବଧି ବାଲ୍ୟବିବାହରୁ ଉଦ୍ଧାର କରାଯାଇଥିବା ୧୭ରୁ ୧୯ ବର୍ଷର ୧୩,୬୧୪ ଜଣ କିଶୋରୀକିଶୋରଙ୍କୁ ଦୀନଦାୟଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଓ କୌଶଳ ବିକାଶ ମିଶନରେ ସାମିଲ କରାଯାଇ ସେମାନଙ୍କର ଦକ୍ଷତା ଓ କୌଶଳ ବିକଶିତ କରାଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଯାଇପାରିଛି ।

ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲ ସ୍ୱାଗତ ଭାଷଣ ଦେଇଥିଲେ । ସମ୍ମିଳନୀରେ ରାଜ୍ୟର ସମସ୍ତ ଜିଲ୍ଲାର ସମାଜ ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ ଓ କିଶୋରୀକିଶୋରମାନେ ଯୋଗଦେଇ ସେମାନଙ୍କ ଅନୁଭୂତି ଉପସ୍ଥାପନ କରିଥିଲେ ।